Unknown

 

 

 

 

 

 

 

 

 

 

 

କାଞ୍ଚି କାବେରୀ ଯୁଦ୍ଧ

ପଣ୍ଡିତ ଶ୍ରୀ ଗୋବିନ୍ଦ ରଥ

 

୧ମ ଛାନ୍ଦ-ରାଗ ବଙ୍ଗଳାଶ୍ରୀ

 

ଜୟ ସଦାଶିବ ଗିରିସୁତାଧବ ଭକତର ବରଦାତା ।

ଜୟ ପଞ୍ଚ-ମାଥ ଜୟ ତିନିନେତ୍ର ତ୍ରିପୁରନାଶକରତା ।୧।

ଜୟ ବିଶ୍ୱନାଥ ଜୟ ଶୂଳହସ୍ତ ଶ୍ମଶାନବିହାରୀ ହର ।

କରୁଛି ଦୟିନୀ ମୋ ବିନୟ ଘେନି ମନବାଞ୍ଛା ପୂର୍ଣ୍ଣ କର ।୨।

ଚିତ୍ତେ ଅଛି ପାଞ୍ଚି କହିବି ମୁଁ କାଞ୍ଚିକାବେରୀ-ଜୟ-ଚରିତ ।

ଶ୍ରୀ ପୁରୁଷୋତ୍ତମଦେବଙ୍କ ମହିମ ବିଷୟ ଅତି ପବିତ୍ର ।୩।

ଜୟ ଜଗନ୍ନାଥ ଶଙ୍ଖଚକ୍ରହସ୍ତ ନୀଳାଚଳପତି ହରି ।

ପାପୀ-ପାପ କରୀ ଦେଖି ଦୂରୁଁ ଡରି ପଳାଏ ରହି ନ ପାରି ।୪।

ହେ ଦେବ ମୁଁ ବଡ଼ ଅଧମ ଯେ ଜଡ଼ ନ ଜାଣଇଁ ଜ୍ଞାନ ଧ୍ୟାନ ।

ହୋଇ ବିପ୍ରସୁତ ବେଦରୁ ରହିତ ଆଉ କି କହିବି ଆନ ।୫।

କେବଳ ଶ୍ରୀହରି ନାମକୁ ସୁମରି ପାପୀମାନେ ଯାନ୍ତି ତରି ।

ପୁରାଣେ ଏ ବାଣୀ ଥିବାରୁ ମୁଁ ଶୁଣି ସବୁ ଚିନ୍ତା ପରିହରି ।୬।

କରିଅଛି ତୁମ୍ଭ ନାମକୁ ଏ ଭବଜଳଧି ତରିବା ତରୀ ।

କରି କୃପା ମୋତେ କଷଣୁ ତୁରିତେ ଉଦ୍ଧର ହେ ମଧୁହାରି ।୭।

 

ତୁମ୍ଭର ଭକତ ଜଗତେ ବିଖ୍ୟାତ ଶ୍ରୀ ପୁରୁଷୋତ୍ତମଦେବ ।

ସେ ଯେପରି କାଞ୍ଚିକାବେରିକି ପାଞ୍ଚି ଜିଣିଲେ ତା ଛାନ୍ଦ ହେବ ।୮।

 

ତୁମ୍ଭେ କୃପା କଲେ କହିବି ତା ହେଲେ ସରଳଭାଷାଛାନ୍ଦରେ ।

ଶୁଣି ତାହା ଜନେ ହରଷିତମନେ ଗାଇବେ ପ୍ରମୋଦଭରେ ।୯।

 

ପୁରାଅ ମୋହର ଏ ଆଶା ଶ୍ରୀଧର ଜଣାଣ କରୁଛି ପାଦେ ।

କପିଳେଶ ନନ୍ଦ ବୋଲେ ମୋ ବିପଦ ହରି ରଖ ଅପ୍ରମାଦେ ।୧୦।

Image

 

୨ୟ ଛାନ୍ଦ-ରାଗ ବରାଡ଼ୀ । ଅଷାଢ଼ଶୁକ୍ଲ ବାଣୀ ।

 

ଶୁଣ ଜନେ ଚିତ୍ତ କରି ସୁସ୍ଥିର ।

କାଞ୍ଚିକାବେରୀଜୟ ସମାଚାର ।

ଶ୍ରୀ ପୁରୁଷୋତ୍ତମଦେବ ନୃପତି ।

ଯେପରି ହୋଇଲେ ସେ କ୍ଷିତିପତି ।

ବୁଝ ତାହା ଆଗେ ।

ପୂର୍ବ ଚରିତ ଯିବ ତହିଁ ସଙ୍ଗେ ।୧।

 

ଓଡ଼ିଶା-ନରଇଶ ଗଜପତି ।

କପିଳଇନ୍ଦ୍ରଦେବ ନାମେଖ୍ୟାତି ।

ପୁରୁଷୋତ୍ତମରେ କରି ଉଆସ ।

ସେଠାରେ ରହନ୍ତି ବହୁ ଦିବସ ।

ଖୋରଧା ଗାଦିରେ ।

ରାଜକାର୍ଯ୍ୟ ହେଉଁ ଥାଇ ବିଧିରେ ।୨।

 

ଜଗନ୍ନାଥଙ୍କ ପାଦରେ ଭକତି ।

ଦୃଢ଼େ ରଖିଥାନ୍ତି ସେ ନରପତି ।

ହୋଇଲେ ତାଙ୍କର ଅଠର ସୁତ ।

ଏକକୁ ଆର ଅତି ବଳବନ୍ତ ।

କାହାକୁ କେ ଉଣା ।

ନୁହନ୍ତି ସମରେ ସମସ୍ତେ ଜିଣା ।୩।

 

ଏକ ଅନ୍ତରସୁତ ରାଜାଙ୍କର ।

ଥାଏ ପୁରୁଷୋତ୍ତମ ନାମ ତାର ।

ଶାନ୍ତ ସୁଶୀଳ ଅତି ଗୁଣଵାନ ।

ଜଗନ୍ନାଥଙ୍କଠାରେ ରଖି ଧ୍ୟାନ ।

ଦେବ-ବିପ୍ରଭକ୍ତ ।

ହୋଇ ପିତାଙ୍କୁ ସେବିଥାଏ ନିତ୍ୟ ।୪।

 

ପୁରୁଷୋତ୍ତମର ଦେଖି ସୁରୀତି ।

ଅତି ସ୍ନେହ କରିଥାନ୍ତି ନୃପତି ।

ବେଳେ ବେଳେ ଚିତ୍ତେ କରନ୍ତି ଏହା ।

ନୃପତି ଯେବେ ହୁଅନ୍ତା ପୁରିଆ ।

ତେବେ ଉତ୍ତମରେ ।

ପାଳନ୍ତା ଦେଶ ଦିଶେ ଏପରିରେ ।୫।

 

ଏରୂପେ ବିଚାରି ମଉନେ ଥାନ୍ତି ।

କାହାକୁ ମନକଥା ନ କହନ୍ତି ।

ନୀତି ସନ୍ଧ୍ୟାଧୂପବେଳେ ରାଜନ ।

ସଙ୍ଗରେ ଘେନି ସମସ୍ତ ନନ୍ଦନ ।

ଦରଶନ ପାଇଁ ।

ପରମ ଭକତି ମାନସେ ବହିଁ ।୬।

 

ଜଗନ୍ନାଥଙ୍କ ନିକଟକୁ ଯାନ୍ତି ।

ଦରଶନ କରି ଦୁଃଖ ଜଣାନ୍ତି ।

କହନ୍ତି ହେ ପ୍ରଭୁ କର ବିଚାର ।

ଏ ମୋର ପୁତ୍ରେ ସର୍ବେ ବଳିଆର ।

କେ ହେବ ନରେଶ ।

ବିଚାରି ଆଜ୍ଞା କର ଜଗଦୀଶ ।୭।

 

ଏପରି ନୀତି ଜଣାନ୍ତେ ନୃପତି ।

ବିଚାରି ତାହା ପ୍ରଭୁଶିରୀପତି ।

ଏକନିଶୀରେ ନିଦ୍ରାସମୟରେ ।

ସ୍ୱପନେ ରାଜାକୁ ଏହିପରିରେ ।

କହିଲେ ହେ ନୃପ ।

କାହିଁପାଇଁ ଲଭୁଅଛୁ ସନ୍ତାପ ।୮।

 

କେଉଁ ପୁତ୍ର ତୋର ନରେଶ ହେବ ।

ତାହା ଆଗହୁଁ କରିଅଛୁଁ ଧ୍ରୁବ ।

ଯେବେ ଜାଣିବା ଇଛା ଅଛି ତୋର ।

ଆସନ୍ତା କାଲି ସନ୍ଧ୍ୟାରେ ମୋହର ।

ଦରଶନ ପାଇଁ ।

କୁମରମାନଙ୍କୁ ସଙ୍ଗେ ଘେନାଇଁ ।୯।

 

ମନ୍ଦିରକୁ ଗଲାବେଳେ ତୋହର ।

ବାଇଶି ପାବଛେ ଲାଗିବ ଫେର ।

ତାକୁ ତୋଳି ଧରିବ ଯେ ସେକାଳେ ।

ଓଡ଼ିଶା ନୃପ ପଦ ତା କପାଳେ ।

ଅଛି ତାକୁ ରକ୍ଷା କରିବି ଵିପଦୁଁ ବହିଁ ମୁଁ କଷା ।୧୦।

 

ଏତେ କହି ପ୍ରଭୁ ହେଉଁ ଅନ୍ତର ।

ନିଦ୍ରା ଭାଜିଗଲା ନରପତିର ।

ଦେଖିଲେ ରଜନୀ ହୋଇଁଚି ଶେଷ ।

ଶେଯୁଁ ଉଠି ଇଷ୍ଟ ଚିନ୍ତି ନରେଶ ।

ନିତ୍ୟକର୍ମ ସାରି ।

ସ୍ୱପନକଥାକୁ ହୁଅଇ ଘାରି ।୧୧।

 

ନ କହଇ କାହା ଆଗରେ କିଛି ।

କିପରି ସନ୍ଧ୍ୟା ହେବ ଚାହିଁ ଅଛି ।

ମନରୁ ସଂଶୟ ଦୂର ହୋଇବ ।

ଏହା ବିଚାରେ ନୃପ ଜନେ ଭାବ ।

କହେ କପିଳେଶ ।

କଲାକର୍ମ ଫଳ ଫଳେ ଅବଶ୍ୟ ।୧୨।

Image

 

୩ୟ ଛାନ୍ଦ । ରାଗ ରାମକେରୀ

 

ଶୁଣ ହେ ସୁଜନେ ଅପୂର୍ବ ଚରିତକୁ ସୁଧୀରେ ।

କିପରି ଫଳଇ କପାଳ ପାପ-ପୁଣ୍ୟ ରୀତିରେ ।୧।

ଗଜପତି ନରଈଶ୍ୱର ଓଡିଶାର ରାଜନ ।

ଲକ୍ଷ ନରପତି ମଉଡ଼ମଣି ଗୁଣନିଧାନ ।୨।

ବିଚାରନ୍ତି ସନ୍ଧ୍ୟା ହୋଇଲେ ମୋର ସଂଶୟ ଦୂର ।

ହୋଇବ ଜାଣିବି କାହାକୁ କୃପା କରି ଈଶ୍ୱର ।୩।

ଏ ଓଡ଼ିଶା ରାଜଗାଦିରେ ଅଧିପତି କରିବେ ।

ପୁଣି କହିଛନ୍ତି ତାହାକୁ ବିପଦରୁ ତାରିବେ ।୪।

ମୋର ଏ ସକଳ କୁମରେ ରାଜସମ୍ପଦେ ମତ୍ତ ।

ନ ଜାଣନ୍ତି ଦ୍ଵିଜ ଦେବତା ଧର୍ମେ ନ ଥାଇ ଚିତ୍ତ ।୫।

ସେମାନଙ୍କୁ କେବେ ନୃପତି-ପଦ ମିଳିବ ନାହିଁ ।

ଦେଖୁଚି ପୁରିଆ କେବଳ ଧର୍ମପଥେ ଚାଲଇ ।୬।

ଜଗନ୍ନାଥପଦ ଧ୍ୟାନରେ ନିଶୀଦିବା ବଞ୍ଚଇ ।

ଅଧରମେ ଚିତ୍ତ ସ୍ୱପନେ ହେଲେ ଦିଅଇ ନାହିଁ ।୭।

 

ଜଗନ୍ନାଥ ଦେବଙ୍କର କି ତାହାଠାରେ କରୁଣା ।

ହୋଇଅଛି ମୋତେ ଏପରି ଯାଉଁ ଅଛଇ ଜଣା ।୮।

 

ଏମନ୍ତ ବିଚାର ନରେଶ କରୁଁ କରୁଁ ଦିବସ ।

ଶେଷ ହୋଇ ସନ୍ଧ୍ୟା ସମୟ ଆସି ହେଲା ପ୍ରବେଶ ।୯।

 

ରବି ଅସ୍ତ ହେବା ଅନାଇଁ ନରବର ତୁରିତେ ।

ଜଗନ୍ନାଥଦରଶନକୁ ବିଜେ ଆନନ୍ଦଚିତ୍ତେ ।୧୦।

 

ନରେଶ ଗମନ ସମୟ ଜାଣି ସକଳ ସୁତେ ।

ରାଜାଙ୍କ ନିକଟେ ମିଳିଲେ ଆସି ଯେ ଯାହାମତେ ।୧୧।

 

ସେପରି ଯେ ପୁରୁଷୋତ୍ତମ ଆସି ନିକଟେ ମିଳି ।

ପ୍ରଣମିଲେ ନୃପଚରଣେ ଶିରେ ଦେଇ ଅଞ୍ଜଳି ।୧୨।

 

ସମସ୍ତ ପୁତ୍ରଙ୍କୁ ସଙ୍ଗରେ ଘେନି ନରଈଶ୍ୱର ।

ଦରଶନ ପାଇଁ ଚଳିଲେ କହେ କପିଳେଶ୍ୱର ।୧୩।

Image

 

୪ର୍ଥ ଛାନ୍ଦ ରାଗ କୁମ୍ଭକାମୋଦୀ ।

 

ଓଡ଼ିଶାରାଜନ ସକଳ ସନ୍ତାନମାନଙ୍କୁ ଘେନାଇଁ ।

ଗମନ କରନ୍ତି ମାନସରେ ଚିନ୍ତି ଜଗତଗୋସାଇଁ ।୧।

ଜଗନ୍ନାଥ ଦରଶନେ ତତପର ହୋଇ ନର ଇଶ ।

ଯାଇ ସେ ବାଇଶପାବଚ୍ଛର ପାଶ ହୋଇ ପରବେଶ ।୨।

ଚିତ୍ତେ ହରି ଚିନ୍ତା ଧୀରେ ଗଜପତି ରାଜନ ଚରଣ ।

ବଢ଼ାନ୍ତେ ପାବଚ୍ଛ ଉପରକୁ ମିଛ ନୋହେ ଏହା ଜାଣ ।୩।

ଈଶ୍ୱରକଥନ ନୁହଇ ଯେ ଆନ ନୃପ ପିନ୍ଧା ଫେର ।

ପାବଚ୍ଛ ଉପରେ ଚରଣତଳରେ ରହୁଁ ନରବର ।୪।

ଝୁଣ୍ଟିଲା ପରାଇ ରହି ଯାଉଁ ତହିଁ ସକଳ କୁମରେ ।

ଥିଲେହେଁ ସେବାରେ କେ ତାହା ବେଗରେ ନ ଟେକି ଗର୍ବରେ ।୫।

ଚାଲିଗଲେ ଆଗେ ନୃପପୃଷ୍ଠଭାଗେ ଥିଲା ଯେ ପୁରିୟାତା ।

ଧାଇଁ ଆସି ଫେର ଟେକି ଧରୁ ନରବର ଦେଖି ତାହା ।୬।

ଧରି ତାର ହସ୍ତ ହୋଇ ହରଷିତ ମନ୍ଦିରେ ପଶନ୍ତେ ।

ଦେଖି ତାହା ଖଳପଣେ କଲେ ଗୋଳ କୁମର ସମସ୍ତେ ।୭।

 

ବୋଇଲେ ହେ ନରଇଶ ଯେ ଅନ୍ତର କୁମର ତୁମ୍ଭର ।

ଅଟେତ ପୁରିଆ ତାହାଠାରେ ନୂଆରୀତି କିପାଁ କର ।୮।

 

ଆମ୍ଭମାନଙ୍କର ଦେହରେ ଯେ କର ନ ଦିଅ ସ୍ନେହରେ ।

ଆଜି ପୁରିଆର ଧରିଅଛ କର କହ କି ବିଚାରେ ।୯।

 

ଶୁଣି ନରପତି ସୁତଙ୍କ ଭାରତୀ ଏପରି ଚାହାନ୍ତି ।

ଗଜପତି ରାଜଶିରୀ ଦେଲେ ଆଜ ପୁରୀକି ଶ୍ରୀପତି ।୧୦।

 

ସ୍ୱପନଚରିତ କହନ୍ତେ ସମସ୍ତ ସେମାନଙ୍କୁ ତହିଁ ।

ବୋଲନ୍ତି ସକଳେ ଜାଳି କୋପାନଳେ ନରେଶଙ୍କୁ ଚାହିଁ ।୧୧।

 

ଥାଇଁ ଆମ୍ଭେମାନେ ପୁରିଆ କେସନେ ହୋଇବ ନୃପତି ।

ଦେଖିବା କିପରି ଵିପଦୁଁ ଉଦ୍ଧରି ରଖିବେ ଶ୍ରୀପତି ।୧୨।

 

ସେମାନଙ୍କ କୋପ ଦେଖି ଚିତ୍ତେ ତାପ ଲଭି ସେ ପୁରିଆ ।

ହରିଙ୍କି ମାନସେ ଚିନ୍ତା କରି ଭାଷେ ନ ହୋଇ ଡରୁଆ ।୧୩।

 

ଆହେ ଜଗନ୍ନାଥ ତୁମ୍ଭେ ମୋର ନାଥ ଏ କିସ କରିବେ ।

ରାଜା ସହିତରେ ଦେଉଳ ଭିତରେ ମିଳିଲେ ସେ ଜବେ ।୧୪।

 

କରି ଦରଶନ ସକଳେ ବହନ ହୋଇ ଫେରି ଗଲେ ।

କହେ କପିଳେଶ ସେଦିନୁ ବିରସ ସମସ୍ତେ ହୋଇଲେ ।୧୫।

Image

 

୫ମ ଛାନ୍ଦ । ରାଗ ଚିନ୍ତାଦେଶାକ୍ଷ ।

 

ଏଥୁ ଅନ୍ତେ ଧୀରେ ଶୁଣ ଜନେ ।

ଗଜପତିଙ୍କ କୁମରମାନେ ।

ମାରିବାକୁ ପୁରୁଷୋତ୍ତମକୁ ଗରୁକୋପେ ଜଗିଥାନ୍ତି ରାତ୍ରଦିନେ ଯେ । ସେମାନେ ।୧।

 

ବସି ଅଠର ଭାଇ ଏକାନ୍ତେ ।

କଲେ ବିଚାର ଏହା ଗୁପତେ ।

ଯେ ପାରିବ ଯହିଁ ପୁରିଆକୁ ତହିଁ ଧରି ମାରିବ ମରେ ଯେମନ୍ତ ଯେ । ଯତନେ ।୨।

 

କରି ସୀଉକାର ତହିଁ ସର୍ବେ ।

ପୁରୁଷୋତ୍ତମର ହିଂସା ଭାବେ ।

ସକଳେ ବୁଲନ୍ତି କେହି ନ ଜାଣନ୍ତି ଜଗନ୍ନାଥଙ୍କୁ ପୁରିଆ ସେବେ ଯେ । ସର୍ବଦା ।୩।

 

ଦିନେ ପୁରିଆ ଯାଏ ଏକାକୀ ।

ତାକୁ ଏକ ରାଜସୁତ ଦେଖି ।

ଘୋଡ଼ା ଝପଟାଇ ତା ନିକଟେ ଯାଇଁ ବାଣୀ କହଇ ଏପରି ଡାକି ଯେ । ସେକାଳେ ।୪।

 

ଆରେ ପୁରିଆ ଏମୋ ସାବେଳୀ ।

ମୁଠାଘାତରୁ ଗଲେ ତୁ ବଳି ।

ହୋଇ ନରପତି ଭୁଞ୍ଜିବୁ ସମ୍ପତ୍ତି ଇଷ୍ଟ ସୁମରି ଯାଅ ସମ୍ଭାଳିରେ । ପୁରିଆ ।୫।

 

ପୁରୁଷୋତ୍ତମ ଏ ବାକ୍ୟ ଶୁଣି ।

ମାନସରେ ଚିନ୍ତି ଚକ୍ରପାଣି ।

ଅଚଳ ପରାଏ ସେହିସ୍ଥାନେ ରହେ ତାର ବାକ୍ୟରେ ଭୟ ନ ଗଣି ଯେ । ସେକାଳେ ।୬।

 

ରାଜପୁତ୍ର ଘୋଡ଼ାପରେ ଥାଇଁ ।

ପୁରୁଷୋତ୍ତମ ଅଙ୍ଗକୁ ଚାହିଁ ।

ଲକ୍ଷକରି ମୋତେ ଶାବେଳୀ କୋପରେ ତିନିବାର ତୁହାଇଁ ତୁହାଇଁ ଯେ । ବେଗରେ ।୭।

 

ପୁରୁଷୋତ୍ତମ ବୁଜିଛି ନେତ୍ର ।

ଚିତ୍ତେ ଚିନ୍ତୁଅଛି ଜଗନ୍ନାଥ ।

ଶାବେଳୀ ତାଅଙ୍ଗେ ନ ବାଜି ଅଲଗେ ଯିବା ଦେଖି ହୋଇ ଚମକିତ ସେ । ନୃପଜ ।୮।

 

ବିଚାରିଲା ଏ ହେବ ନୃପତି ।

ଗଲା ଶାବେଳୀ ଘାତୁଁ ବରତି ।

ଜଗନ୍ନାଥେ ରକ୍ଷା କଲେ ବହି କକ୍ଷା ଆଉ ନାହିଁ ଏହାକୁ ଦୁର୍ଗତି ଯେ । କେବେହେଁ ।୯।

 

ଗଲା ପଳାଇ ଏହା ବିଚାରି ।

ଲୋକେ ଦେଖିଲେ ନିନ୍ଦିବେ ଡରି ।

ସେ ଯିବାର ଦେଖି ଭୟକୁ ଉପେଖି ପୁରୁଷୋତ୍ତମ ଚିନ୍ତିଲା ହରି ଯେ । ସେକାଳେ ।୧୦।

 

ତହୁଁ ଧୀରଧୀର ହୋଇଁ ଯାଇଁ ।

କାହା ଆଗରେ କିଛି ନ କହିଁ ।

କରି ଇଷ୍ଟଧ୍ୟାନ ବଞ୍ଚିଲା ସେ ଦିନ ଶୁଣ ପୁଣି ହୋଇଲା ଯା ତହିଁ ହୋ ସୁଜନେ ।୧୧।

 

ମାରି ଶାବଳୀ ଲଜ୍ଜାକୁ ପାଇଁ ।

ରାଜପୁତ୍ର ଭାଇଙ୍କି ଡକାଇଁ ।

କହିଲା ପୁରିଆ ହେବ ନରନାହା ଏଥେଁ ସନ୍ଦେହ ନକର କେହି ହେ । ସୋଦରେ ।୧୨।

 

ବୋଲି ଏହା ସେହୁ ଅନ୍ୟଦେଶେ ।

ଯାଉଁ ଆନଭାଇମାନେ ରୋଷେ ।

ଜଳରେ ବୁଡ଼ାଇ ମାରିବାକୁ ନେଇଁ ପୁରିଆକୁ ସେ ଏକଦିବସେ ଯେ । କୂଟରେ ।୧୩।

 

ଜଳେ ବୁଡ଼ାଉଁ ତାହାକୁ ହରି ।

ରକ୍ଷାକଲେ ସର୍ବେ ଗଲେ ହାରି ।

ଏହିପରି ଯେତେ ଦୁଃଖ ଦେଲେ କେତେ ତାହା କହିବି ଅବା ବିଚାରି ହେ । ସୁଜନେ ।୧୪।

 

ଶେଷେ ହାରି ସମସ୍ତେ ପଳାଇଁ ।

ରହିଲେ ସେ କାହିଁ କାହିଁ ଯାଇଁ ।

କହେ କପିଳେଶ ପୁରିଆମାନସ କଲେ ପୂରଣ କମଳାସାଇଁ ହେ । ସୁଜନେ ।୧୭।

Image

 

୬ଷ୍ଠ ଛାନ୍ଦ । ରାଗ ଶଙ୍କାରାଭରଣ ।

 

ପୁରୁଷୋତ୍ତମକୁ ନାଶ କରିବା ବିଚାର ।

ବାନ୍ଧି ଶେଷେ ରାଜାଙ୍କର ଅଠରକୁମର ।

ସର୍ବେ ହତାଶ ହୋଇଲେ ।

ଲାଜେ କିଏ କେଉଁଆଡ଼େ ତହୁଁ ପଳାଇଲେ ।୧।

ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କ ସେବାରେ ।

ମାନସ ମଜ୍ଜାଇ ଥାଏ ରଜନୀ-ଦିବାରେ ।

ଏହିପରି କେତେଦିନ ।

ଯାଉଁ ଗଜପତିରାଜା ହୋଇଲେ ନିଧନ ।

ପୁରୁଷୋତ୍ତମ ଶ୍ରୀପୁରୁଷୋତ୍ତମରେ ରହି ।

ଜଗନ୍ନାଥଙ୍କ କୃପାରେ ହେଲେ ନରସାଇଁ ।

ତାଙ୍କ କୀରତି ବିଖ୍ୟାତ ।

ହେଉଁ ନରପତିମାନେ ଶୁଣି ହେଲେ ଭୀତ ।୩।

ଶ୍ରୀ ପୁରୁଷୋତ୍ତମଦେବ ଗାଦୀଶ୍ଵର ହୋଇ ।

ଧର୍ମେ ପ୍ରଜାଙ୍କୁ ପାଳିଲେ ରିପୁକୁଳ ଦହି ।

ରକ୍ଷକଟି ଜଗନ୍ନାଥ ।

ଯାହାର ହୁଅନ୍ତି ତାକୁ କିଅବା ବିଚିତ୍ର ।୪।

କାଞ୍ଚିକାବେରୀ ରାଜନ କଳେବରେଶ୍ୱର ।

ଓଡ଼ିଶାର ଦକ୍ଷିଣଭାଗରେ ତାର ଘର ।

ସେ ନୃପର ଈଷ୍ଟଦେବ ।

ଗଣପତି ଥିବାରୁ ତା ମନରେ ଗରବ ।୫।

କଳେବର ନରେଶ୍ୱର ଅତ୍ୟନ୍ତ ପ୍ରତାପୀ ।

ଥାଏ ଯେପରି ତା କେତେ କହିବି ସନ୍ତାପି ।

ଈଷ୍ଟଦେବତା ବଳରେ ।

କାହାର କି କାମନା ବା ନୁହଇ ଫଳରେ ।୬।

ସେ ରାଜାର ଏକ କନ୍ୟା ପଦ୍ମିନୀ ସୁନ୍ଦରୀ ।

ଦେଖି ତା ରୂପକୁ ଯୋଗିଜନେ ହୋନ୍ତି ଘାରି ।

କି କରିବି ତା-ବର୍ଣ୍ଣନା ।

ନାହିଁ ତା ପଦନାମଧ୍ୟେ କର ଘେନା ।୭।

ନାମ ତାର ପଦ୍ମାବତୀ ଅତି ସୁକୁମାରୀ ।

ଶୋଭାଗୁଣେ ଦେଵକନ୍ୟା ତାକୁ ଯିବେ ହାରି ।

କଳେବର ନରପତି ।

କନ୍ୟାକୁ ଦେଖି ଏପରି ବିଚାର କରନ୍ତି-

ଲକ୍ଷରାଜା ମଉଡ଼ମଣି ଯେ ଗୁଣବଳେ ।

ଶ୍ରୀ ପୁରୁଷୋତ୍ତମଦେବ ଗଜପତି-କୁଳେ ।

ତାଙ୍କ ଗୁଣ କୀରତିରେ ।

ପୂରିଛି ଧରାମଣ୍ଡଳ ଶୁଣୁଚି ଶ୍ରୁତିରେ ।୯।

ପୁଣି ଜଗନ୍ନାଥଙ୍କର ଅନୁଗ୍ରହ ପାତ୍ର ।

ଅଟନ୍ତି ଏକଥା ଲୋକେ ହୋଇଛି ବିଖ୍ୟାତ ।

ସେହି ନୃପତିଙ୍କି ମୋର ।

ପଦ୍ମାବତୀକି ପ୍ରଦାନ କରିବ ନିକର ।୧୦।

କରି ଏପରି ବିଚାର ରାଣୀସମୀପରେ ।

କହିଁ କଳେବର ନୃପ ବିଧିବିଧାନରେ ।

କନ୍ୟାଦାନ ଜଉତୁକ ।

ବିଧିସଙ୍ଗେ ଘେନି କାଞ୍ଚିକାବେରୀ ନାୟକ ।

ଜାୟାସୁତ ସହୋଦର ସୈନ୍ୟ ସହିତରେ ।

ଯାତ୍ରା କଲା ନରପାଳ ଆନନ୍ଦଚିତ୍ତରେ ।

ଆସି ପୁରୁଷୋତ୍ତମରେ ।

କନ୍ୟାଦାନ କରିବ ବିଚାରି ମାନସରେ ।୧୧।

ଦିନେଦିନେ ଯାଇ କାଞ୍ଚିକାବେରୀ ରାଜନ ।

ପୁରୁଷୋତ୍ତମେ ମିଳିଲା ଥାଇଁ ଦେବସ୍ନାନ ।

ବସା କରି ସେ ରହିଲା ।

ପ୍ରଥମଦିନରେ ଦରଶନ କରି ଗଲା ।୧୨।

ଦେଉଳଭିତରେ ପଶି ନିରୀକ୍ଷଣ କଲା ।

ଦାରୁରୂପଧାରୀ ତିନିଦେବଙ୍କୁ ଦେଖିଲା ।

ତହିଁ ତାଙ୍କୁ ନମସ୍କାର ।

ନ କରି ପ୍ରସାଦ ନ ଘେନିଲା ନରେଶ୍ୱର ।୧୩।

ପଣ୍ଡାମାନଙ୍କୁ କହିଲା ଏହା ସେ ନୃପତି ।

ମୋର ଈଷ୍ଟ ଗଣପତି ଏଠାରେ ନାହାନ୍ତି ।

କାହା ପ୍ରସାଦ ଗ୍ରହଣ ।

କରିବି ଏବାଣୀ କହି ଗଲା ନରରାଣ ।୧୪।

ଆପଣାବସାରେ ସାରି ରନ୍ଧନ ଭୋଜନ ।

ନିଶୀଯୋଗେ ଶେଯେ ଯାଇ କଲା ସେ ଶୟନ ।

କହେ କପିଳେଶନନ୍ଦ ।

ଯାର ଯେ ଈଷ୍ଟ ସେ ତାର ସକଳ ସମ୍ପଦ ।୧୫।

Image

 

୭ମ ଛାନ୍ଦ । ମୁନିବରବାଣୀ ।

 

ଶୁଣ ହେ ସୁଜନେ ଧୀରେ ।

କଳେବର ଶୟନରେ ।

ସ୍ୱପନେ ଦେଖିଲା ଯାହା ।

କହୁଚି ତାହା ଯେ ।୧।

ଆସି ଏକ ବୃଦ୍ଧ ଦ୍ଵିଜ ।

ଭାଷନ୍ତି ହେ କାଞ୍ଚିରାଜ ।

ତୁମ୍ଭ ଈଷ୍ଟ ଗଣେଶ୍ୱର ।

ମୂରତି ମୋର ଯେ ।୨।

ଆସନ୍ତା ପୂର୍ଣ୍ଣିମାଦିନ ।

ହୋଇବ ଯେ ଦେବସ୍ନାନ ।

ସେ-ସ୍ନାନମଣ୍ଡପେ ମୋତେ ।

ତୁ ଭକ୍ତିଚିତ୍ତେ ଯେ ।୩।

ଦର୍ଶନ କରିବୁ ଯାଇଁ ।

ଗଣେଶରୂପରେ ମୁହିଁ ।

ଦେବି ତୋତେ ଦରଶନ ।

ନୋହିଁଵ ଆନ ଯେ ।୪।

 

ଏତେ କହି ଅନ୍ତର୍ଦ୍ଧ୍ୟାନ ।

ହେଲେ ଯହୁଁ ଭଗବାନ ।

ରାଜା ନିଦ ଭାଜିଗଲା ।

ନିଶୀ ପାହିଲା ଯେ ।୫।

 

କଳେବର ନରପତି ।

ତା ନ କହି କାହା କତି ।

ମାନସରେ ରଖିଥିଲା ।

ପୂର୍ଣ୍ଣିମା ହେଲା ଯେ ।୬।

 

ସେ ଦିନ ସକାଳଧୂପ ।

ଶେଷେ ତିନି ଦାରୁ ରୂପ ।

ସ୍ନାନମଣ୍ଡପରେ ଯାଇ ।

ବିଜୟ ହୋଇ ଯେ ।୭।

 

ହାତୀବେଶ ହେଲାବେଳେ ।

କଳେବର ନୃପ ଡୋଳେ ।

ସେଠାରେ ଥାଇ ତା ଦେଖି ।

ହୋଇଲା ସୁଖୀ ଯେ ।୮।

 

ବୋଲେ ମୋ ପ୍ରଭୁ ଗଣେଶ ।

ଅଟନ୍ତି ନୀଳାଦ୍ରିଈଶ ।

ପୁରୁଷୋତ୍ତମ ନରେଶ ।

ଏହାଙ୍କ ଦାସ ଯେ ।୯।

 

ଦେବି ମୁଁ ତାଙ୍କୁ ଦୁହିତୀ ।

ଏ ମୋର ସତ୍ୟ ଭାରତୀ ।

ଏହା ଚିତ୍ତେ ସ୍ଥିର କଲା ।

ତହିଁ ରହିଲା ଯେ ।୧୦।

 

ଶୁଣ ଜନେ ଧିରମନେ ।

ତହିଁପରେ କେତେଦିନେ ।

ହେଲା ଆସି ରଥଯାତ ।

ଦିନ ପ୍ରାପତ ଯେ ।୧୧।

 

ଆଷାଢ଼ମାସ ଶୁକଳ ।

ଦ୍ଵିତୀୟାତିଥି ମଞ୍ଜୁଳ ।

ସେଦିନ ରଥକୁ ବିଜୋ

ଦେବାଧିରାଜେ ଯେ ।୧୨।

 

ରୁଣ୍ଡ ହୋଇ ନାନାଦେଶ ।

ଲୋକେ କରି ହରିଘୋଷ ।

ସେବକେ ଦାରୁ ମୂରତି ।

ରଥେ ବସାନ୍ତି ଯେ ।୧୩।

 

ସୁବର୍ଣ୍ଣ ଖଡ଼ିକା ଧରି ।

ଓଡ଼ିଶାର ଦଣ୍ଡଧାରୀ ।

ରଥପରେ ପହରନ୍ତି ।

ଛରା ପକାନ୍ତି ଯେ ।୧୪।

 

ତିନିଦେବଙ୍କ ଆଗରେ ।

ସୁବର୍ଣ୍ଣ ମାଜନୀକରେ ।

ଓଳାଇ ଚନ୍ଦନ ଛରା ।

ପକାନ୍ତି ତୋରାଯେ ।୧୫।

 

ଓଡ଼ିଶା ନୃପବଂଶର ।

ଏ ବଡ଼ ସିଦ୍ଧି ବିଚାର ।

କହେ କପିଳେଶ ନନ୍ଦ ।

ଚିନ୍ତି ଗୋବିନ୍ଦ ଯେ ।୧୬।

Image

 

୮ମ ଛାନ୍ଦ । ରାଗ ଆହାରୀ ।

 

ରଥପରେ ଛଗ ପକା ପରମ୍ପରା ପହରିବ ଆଦି ଯେ ନୀତି ।

ଥିଲା ନୃପଙ୍କର କରୁ ତା ସତ୍କାର ଓଡ଼ିଶାରାଜା ଗଜପତି ।

ତା ଦେଖି । କଞ୍ଚିକାବେରୀର ରାଜନ ।

ବିଚାରିଲା ମନେ ଏହାଙ୍କୁ କେଶନେ କରିବି ମୁଁ କନ୍ୟା ପ୍ରଦାନ ।୧।

 

ଏଡ଼େ ନୃପ ହୋଇ ମାହାରପରାଇଁ ମାର୍ଜନୀ ଧରି ପହରଇ ।

ଶୁଚି ହେବାପାଇଁ ଚନ୍ଦନ ମିଶାଇଁ ଜଳ ପୁଣି ତହିଁ ସିଞ୍ଚଇ ।

ଏପରି । ନୃପକୁ ଯେବେ କନ୍ୟା ଦେବି ।

ଜାଣନ୍ତି ସକଳେ ମୋତେ ନରପାଳେ ତାଙ୍କମୁଖେ ନିନ୍ଦା ଶୁଣିବି ।୨।

 

ଏମନ୍ତ ବିଚାର କରି ସେ ସତ୍ୱର ଆପଣା ଦେଶକୁ ଚଳିଲା ।

ଶ୍ରୀପୁରୁଷୋତ୍ତମ ଦେବଙ୍କ କରମ ଦେଖି ତାଙ୍କୁ କନ୍ୟା ନ ଦେଲା ।

କହିଲା । ଯିବାସମୟରେ ଏମନ୍ତ ।

ଏହି ଓଡ଼ିଶାର ନୃପତି ମାହାର ପରାଏ ହୁଅଇ ପ୍ରତୀତ ।୩।

 

କେ ରାଜା ମାର୍ଜନୀ ଧରି କରେ ପୁଣି ପହରି ସଲିଳ ସିଞ୍ଚଇ ।

ଏପାରି ନୃପକୁ ଦେଲେ ଦୁହିତାକୁ ରାଜକୁଳେ ନିନ୍ଦା ନେବଇଁ ।

ଏବାଣୀ । କହି ପ୍ରକାଶରେ ଚଳିଲା ।

ନିଜଦେଶେ ଯାଇ ମିଳି ଆନ ଠାଇ କନ୍ୟା ବିଭା ଦେବା ଭାଳିଲା ।୪।

 

ଶ୍ରୀପୁରୁଷୋତ୍ତମଦେବ ଏ ମରମଜନମୁଖେ ଶୁଣାପାଇଲେ ।

କାଞ୍ଚିକାବେରୀର ରାଜା କଳେବର ଆସି ଏଠାରେ ରହିଥିଲେ ।

କରିବା । ପାଇଁ ତୁମ୍ଭଙ୍କୁ କନ୍ୟାଦାନ ।

ଗୁଣ୍ଡିଚା ଦିନରେ ଦେଖି ରଥପରେ ଛରାପହରାର ବିଧାନ ।୫।

 

କହିଲା ମାହାର କର୍ମ ଏହାଙ୍କର କିପରି ମୁଁ କନ୍ୟା ଦେବଇଁ ।

ଶୁଣି ମୋ କୁଟୁମ୍ବ ଯେ ବନ୍ଧୁବାନ୍ଧବ ନିନ୍ଦିବେ ଏପରି ସେ କହି ।

ଫେରାଇ । ଘେନିଗଲା କନ୍ୟା ସଙ୍ଗରେ ।

ଶୁଣି ଏହା ପୁରୁଷୋତ୍ତମ ଯେ ଗୁରୁଚିନ୍ତାକୁ ଭଜିଲେ ରାଗରେ ।୬।

 

ଜଗନ୍ନାଥଦେବଙ୍କୁ ସେ ନରଧବ ମାନସରେ ଚିନ୍ତି କହନ୍ତି ।

ହେ ଦେବ ମୁଁ ତୁମ୍ଭ ଅନୁଗତ ଭାବ ନୁହଇ ଏ ମିଥ୍ୟା ଭାରତୀ ।

ରଥରେ । ଛରାପହରା ଦେଖି ମୋର ।

ସେ କାଞ୍ଚିରାଜନ ନିନ୍ଦିତବଚନ କହି କରି ବହୁ ଧିକ୍କାର ।୭।

 

ଆଣିଥିଲା ତାର ଯେ ସୁନ୍ଦରୀସାର ପଦ୍ମାବତୀ ନାମେ କୁମାରୀ ।

ସ୍ନେହରେ ଆମ୍ଭଙ୍କୁ ବିବାହ ଦେବାକୁ ତାକୁ ସଙ୍ଗେ ଘେନି ସେ ଫେରି ।

ଚଳିଲା । ନିଜରାଜ୍ୟେ କରି ଗରବ ।

ତାର ଅଭିମାନ କିପରି ଭଞ୍ଜନ ହୋଇବ ବେଗେ ତା କରିବ ।୮।

 

ଜିଣି କଳେବର ରାଜ୍ୟକୁ ତାହାର ସୁତା ପଦ୍ମାବତୀ ଯେ ଅଛି ।

ଦେବି ମାହାରକୁ ଆଣି ମୁଁ ତାହାକୁ ଏପରି ମାନସେ କରିଛି ।

ଏଥକୁ । ତୁମ୍ଭେ ମୋର ସବୁ ଭରସା ।

ନାକରେ କି ମହୀ ପାତାଳରେ କେହି ନାହାନ୍ତି ଦେବାକୁ ସୁଦଶା ।୯।

 

ଜଗନ୍ନାଥଙ୍କର ଆଗେ ନରବର ଶ୍ରୀପୁରୁଷୋତ୍ତମ ଦେବ ଯେ ।

ନିତି ଏହିପରି କରନ୍ତି ଗୁହାରି ହେବାକୁ ବାଞ୍ଛିତ ଧ୍ରୁବ ଯେ ।

ଏଅନ୍ତେ । କେତେକଦିନ ବହିଗଲା ।

ପୁଣି ଜ୍ୟେଷ୍ଠମାସ ପୂର୍ଣ୍ଣମୀ ଦିବସ ପରବେଶ ଆସି ହୋଇଲା ।୧୦।

 

ସେହି ଦିବସରେ ସ୍ନାନମଣ୍ଡପରେ ଦାଶରଥି ନାମେ ସୁଆର ।

ସେଟି ପ୍ରଭୁଙ୍କର ଭକତପ୍ରବର ଜାଣନ୍ତି ତାହା ଦାମୋଦର ।

କହନ୍ତି । ତାକୁ ଜଗନ୍ନାଥ ବଚନ ।

ସେ ଜାଣିପାରଇ ପ୍ରମୋଦ ଲଭଇ ନ ଶୁଣେ ତାହା ଆନକାନ ।୧୧।

 

ସ୍ନାନମଣ୍ଡପରେ ପ୍ରଭୁଙ୍କ ଆଗରେ ଧୂପ ଛେରାବଢ଼ା ସମୟେ ।

ନୃପତିସହିତେ ସକଳ ଅମାତ୍ୟେ ରହିଛନ୍ତି ଯେଝା ଆଶୟେ ।

ଏକାଳେ । ପାଚିଲା ନାରଙ୍ଗ ଗୁଡ଼ିଏ ।

ଜଗନ୍ନାଥଙ୍କର ପନ୍ତିରେ ସତ୍ୱର ବାଢୁଁ ସେ କହନ୍ତି ତା ନୋହେ ।୧୨।

 

ବୋଲନ୍ତି ଶ୍ରୀପତି ଶୁଣ ଦାଶରଥି ଜ୍ୟେଷ୍ଠ ଅଛନ୍ତି ବଳରାମ ।

ନ ଦେଇ ତାହାଙ୍କୁ ଦିଅ ଯା ଆମ୍ଭଙ୍କୁ ନୁହଇ ତ ଏହା ନିୟମ ।

ଏବେ ତା । ନେଇଁ ଦିଅ ତାଙ୍କ ପନ୍ତିରେ ।

ଶୁଣି ଦାଶରଥି ଘେନି ତା ତଡ଼ନ୍ତି ବାଢ଼ନ୍ତେ ରାମଙ୍କ ଆଗରେ ।୧୩।

 

ତାହା ଦେଖି ରାମ ଭାଇଠାରେ ପ୍ରେମ ବହି ଡାକି ଦାଶରଥିକି ।

କହନ୍ତି ଏଫଳ ନେଇ ତତକାଳ ଦିଅ ଆମ୍ଭ ସାନଭାଇଙ୍କି ।

ଶୁଣି ତା । ଦାଶରଥି ଘେନି ଚଳନ୍ତେ ।

ଦେଖି ଜଗନ୍ନାଥ କହନ୍ତି ତୁରିତ ଆମ୍ଭଙ୍କୁ ଦେବ ତା କେମନ୍ତେ ।୧୪।

 

ଏପରି ସେ ଦାଶରଥିଯେ ଆଦେଶ ପ୍ରଭୁଙ୍କର ମାନି ଵ୍ୟସ୍ତରେ ।

ଏଠାରେ ସେଠାରେ ନେଇ ଥୋଇବାରେ ନରପତି ଦେଖି କ୍ରୋଧରେ ।

ହୋଇଲେ । ରକତନୟନ ସେକାଳେ ।

କହେ କପିଳେଶ ପ୍ରଭୁର ଯେ ଦାସ ତାର କି ହୋଏ କାହାବଳେ ।୧୫।

Image

 

୯ମ ଛାନ୍ଦ । ରାଗ ବିଚିତ୍ରଦେଶାକ୍ଷ ।

(କ୍ରମେ ପ୍ରବେଶ ହୋଇଲା ଶରଦ ବୃତ୍ତେ ।)

 

ଜଗନ୍ନାଥ ବଡ଼ଠାକୁରେ ଯାହା ।

କହିଲେ ଏକା ଦାଶରଥି ତାହା ।

ଶୁଣିଲା ଭକତ ଥିବାରୁ ସେହି ।

ଜାଣି ନ ପାରନ୍ତେ ଆଉ ତା କେହି ।

ନରେଶ, ହୋଇ କୋପେ ଅନଳ ।

କହନ୍ତି ସେ କଟୁ ବାଣୀ ପ୍ରବଳ ।୧।

 

ଆହେ ଦାଶରଥି ମହାସୁଆର ।

ତୁମ୍ଭେ ଜାଣିବାରେ ହୋଇ ଚତୁର ।

ଭଙ୍ଗୀ କଲାପରି ପ୍ରମତ୍ତ ହୋଇ ।

କେତେକ କମଳା ଫଳକୁ ନେଇଁ ।

ଗରବ, ମନେ ବହି ଏପରି ।

ଏଣେ ତେଣେ କର କି କି ବିଚାରି ।୨।

 

ଆମ୍ଭେ ନରପତି ଅଛୁଁ ଏଠାରେ ।

ତୁମ୍ଭର ନୁହଇ ଭୟ ଚିତ୍ତରେ ।

ଏବେ ତାର ପ୍ରତିଫଳକୁ ପାଅ ।

କାରାବାସେ କିଛି ଦିବସ ଥାଅ ।

ତାପରେ, ହେଲେ ତୁମ୍ଭର ଜ୍ଞାନ ।

ମୁକତି ପାଇବ ନୁହଇ ଆନ ।୩।

 

କହି ଏହା ପ୍ରହରିଙ୍କି ଡକାଇଁ ।

ଦେଲେ ଦାଶରଥିକି ସେ ପଠାଇଁ ।

କହିଲେ ରେ ଶୁଣ ପ୍ରହରିମାନେ ।

ଏହାକୁ ରଖାଇଥିବ ଯତନେ ।

ଏ ବଡ଼ ଅଟେ ଖୁଣ୍ଟ ଚତୁର ।

ଜ୍ଞାନୀ ବୋଲି ଭଣ୍ଡେ କହି ମଧୁର ।୪।

 

ରାଜା ଆଜ୍ଞା ପାଇ ପ୍ରହରିଗଣେ ।

ଦାଶରଥିକି ସେ ନେଇ ତକ୍ଷଣେ ।

ବନ୍ଦିଘରେ ରଖି ଗାତେ ଜଗିଲେ ।

ପଳାଇ ଯିବ ବା ଏ ଭୟ କଲେ ।

ତା ଦେଖି ଦାଶରଥି ଆସନ ।

ଭିଡ଼ି ବସି କଲେ ପ୍ରଭୁଙ୍କୁ ଧ୍ୟାନ ।୫।

 

ଆସନ ଭୋଜନ ସକଳ ତେଜି ।

ଏକାସନେ ବସି ହରିଙ୍କି ଭଜି ।

କରନ୍ତି ଭାବନା ଆହେ ଈଶ୍ୱର ।

ମୁଁ ସଦାକାଳରେ ତୁମ୍ଭ କିଙ୍କର ।

ନ ଦେଖି ତବ ମୂରତି କେବେ ।

ନ ଛୁଇଁବି ଅନ୍ନ ଜଳ ଏ ଜୀବେ ।୬।

 

ଏହିପରି ବସି ତିନିଦିବସ ।

ଦାଶରଥି କିଛି ନ କରି ଗ୍ରାସ ।

କରନ୍ତେ ଶ୍ରୀ ଜଗନ୍ନାଥଙ୍କୁ ଧ୍ୟାନ ।

ତିନିଦିନ ରାତି ଯୋଗେ ସ୍ୱପନ ।

ଦେଖିଲେ, ଶୟନରେ ନୃପତି ।

ଏକ ବିପ୍ର ଆସି ତାହାଙ୍କ କତି ।୭।

 

କହନ୍ତି ହେ ନୃପ ବୁଝିଛ ତୁମ୍ଭେ ।

ଏକ ଚକ୍ରବର୍ତ୍ତୀ ଅଛ ଏ ଭବେ ।

ସେହି ଗର୍ବେ ନେଇ ଭକ୍ତକୁ ମୋର ।

ବନ୍ଦିଗୃହେ ରଖି ହୋଇଛ ସ୍ଥିର ।

ହେଲାଣି ତିନିଦିନ ତାହାର ।

ନାହିଁ ନିଦ୍ରା ଜଳପାନ ଆହାର ।୮।

 

ତାହାକୁ ନ ଦେଖି ଆମ୍ଭ ମନରେ ।

ନାହିଁ ସୁଖ ଅଛୁଁ ଉପବାସରେ ।

ତିନିଦିନ ହେଲା ଭୋଗ ଯେତେକ ।

ଦିଆ ଯାଉଅଛି ତା ଅରୁଚକ ।

ହେଉଚି ଏବେ ହେ ନରଗଣ ।

ଯାଇ ବେଗେ ଦାଶରଥିକି ଆଣ ।୯।

 

ସେ ଦେଉଥିଲା ଯା କମଳା ଫଳ ।

ଆମ୍ଭ ଦୁହିଁଙ୍କର କଥାରେ ଗୋଳ ।

ହୋଇଲା ମୁଁ ବୋଲେ ରାମଙ୍କୁ ଦିଅ ।

ସେ ବୋଲନ୍ତି ତାଙ୍କ ନିକଟେ ଥୁଅ ।

ଏପରି ଆମ୍ଭ ଦୁହିଁଙ୍କ କଥା ।

ମେଣ୍ଟି ନ ପାରି ସେ ପାଇଲା ବ୍ୟଥା ।୧୦।

 

ଏହା କହି ପ୍ରଭୁ ହେଉଁ ଅନ୍ତର ।

ନିଦ୍ରା ଭାଜିଗଲା ନୃପତିଙ୍କର ।

ଦେଖିଲେ ହୋଇଛି ଅର୍ଦ୍ଧ ରଜନୀ ।

ତତକ୍ଷଣେ ଯାଇ ସେ ନୃପମଣି ।

ମିଳିଲେ, ବନ୍ଦିପୁର ଦୁଆରେ ।

ଡାକୁଁ ସାବଧାନ ହୋଇ ଚାକରେ ।୧୧।

 

ପ୍ରତିହାରିମାନେ ଯେ ଆଜ୍ଞା କହି ।

ଉଭା ହେଉଁ ତାଙ୍କୁ ନୃପତି ଚାହିଁ ।

ପଚାରିଲେ କହ କେଉଁ ମନ୍ଦିରେ ।

ଥାନ୍ତି ଦାଶରଥି ମହାଶୁଆରେ ।

ଶୁଣି ତା, ଘେନି ରାଜାଙ୍କୁ ସଙ୍ଗେ ।

ସେମାନେ ଚଳିଲେ ସେଠାରୁ ବେଗେ ।।୧୨।

 

ଦାଶରଥି ଥିବା ପୁର କବାଟ ।

ଫିଟାଇଁ ଦିଅନ୍ତେ ଅବନୀରାଟ ।

ସେପୁରେ ପ୍ରବେଶ ଦେଖିଲେ ଧ୍ୟାନେ ।

ବସିଛନ୍ତି ଦାଶରଥି ଆସନେ ।

କରି ତା, ଦରଶନ ନରେଶ ।

ତାଙ୍କପାଦେ ପଡ଼ି କହନ୍ତି ଭାଷ ।୧୩।

 

ଆହେ ଦାଶରଥି ମହାସୁଆରେ ।

କରୁଣା ପ୍ରକାଶି ଏ ଅଧମରେ ।

ଅପରାଧ କରିଅଛି ମୁ ଯାହା ।

କ୍ଷମାକର ଦୟାମାନସେ ତାହା ।

ଏଠାରୁ ଚାଲ ଗୃହକୁ ଯିବ ।

ପ୍ରଭୁଙ୍କର ଦରଶନ କରିବ ।୧୪।

 

ଏହା କହି ଦାଶରଥିର କର ।

ଧରି ଘେନିଗଲେ ଅବନୀଶ୍ଵର ।

ବହୁମାନ୍ୟ କରି ମେଲାଣି ଦେଲେ ।

ବଡ଼ ଭକ୍ତ ବୋଲି ତାଙ୍କୁ ଜାଣିଲେ ।

କହଇ, କପିଳେଶ ଏ ଗିର ।

ଈଷ୍ଟଦେବବଳ କେଡ଼େ ବିଚାର ।୧୫।

Image

 

୧୦ମ ଛାନ୍ଦ । ରାଗ କେଦାର । ରସକୋଇଲାବାଣୀ ।

 

ସେହିଦିନଠାରୁ ଦାଶରଥିକି ।

ଶ୍ରୀପୁରୁଷୋତ୍ତମଦେବ କତିକି ।

ଡକାଇ ବିଶ୍ୱାସକଥା ପୁଚ୍ଛନ୍ତି ।

ପ୍ରଭୁଙ୍କୁ କହିବା ପାଇଁ ଜଣାନ୍ତି ସେ ।

କହନ୍ତି ଏମନ୍ତ ଗିର ଯେ ।

ବୋଲ ଈଶ୍ୱରଙ୍କୁ କାଞ୍ଚି ଜିଣିବାକୁ କରନ୍ତୁ ବେଗେ ବିଚାର ଯେ ।୧।

 

ଶୁଣି ଦାଶରଥି ହସି ଭାଷନ୍ତି ।

ତୁମ୍ଭଠାରେ ଦୟା କରି ଶ୍ରୀପତି ।

ଓଡ଼ିଶାର ଗଜପତିଆସନ ।

ଦେଇଛନ୍ତି ଯେବେ ହୋଇ ପ୍ରସନ୍ନ ସେ ।

ବାଞ୍ଛା ଫଳ କରିବେ ଯେ ।

ଏଥକୁ ମାନସେ ନ ବିଚାର ଲେଶେ ମନୋରଥ ପୂରାଇବେ ଯେ ।୨।

 

ଏହିପରି ଯାଉଁ କେତେକ ଦିନ ।

ନରପତି ହୋଇ ଅତି ବିମନ ।

ଦାଶରଥି ମହାସୁଆରଙ୍କର ।

ନିକଟେ କହିଲେ ଏରୂପେ ଗିର,

ସେ ଆହେ ଦାଶରଥି ଶୁଣ ଯେ ।

ନିନ୍ଦା କରି କାଞ୍ଚି ନରେଶ ଯାଇଛି ତାହା ହୋଇ ସୁମରଣା ଯେ ।୩।

 

ମରମ ଘାଣ୍ଟଇ ରଜନୀ ଦିନେ ।

ପ୍ରଭୁ ନ ଶୁଣନ୍ତି ମୋ ଡାକ କର୍ଣ୍ଣେ ।

ତୁମ୍ଭେ ତାହାଙ୍କର ବଡ଼ ଭକତ ।

ଜଣାଉଚି ଧରି ମୁଁ ତୁମ୍ଭହାତ ଯେ ।

କହି ପ୍ରଭୁଙ୍କୁ ମୋ ଦୁଃଖ ଯେ ।

କାଞ୍ଚିର ବିଜୟ କରାଇ ଉଦୟ କରାଅ ମାନସ ସୁଖ ଯେ ।୪।

 

ନରପତିଙ୍କର ବିଳାପ ଶୁଣି ।

କହନ୍ତି ଦାଶରଥି ସେହିକ୍ଷଣି ।

ଆଜରଜନୀରେ ପ୍ରଭୁଙ୍କୁ କହି ।

ତୁମ୍ଭ ମନୋରଥ ଦେବା ଫଳାଇଁ ଯେ ।

ନ କର ମାନସେ ଚିନ୍ତା ଯେ ।

ଶ୍ରୀ ଜଗନ୍ନାଥଙ୍କ କୃପାରୁ ଅଳୀକ ନୋହେ ହେବ ଜଗଜ୍ଜିତା ଯେ ।୫।

 

ଦାଶରଥି ଏକ କହି ନୃପଙ୍କୁ ।

ମେଲାଣି ହୋଇ ସେ ଗଲେ ଗୃହକୁ ।

ଏକାନ୍ତମନ୍ଦିରେ କରି ଆସନ ।

ଲଗାଇଲେ ଜଗନ୍ନାଥଙ୍କୁ ଧ୍ୟାନ ସେ ।

ନୃପତି ବାଞ୍ଛାପୂରଣେ ଯେ ।

ରଜନୀଅର୍ଦ୍ଧରେ ଭକତପାଶରେ ମିଳି ପ୍ରଭୁ ନିଜଗୁଣେ ଯେ ।୬।

 

କହିଲେ ହେ ଦାଶରଥି କାହିଁକି ।

ଚିନ୍ତା କରୁ ଆମ୍ଭେ ଜାଣୁ ନାହିଁକି ।

କାଞ୍ଚିକାବେରୀ ଜୟ ପାଇଁ ମୋର ।

କକ୍ଷା ହୋଇଅଛି ଏ ସତ୍ୟ ଗିର ଯେ ।

ନିନ୍ଦିଛି କାଞ୍ଚିରାଜନ ଯେ ।

ତାକୁ ଜିଣି ଆଣି ତା ଦୁହିତା ପୁଣି ଆସିବୁଁ ନିଜସଦନ ଯେ ।୭।

 

କହ ନୃପତିକି ଯାଇଁ ସହର ।

ଆମ୍ଭେ ଦୁଇଭାଇ ଘୋଡ଼ାସୁଆର ।

ହୋଇ ଗମନ ଯେ କରୁଛୁଁ ଆଗେ ।

ଏ ନିଶୀ ନ ପାହୁ ନରେଶ ବେଗେ ସେ ।

କରିବେ ଯାତ୍ରା କାଞ୍ଚିକି ଯେ ।

ଏଯାତ୍ରାରେ ଜୟ ହୋଇବ ନିଶ୍ଚୟ ବିଚାରିଥିବେ ମତିକି ଯେ ।୮।

 

ପଖାଳଅଭଡ଼ା ସୁରୁଯକାଞ୍ଜି ।

ଖାଇ ମାନସରେ ଈଷ୍ଟଙ୍କୁ ଭଜି ।

ଅନୁକୂଳେ ଆସି ଘରୁ ବାହାରି ।

ଦରଶନ ଦୁର୍ଗା ମାଧବ କରି ସେ ।

ଦେଉଳ ବାଡ଼ରେ ତହୁଁ ଯେ ଯିବେ ଚାଲି କାଞ୍ଚି ଜିଣିବାକୁ ପାଞ୍ଚି କିଛି ବିଚାରି ଆଉ ଯେ ।୯।

ଏହା କହି ପ୍ରଭୁ ହେଉଁ ଅନ୍ତର ।

ଚେତି ଉଠି ଖରେ ଦାଶସୁଆର ।

ଦେଖିଲେ ହୋଇଛି ଅର୍ଦ୍ଧରଜନୀ ।

ବାହାରିଲେ କିଛି ଭୟ ନ ଘେନି ସେ ।

ଯାର ପ୍ରଭୁ ଜଗନ୍ନାଥ ଯେ ।

ତାର ଭୟ କାହିଁ ହୋଇ କି ପାରଇ ନୋହେ ସେ କାହିଁରେ ଭୀତ ଯେ ।୧୦।

ଯାଇଁ ଦାଶ ମହାସୁଆର ଘରେ ।

ମିଳିକରି ରାଜସିଂହଦୁଆରେ ।

ଡାକନ୍ତେ ପାହାରୀ ଉଠି ବହନ ।

ପଚାରି ତାହାଙ୍କୁ କାରଣ ମାନ ସେ ।

ଯାଇଁ ରାଜା ନିକଟରେ ଯେ ।

କହିଲା ଦୁଆରୀ ଭିତରପାହାରୀ ଡାକି ପାଶକୁ ସତ୍ୱର ଯେ ।୧୧।

ଜଣାଅ ଛାମୁରେ ଦାଶ ସୁଆର ।

କିପାଁ ଆସିଛନ୍ତି ହେ ଦଣ୍ଡଧର ।

ସିଂହଦୁଆରେ ଉଭା ହୋଇଛନ୍ତି ।

କି କହିବେ ଭେଟ ହୋଇ ଜଣାନ୍ତି ସେ ।

ଏହା ଶୁଣି ସେ ଚଳିଲା ଯେ ।

ଶୟନମନ୍ଦିରେ ରାଜାଙ୍କ ପାଶରେ ସକଳ କଥା କହିଲା ଯେ ।୧୨।

ଦାଶରଥି ନାମ ଶୁଣି ରାଜନ ।

ପଲଙ୍କ ତେଜି ଉଠିଲେ ବହନ ।

ଯାଇଁ ବସି ଦେବାର୍ଚ୍ଚନ ପିଣ୍ଡାରେ ।

ପ୍ରତିହାରିକି କହିଲେ ସତ୍ଵରେ ସେ ।

ଦାଶସୁଆରଙ୍କୁ ବେଗେ ଯେ ।

ଅଣାଅ ଏଠାକୁ ନ ମାନି କାହାକୁ ଯାଅ ଏହି ଲାଗେ ଯେ ।୧୩।

ଶୁଣି ଯାଇ ପ୍ରତିହାରୀ ସତ୍ଵରେ ।

ଦାଶରଥିଙ୍କି ସେ ଘେନି ସଙ୍ଗରେ ।

ଆଣି ଭେଟାଇଲା ନୃପପାଶରେ ।

ଦେଖି ନରପତି ଅତି ତୋଷରେ ଯେ ।

ଧରି ଦାଶରଥି କର ଯେ ।

ବସାଇ ଆସନେ ପଚାରନ୍ତି ମାନ୍ୟେ କି ଆଜ୍ଞା ହେଲା ପ୍ରଭୁର ଯେ ।୧୪।

ଶୁଣି ଦାଶରଥି ରାଜାବଚନ ।

କହନ୍ତି ଆଜ୍ଞା କଲେ ଭଗବାନ ।

କାଞ୍ଚିକାବେରୀଟି ଜୟ ହୋଇବ ।

ତୁମ୍ଭ ମନବାଞ୍ଛା ସିଦ୍ଧି ପାଇବ ତ ।

ସନ୍ଦେହ ନାହିଁ ଏଥିରେ ଯେ ।

ବୋଲେ କପିଳେଶ ଈଷ୍ଟ ହେଲେ ତୋଷ କାର କି ନୋହେ କ୍ଷିତିରେ ଯେ ।୧୫।

Image

 

୧୧ ଛାନ୍ଦ-ରାଗ କାମୋଦୀ ।

 

କହନ୍ତି ଦାଶରଥି ଶୁଣ ଆହେ ନୃପତି ଏହା ନିଶୀରେ ଜଗନ୍ନାଥ ।

କହିଗଲେ ସେ ମୋତେ ଆମ୍ଭେ ରାମ ସହିତେ କାଞ୍ଚୀଜୟକୁ ମନୋରଥ ଯେ ।

କରିଅଛୁଁ । ଏଥିରେ ସଂଶୟ ନ ଧର । ଯିବା ପାଇଁକି ତତପର ।

ହେଉଅଛନ୍ତି ବଳଦେବ ମୁଁ ତତକାଳ ଯାଉଚି ନ ସହେ ଉଛୁର ଯେ ।୧।

ହୋଇବୁଁ ଆମ୍ଭେ ଦୁଇ କଳା ଧଳା ସିପାଇ ଚଢ଼ିବୁଁ ଧଳା କଳା ଘୋଡ଼ା ।

ଯାଉଅଛୁଁ ଆଗରେ ତୁମ୍ଭେ ନୃପସଙ୍ଗରେ ଆସିବ ବହୁସୈନ୍ୟ ଲୋଡ଼ା ଯେ ।

ନ କରିବ । କିଛି ସଇନ ସଙ୍ଗେ ଘେନି । ନ ପାଉଁ ଆଜର ରଜନୀ ।

କରିବ ଅନୁକୂଳ ଝାଇ କଞ୍ଜିପଖାଳ ତୁମ୍ଭସହିତେ ନୃପମଣି ଯେ ।୨।

ଆମ୍ଭର ଅବକାଶ ଦରଶନରେ ଆଶ ନ ରଖି ବେଢ଼ାମାଧବଙ୍କୁ ।

ପଥେ ଯିବା ବେଳରେ ମୋ ଦେଉଳବାଡ଼ରେ ଦେଖି ଦର୍ଶନ କରି ତାଙ୍କୁ ଯେ ।

ଶୀଘ୍ରେ ଯିବ । ଅବଶ୍ୟ କାଞ୍ଚୀ ଜୟ ହେବ । ଏଥିରେ ସଂଶୟ ନ ଭାବ ।

କହି ଏହା ଅନ୍ତର ହେଉ ପ୍ରଭୁ ସତ୍ୱର ଅଇଲି ବିଳମ୍ବ ନ ହେବ ଯେ ।୩।

ଶୁଣି ଏହା ରାଜନ ହୋଇ ପ୍ରମୋଦମନ ଯିବା ସମ୍ଭାର ସଜାଡ଼ିଲେ ।

ସୈନ୍ୟ ସଜଡ଼ାପାଇଁ ଆଜ୍ଞା ଦିଅନ୍ତେ ସେହିକ୍ଷଣି ଟମକ ଦିଆଇଲେ ଯେ ।

ତାହା ଶୁଣି । ସଇନ ହଁ ସୁସଜ୍ଜିତ । ଯେ ରାଜଗୁରୁ ପୁରୋହିତ ।

ଗଣକ ଚୂଡ଼ାମଣି ସହିତେ କି କି ମଣି ଆସି ହୋଇଲେ ଉପଗତ ଯେ ।୪।

ଭେଟ ହେଉଁ ନୃପତି ସେମାନଙ୍କୁ ତଡ଼ିତ ଯେଝା ମାନ୍ୟରେ ବସାଇଲେ ।

ତହୁଁ ଗଣି ଗଣକ କହିଲେ ଧୀରେ ବାକ୍ୟ ନରେଶ ଶୁଣ ଏହା ଭଲେ ଯେ ।

ଆଜି ଶୁଭ । ଦିବସ ନୋହେ କି ବିଚାରି । ଯାତ୍ରା କରୁଛ ଦଣ୍ଡଧାରୀ-

ଶୁଣି ନରେଶ ଭାଷେ ତା କିଛି ମୋର ପାଶେ ନ ବୋଲ ଅଛନ୍ତି ଶ୍ରୀହରି ଯେ ।୫।

ପ୍ରଭୁଙ୍କର ଆଦେଶ ହୋଇଛି ହେବ ଯଶ ଏଥିରେ ବାରଣ ନ କର ।

ଶୁଣି ସକଳେ ତୋଷ ଲଭି କଲେ ଅଶେଷ ଜୟ କରନ୍ତୁ ରମାବର ଯେ ।

ଏସମୟେ । ଯିବାସମୟ ଆସି ହୋଏ । ହୋଇଲେ ଆଦିତ୍ୟ ଉଦୟେ ।

ପ୍ରଭୁ ଆଜ୍ଞା ଲଙ୍ଘନ ହେବ ଭାବି ରାଜନ ମାନସ ନ ରଖନ୍ତି ଥୟେ ଯେ ।୬।

ଦାଶ ମହାସୁଆର ଆସି ମିଳୁଁ ସତ୍ୱର ଶ୍ରୀପୁରୁଷୋତ୍ତମ ନୃପତି ।

ଈଷ୍ଟ ଚିନ୍ତି ସଇନ ସଙ୍ଗେ ଘେନି ଗମନ କଲେ ଜୟରେ ରଖି ମତି ଯେ ।

ପ୍ରଭୁଆଜ୍ଞା । ଘେନି ନିୟମ ପାଳି ବେଗେ । କଲେ ଅନୁକୂଳ ସରାଗେ ।

ଦାଶସୁଆର ସଙ୍ଗେ ଗମିଲେ ରାଜମାର୍ଗେ ଦର୍ଶନ କରି ବେଢ଼ାଯୋଗେ ଯେ ।

ବିଜେ ପୁରୁଷୋତ୍ତମଦେବ ଇଛି ମହିମ କାଞ୍ଚୀକାବେରୀ ଜୟପାଇଁ ।

ହେ ଜନେ ଜଗନ୍ନାଥ ରାମ ଏ ବେନିଭ୍ରାତ ରାଜାଙ୍କୁ ଜୟ ଦେବାପାଇଁ ଯେ ।

କଳା ଧଳା । ଦୁଇଘୋଡ଼ାରେ ଦୁଇଭାଇ । ଯୁବା ସିପାଇବେଶ ବହି ।

ଗମନ୍ତେ ଆଗେ ପଥ ହେଲା ଯେଉଁ ତୁରିତ ବୁଝ ତା ଧୀରଚିତ୍ତ ହୋଇ ଯେ ।୮।

ସେହି ଦୁଇଟିପାଇ ବଳରାମ କହାଇ କାଳିଆ ଗୋରା ଦୁଇଭାଇ ।

କଳା ଧଳା ଘୋଡ଼ାରେ ବସି ଗମନ୍ତେ ଖରେ କେତେକ ଦୂରେ ହେଉଁ ଯାଇ ଯେ ।

ସେହିଠାରେ । ଦେଖିଲେ ଏକ ଗୋପାଳୁଣୀ । ସୁନ୍ଦରପଣେ ତାକୁ ପୁଣି ।

ସମ ନୋହିବେ କେହି ପାଖେ ପସରା ଥୋଇ ବିଜେ ଦଧିଆଦି ଲବଣୀ ଯେ ।୯।

ନାମ ମାଣିକୀ ତାର ସେହି ନିକଟେ ଘର ବୃଷଭବେହେରାର ଝିଅ ।

ବିଭା ହୋଇଚି ସେହିଗ୍ରାମେ ଦୂରେ ନ ଯାଇ ବିଜୁଳି ନିନ୍ଦଇ ତା ଦେହ ଯେ ।

ଗଉଡ଼ୁଣୀ । ଜାତି ହେଲେ ସେ କି ହୋଇବ । ତାଶୋଭା କେ ଅବା ବର୍ଣ୍ଣିବ ।

ନେତ୍ର ନୃତ୍ୟଖଞ୍ଜନ ଜିଣି ତହିଁ ଅଞ୍ଜନ ଦେଖିଲେ ଯୋଗାଯୋଗ ଯିବ ଯେ ।୧୦।

ନାସା ତିଳକୁସୁମ ଜିଣି ଅଛି ଦାଡ଼ିମ ସୁମନ ଗଞ୍ଜଚି ଅଧର ।

ତହିଁ ତାମ୍ବୁଳବୋଳ ଲାଗି ଅତି ଉଜ୍ଜ୍ୱଳ ରଦନ କେଡ଼େ ମନୋହର ଯେ । ସରୁକଟି ।

ଡମରୁ ଜିଣି ଦିଶେ ତାର । ମତ୍ତବାରଣ ଗମନର ।

ରୀତିକି ଦେଖି ହାରି ବନେ ଲୁଚନ୍ତି ଡରି ଏପରି ହୁଅଇ ବିଚାର ଯେ ।୧୧।

ଶିରେ ବାନ୍ଧିଛି ଜୁଡ଼ା ଦେଖିଲେ ଘରବୁଢ଼ା ହୋଇବ ଚିରଯୋଗିଙ୍କର ।

ହରଗଉରୀ ଶାଢ଼ୀ ପିନ୍ଧିଅଛି ସଜାଡ଼ି ପଣତ ଉଡ଼େ ଫରଫର ଯେ ।

ବାମକନ୍ଧେ । ପଡ଼ି ପୃଷ୍ଠେ ତା ଶୋଭାପାଏ । ଶାଢ଼ୀ ପାଇଚି ଆଣ୍ଠୁଯାଏ ।

ଜୂଡାରେ ଅଳଙ୍କାର ଥିବା ନୋହେ ଗୋଚର ଓଢ଼ଣା ତାର ଶିରେ ଥାଏ ଯେ ।୧୨।

ଭାଲରେ ମଥାମଣି ରବି ତେଜକୁ ଜିଣି ଦିଶଇ ଦୂରୁ ଝଟଝଟ ।

କାନରେ ମଲ୍ଲୀକଢ଼ୀ ଫିରିଫିରା ସଜାଡ଼ି ପିନ୍ଧିଚି ହୋଏ ପରକଟ ଯେ ।

କାନଫୁଲ । ମଦନଛାତିପରା ଦିଶେ । ଯୁବାଙ୍କୁ ମୋହି ନେବ ଲେଶେ ।

କଣ୍ଠରେ ସୋରିଷିଆ ଚାପସରି ଯେ ନୂଆ ନାନା ମାଳରେ ପରକାଶ ଯେ ।୧୩।

ହାତରେ ଖଡ଼ୁ ଚୁଡ଼ୀ ତହିଁ ରତନ ଜଡ଼ ତାର ରଙ୍ଗକୁ ସାଜିଅଛ ।

ଅଙ୍ଗୁଳିମାନଙ୍କରେ ମୁଦି ନାନା ପ୍ରକାରେ ପଥର ଥାଇ ବିରାଜୁଛି ଯେ ।

ଦୁଇପାଦେ । ପଟେ ପଟେ ଯେ ବଳା ଶୋହେ । ଶଵଦେ ଯୋଗୀଜନ ମୋହେ ।

ଜଗନ୍ନାଥଙ୍କୁ ଧ୍ୟାନ କରି ସେ ନିତିଦିନ ବଞ୍ଚଇ ନିଜସୁଖେ ଗୃହେ ଯେ ।୧୪।

ଦହି-ଦୁଧ ବେପାର ତାଙ୍କ କୁଳବେଭାର ଥିବାରୁ ତାହା ସେ କରନ୍ତି ।

ସେ ବିନା ଆନ ବୃତ୍ତି କିଛିହିଁ ନ ଜାଣନ୍ତି ଏପରି ତାହାଙ୍କର ଜାତ ଯେ ।

ସେ ମାଣିକୀ । ପଶରା ଘେନି ଯାଇ ମୁଣ୍ଡେ । ବିକଇ ବସି ରାଜଦାଣ୍ଡେ ।

କପିଳେଶ୍ୱର ଛନ୍ଦ କହଇ ଜନେ ଛନ୍ଦ ଛାଡ଼ି ଏହାକୁ ବୁଝ ଚାଣ୍ଡେ ହୋ ।୧୫।

Image

 

୧୨ଶ ଛାନ୍ଦ-ରାଗ କାମୋଦୀ ।

 

ଦିନେ ମାଣିକୀ ଗୋଇ ପ୍ରଭାତୁ ଉଠି ଯାଇଁ ଦୁଆରପାଖେ ଉଭା ହୋଇ ।

ଜଗନ୍ନାଥ ଦେଉଳ ଦିଗକୁ ଦେଇ ଡୋଳ ମସ୍ତକେ ଯୋଡ଼ି କରଦୁଇ ଯେ ।

ଦଣ୍ଡବତ । କରନ୍ତେ ପୁଣି ପୁଣି ସେହି । ସେକାଳେ ଏପରି ଦେଖଇ ।

ମାଛ ଧରି ଥଣ୍ଟରେ ଆକାଶରେ ଆଣ୍ଟରେ ଶଙ୍ଖଚିଲ୍ଲେକ ଉଡି ଯାଇଯେ ।୧।

ଉଚ୍ଚରେ ବେଦ ଗାଇଁ ବୃଦ୍ଧ ବ୍ରାହ୍ମଣେ ସେହିବାଟରେ ଶିଷ୍ୟ ସଙ୍ଗେ ଘେନି ।

ଯାନ୍ତେ ଦେଖି ମାଣିକୀ ଯୋଡ଼ି ଦୁଇ ପାଣିକି ହୋଇଁ ସେ ଅତ୍ୟନ୍ତ ଦଇନୀ ଯେ ।

ନମସ୍କାର । କରନ୍ତେ ତାକୁ ସେ ବ୍ରାହ୍ମଣ । ସନ୍ତୋଷ ଚିତ୍ତେ ସୁ କଲ୍ୟାଣ ।

କରି କହିଲେ ପୁଣି ଶୁଣଲୋ ଗୋପାଳୁଣୀ ହେଉ ତୋ ବାଞ୍ଛିତ ପୂରଣ ଯେ ।୨।

କଲ୍ୟାଣ କରି ବିପ୍ର ତହୁଁ ଚଳିଲେ କ୍ଷିପ୍ର ମାଣିକୀ ମନ୍ଦିରକୁ ଗଲା ।

ବାସି ଆଡ଼ତି ସାଚି ପାନ ଭୋଜନ କରି ପସରା ଘେନି ବାହାରିଲା ଯେ ।

ଦୁଧ-ଦହି । ଲବଣୀ ଗୋଟିକାଦି ଘେନି । ଶାଶୁ ନଣନ୍ଦ ବାକ୍ୟ ମାନି ।

ସ୍ୱଭାବେ ଧାର ସେହି କଳହ ନ ଜାଣଇ ନୁହଇ କିଛି ଅଭିମାନୀ ଯେ ।୩।

ନିତି ବିକିବାପାଇଁ ଯେତେବେଳେ ଗମଇ ମାଣିକୀ ବୋଝ ଘେନି ଶିରେ ।

ଶ୍ରୀଜଗନ୍ନାଥଙ୍କର ଦେଉଳ ତାଦୁଆର ଦାଣ୍ଡକୁ ଦିଶୁଁ ସେ ନେତ୍ରରେ ।

ଦେଖି ତାହା । ଜଗନ୍ନାଥଙ୍କୁ ଚିତ୍ତେ ଧ୍ୟାଇଁ । ତା ବୋଝେ ଯେତେ ଦୁଧ ଦହି ।

ଥାଏ ତାସବୁ ତହିଁ ପ୍ରଭୁଙ୍କୁ ସମର୍ପଇ ତହୁଁ ବିକିବାପାଇଁ ଯାଇ ଯେ ।୪।

ସେହିପରି ସେ ଦିନ ହୋଇ ହରସମନ ଦୁଧ ଦହି ଯା ବୋଝେ ଥିଲା ।

ଜଗନ୍ନାଥଙ୍କୁ ତାହା ସମର୍ପି ଯାଉଁ ଯାହା ଯାହା ସେ ବାଟରେ ଦେଖିଲା ଯେ ।

ସୁଶଙ୍କୁନ । ଶୁଣ ତା ଜନେ କହୁଛଇଁ । ଡାହାଣୁ ଶିବ ବାମେ ଯାଇଁ ।

ଖଣ୍ଡ ଦୂରରେ ରହିପୁଣି ଲେଉଟି ଚାହିଁ ଆପଣା-ଇଛାରେ ଗମଇ ଯେ ।୫।

ମୃଗ ବିପ୍ର ଦକ୍ଷିଣେ ଗମନ୍ତି ଏଣେତେଣେ ନକୂଳ ଗତି ଦେଖାଯାଏ ।

ଆଗରେ ଭରଦ୍ୱାଜ ପକ୍ଷୀ ଉଡ଼ଇ ବ୍ୟାଜ ନାହିଁ ଏକଥାରେ ଲିତାଏ ଯେ ।

ଏହିପରି । ଅନେକ ସୁମଙ୍ଗଳ ଚିହ୍ନ । କରି ମାଣିକୀ ଦରଶନ ।

ବିଚାରେ ଆଜି ମୋତେ ଶୁଭ ଘଟୁଚି କେତେ ଚମକେ ବାମ ଭ୍ରୁ ନୟନ ଯେ ।୬।

ଭଲ ବିକା ହୋଇବ ସୁଗ୍ରାହକ ମିଳିବ ଏପରି ବିଚାରି ଚଳିଲା ।

ତାଗ୍ରାମୁ କିଛିଦୂରେ ଯାଇଁ ରାଜପଥରେ ବସି ପସରା ସଜାଡ଼ିଲା ଯେ ।

ଏହିକାଳେ । ସଙ୍ଗ ଗୋପିକାମାନେ ଆସି । ମାଣିକୀ ନିକଟରେ ବସି ।

ନିଜ ପସରାମାନ ସଜାଡ଼ି ସେ ବହନ ହୋଇଲେ ଭାବେ ହସାହସି ଯେ ।୭।

ଏମନ୍ତ ସମୟରେ ମାଣିକୀ ଦେଖେ ଦୂରେ ଯୁବାସି ପାଇଁ ଦୁଇଜଣ ।

ରଙ୍ଗେ କାଳିଆ ଗୋରା ଦିଶନ୍ତି ଅତିତୋରା ଦେଖିଲେ ମାନସ ହରଣ ଯେ ।

ଯୁବତୀର । ହୋଇବ ଏ ମିଛ ନୁହଇ । ଚଢ଼ି ଅଛନ୍ତି ଘୋଡ଼ା ଦୁଇ ।

କଳା ଧଳା ସେ ଦୁଇ ଅଶ୍ୱ ତାହାଙ୍କୁ ଚାହିଁ ମାଣିକୀ ମନେ ବିଚାରଇ ଯେ ।୮।

ଧନ୍ୟ ଏ ଯୁବାଦୁଇ ଯେଉଁ ଅବଳା ଏହି ପୁରୁଷପାଣି ଧରିଥିବ ।

ତାର କି ଆଉ ଦୁଃଖ ତାସମେ କେବା ଲେଖ ଅବନୀମଧ୍ୟରେ ନ ଥିବ ଯେ ।

ହୋଏ ମନ । ସକଳ ସମ୍ପତ୍ତି ବରଜି । ଏହାଙ୍କ ପାଦେ ଥିବି ଭଜି ।

ଆହା କେଡ଼େ ଅମୃତଯୋଗ ହୋଇଥିଲାତ ଅଇଲାବେଳେ ଘରୁ ଆଜି ଯେ ।୯।

ପୁଣି ମାଣିକୀ ସେହି ଦୁହିଙ୍କି ସ୍ନେହେ ଚାହିଁ ଚିତ୍ତେ ଏପରି ବିଚାରଇ ।

ଏ ଦୁହେଁ ବଡ଼ଲୋକସୁତ ନୋହେ ଅଳୀକ ଭାବଭଙ୍ଗୀରୁ ଜଣାଯାଇ ଯେ ।

ଏହାଙ୍କୁ ମୁଁ । ଦୁଧ ଦହିରେ କଲେ ତୋଷ । ପୂରିବ ମୋର ଯେ ମାନସ ।

ମନେ ଏହା ବିଚାରି ଯାଇଁ ସେ ରାମହରି ନିକଟେ ହେଲା ପରବେଶ ଯେ ।୧୦।

ଧଳା ଘୋଡ଼ାରେ କଳା ସିପାଇ ବସି ଡୋଳା ବୁଲାଇଁ ଚାହିଁ ମନ୍ଦେ ହସି ।

ମାଣିକୀପାଖେ ଠିଆ ହୋଇଁ ଗୋପହଟିଆ ଶ୍ରୀ ରାଧାପ୍ରେମକୁ ମନାସି ଯେ ।

ତାକୁ ଚାହିଁ ପଚାରନ୍ତି ଗୋ ବେହେରାଣୀ । କି କି ପଦାର୍ଥ ଅଛ ଆଣି ।

ଶୁଣି ବୋଲେ ମାଣିକି ଇଛା ହେବ ଯହିଁକି ଦେବି କହିଲେ ପରିମାଣି ଯେ ।୧୧।

ତା ମନ୍ଦହାସମିଶା ପିକ ସୁସ୍ଵର ଭାଷା ଶୁଣି ପୁଛନ୍ତି ଜଗନ୍ନାଥ ।

କହ ତ ତୁମ୍ଭେ କାହିଁ ଜନମ ଥିଲ ହୋଇ କେଉଁ ଗ୍ରାମରେ ତୁମ୍ଭ ନାଥ ଯେ ।

ନାମ କିସ । ବହିଛ କହ ସବୁ କଥା । ଶୁଣି ମାଣିକୀ ପୋତି ମଥା ।

ପଣତପାଖେ ଟାଣି ଧରି କହଇ ବାଣୀ ମନ୍ଦହରଷମିଶା କଥା ଯେ ।୧୨।

ଆହେ ବୀର ନିକଟେ ଯେଉଁ ଗ୍ରାମ ପ୍ରକଟେ ସେଟି ଆନନ୍ଦପୁର ଗ୍ରାମ ।

ଗୋପାଳଙ୍କର ସାହୀ ମୋ ପିତା ଘର ତହିଁ ଜାତିରେ ଗଉଡ଼ ଜାଣିମ ଯେ ।

ନାମ ତାର । ବୃଷଭବେହେରା ଅଟଇ । ତାହାର ମୁଁ ଏକ ତନୟୀ ।

ନାମ ମାଣିକ ମୋର ତହିଁ ମୋପତି ଘର ଦୂରଦେଶକୁ ଯାଇ ନାହିଁ ଯେ ।୧୩।

ମୋ କାନ୍ତ ନିଶୀପତିନାମ ବେହେରା ଅତିସୁନ୍ଦର ରସିକ ଚତୁର ।

ନିଜବୃତ୍ତେ ସକଳେ ଗମନ୍ତି ଯଥାକାଳେ ଆମ୍ଭର ଗୋଇସବେଭାର ଯେ ।

ଗୁଣି ତାହା । କହ୍ନାଇ ମନେ ଗୋପପୁର । କଥା ପଡ଼ିଲା ବାରଂବାର ।

ତା ସଙ୍ଗେ ହାସରସ କଥା ହେଉଁ ସେ ଆଶ ଜାଣି ଅନ୍ତର ହଳଧର ଯେ ।୧୪।

କିଛିକ୍ଷଣ ଏପରି କଥା ହୋଇ ଶ୍ରୀହରି କହିଲେ ଦୁଧ-ଦହି କିଛି ।

ଥିଲେ ଦିଅ ଆମ୍ଭଙ୍କୁ ଦୁହିଁଙ୍କ ଭୋଜନକୁ ଭୋଖ ସମୟ ହୋଇଅଛି ଯେ ।

ଶୁଣି ତାହା । ମାଣିକୀ ଆନନ୍ଦିତ ହୋଇ । ତାଠାରେ ଯେତେ ଦୁଧ ଦହି ।

ଥିଲା ତା ତାଙ୍କ ପାଶେ ଦେଲା ଆଣି ହରଷେ କପିଳେଶ୍ୱର ଶୁଣିଛଇ ଯେ ।୧୫।

Image

 

୧୩ଶ ଛାନ୍ଦ-ରାଗ କଲ୍ୟାଣୀ ।

 

ଦହି ଦୁଧ ଘେନି ମାଣିକୀ ବେଗେ ।

ଉଭା ହୋଇ ରାମକୃଷ୍ଣଙ୍କ ଆଗେ ।

କହଇ ହେ ବୀରେ କି ନେବ ନିଅ ।

ଭାଉବଟା କରି କଉଡ଼ି ଦିଅ ।

ଶୁଣି ତା, ହସି ଦେଵକହ୍ନାଇ ।

କହିଲେ କଉଡ଼ି ଦେବୁଁତ ନାହିଁ ।୧।

 

ମାଣିକୀ ବୋଲଇ ଆଗତ ଖାଅ ।

ସୁଆଦ ଲାଗିଲେ କଉଡ଼ି ଦିଅ ।

ଶୁଣି ଜଗନ୍ନାଥ କହିଲେ ଠାରି ।

ବଡ଼ଠାକୁରଙ୍କୁ ଦେବା ବିଚାରି ।

ମାଣିକୀ, ତାହା ଜାଣି ପାରିଲା ।

ବଡ ସିପାଇଙ୍କ ପାଶକୁ ଗଲା ।୨।

 

ବୋଇଲା ହେ ବୀର ହେଲାଣି ଖରା ।

ଖାଅ ଦଧି ଆଣିଅଛି ପସରା ।

ଶୁଣି ରାମ କୃଷ୍ଣମରମ ଜାଣି ।

ଖାଇଲେ ସେ ଦୁଧ ଦଧି ଲବଣୀ ।

ଲଭି ସେ, ସନ୍ତୋଷକୁ କହିଲେ ।

ଦିଅ ଆର ସିପାଇଁକି ଯେ ବଳେ ।୩।

 

ଆଜ୍ଞା ପାଇଁ ବୋଝ ଘେନି ମାଣିକୀ ।

ଚଳିଲା କଳା ସିପାଇ କତିକି ।

ଜଗନ୍ନାଥଙ୍କର ନିକଟେ ମିଳି ।

ଦଧି ଦୁଧ ସବୁ ଘେନି ଗୁଆଳି ।

ଦିଅନ୍ତେ, ଟେକି କଳାସିପାଇ ।

ଖାଇଲେ ସନ୍ତୋଷେ ପେଟ ପୁରାଇ ।୪।

 

ଖାଇ ଅବଶେଷ ରହିଲା ଯାହା ।

ଘେନି କରେ କଳାସିପାଇ ତାହା ।

ଦୁହିଁଙ୍କ ଘୋଡ଼ାସହିସଙ୍କୁ ଡାକି ।

ଦେଉଁ ସେ ତା ଖାଇ ହୋଇଲେ ସୁଖୀ ।

ସେଠାରୁ । ଡାକି କହିଲେ ହରି ।

ମାଣିକୀର ନାମ ଉଚ୍ଚେ ଉଚ୍ଚାରି ।୫।

 

ଆଗୋ ବେହେରାଣୀ ।

ଯାଉଁଚୁ ଆମ୍ଭେ ।

ଏପଦାର୍ଥ ସବୁ ସମ୍ଭାଳ ତୁମ୍ଭେ ।

ଶୁଣି ତା ମାଣିକୀ କହଇ ଧୀରେ ।

ଦେଇ ଯାଅ ମୂଲ୍ୟ ଯା ହିସାବରେ ।

ହୋଇଲା, ଶୁଣି କଳାସିପାଇ ।

କହନ୍ତି ବାଣୀ ହସହସ ହୋଇ ।୬।

 

ଦେଲତ ଆମ୍ଭଙ୍କୁ ଖାଇବା ପାଇଁ ।

ଲଗାଇଛ ଲଟ ଏବେ କିପାଇଁ ।

ସିପାଇ ଖାଇଲ ଦିଅନ୍ତି ନାହିଁ ।

ନ ଜାଣକି ଏହା ଏବାଣୀ ଗୋଇ ।

ଶୁଣନ୍ତେ, ହୋଇ କାତର ଅତି ।

ବୋଲେ ହେ ବୀର ମୁଁ ଗୁଆଳି-ଜାତି ।୭।

 

ଶାଶୁ ନଣନ୍ଦରେ କରଇଁ ଘର ।

ଦଧି-ଦୁଧଆଦି କରେଁ ବେଭାର ।

ବିକା କିଣା କରି ତାହାଙ୍କୁ ଦେଇ ।

ରହି ଥାଏଁ ଘରେ ମୁଁ ବଧୂ ହୋଇ ।

ନ ଦେଲେ ତୁମ୍ଭେ ଦଧିର ମୂଲ ।

ମୋତେ ସଞ୍ଜତରେ ଘେନାଇ ଚାଲ ।୮।

 

ନୋହିଲେ ତ ଘରେ ରଖିବେ ନାହିଁ ।

କହିବେ ଅଇଲା କାହାକୁ ଦେଇ ।

ତହୁଁ ନାନା ଛିଦ୍ରମାନ ଖୋଜିବେ ।

ନିଶୀ ଦିବସରେ ମୋତେ ଗଞ୍ଜିବେ ।

ଏଥକୁ, ତୁମ୍ଭେ ବିଚାର କର ।

ଯେପରି ନୋହିବ କଳଙ୍କମୋର ।୯।

 

ଶୁଣି କାହ୍ନୁ ହସି ହସି କହନ୍ତି ।

କିମ୍ପାଇ ବିରସ ହୁଅ ଯୁବତୀ ।

ନାହିଁତ କଉଡ଼ି ଆମ୍ଭ ପାଶରେ ।

କି ଦେବୁଁ ଏଥକୁ କହ ବିଚାରେ ।

ନୋହିଲେ ବନ୍ଧା ଆମ୍ଭଙ୍କୁ ରଖ ।

କାହିଁ ପାଇଁ ତୁମ୍ଭେ ପାଇବ ଦୁଃଖ ।୧୦।

 

ଶୁଣି ତା ମାଣିକୀ କାମୁଡ଼ି ଜିଭ ।

କହଇ ମୋର କି ଏଡ଼େ ଗରବ ।

ଗଉଡ଼ୁଣୀ ହୋଇ ତୁମ୍ଭଙ୍କୁ ବନ୍ଧା ।

ରଖିବି କହ ଯା ଏବଡ଼ ନିନ୍ଦା ।

ଏପରି, ନାନା କଥା ହୋଇଲେ ।

ଶେଷେ ଅଙ୍ଗୁଳିରୁ ମୁଦି କାଢ଼ିଲେ ।୧୧।

 

କହିଲେ ଗୋ ଶୁଣ ମାଣିକୀ ଏହା ।

ରଖ ଆଶେ ବୁଝ କହୁଛୁଁ ଯାହା ।

ଆସୁଛନ୍ତି ପଛେ ଆମ୍ଭ ରାଜନ ।

ଘେନି ସଙ୍ଗେ ହାତୀ ଘୋଡ଼ା ସଇନ ।

ଆଗରେ, ଆମ୍ଭେ ଦୁହେଁ ଯଉଛୁଁ ।

ତୁମ୍ଭଆଗେ ଏହା ସତ କହୁଛୁଁ ।୧୨।

 

ତାହାଙ୍କୁ କହିବ ଏମୁଦି ଦେଇ ।

ଆଗେ ଗଲେ କଳା ଧଳା ସିପାଇ ।

କହିଛନ୍ତି ତୁମ୍ଭେ ସତ୍ୱର ଯାଅ ।

ଦେଇଛନ୍ତି ମୁଦି ଏହାକୁ ନିଅ ।

ଖାଇଲେ, ଦଧି ଦୁଧ ମୋହର ।

ଦିଅ ଯା କଉଡ଼ି ହେଲା ତହିଁର ।୧୩।

 

ଏ ମୁଦି ଦେଖିଲେ ସେ ନରପାଳ ।

ଦେବେ ତୁମ୍ଭ ମୂଲ୍ୟ କିଛି ନ ଭାଳ ।

ଯାଉଅଛୁଁ ଆମ୍ଭେ ହୋଏ ଉଛୁର ।

ଏହା କହିଁ ମୁଦି କରେ ତାହାର ।

ଦେଇଁ ସେ, ଘୋଡ଼ା ଚଢ଼ି ଚଳିଲେ ।

ଚାହୁଁ ଚାହୁଁ ଦୁହେଁ ଅଦୃଶ୍ୟ ହେଲେ ।୧୪।

 

ମାଣିକୀ ସେ ମୁଦି ଧରି ହସ୍ତରେ ।

ଦେଖାଇଲ ଥିଲେ ଯେ ତାସଙ୍ଗରେ ।

ସେମାନେ ତା ପରେ ଦେଖି ମୁଦିକି ।

କହିଲେ ତୁ ଧନ୍ୟ ଧନ୍ୟ ମାଣିକୀ ।

ସେ ବଡ଼ ଲୋକ ସିପାଇ ଜାଣ ।

ପାଇବୁ ତୁ ବହୁ ଧନ ପ୍ରମାଣ ।୧୫।

 

ସଙ୍ଗ ଗୁଆଳୀଙ୍କ ବଚନ ଶୁଣି ।

ମାଣିକୀ ମାନସେ ହୁଅଇ ଗୁଣି ।

ଆଜି ବହୁ ଶୁଭ ଦିଶୁଚି ମୋତେ ।

ଭଲ ଅନୁକୂଳ ହୋଇଛି କେତେ ।

କହଇ, କପିଳେଶ ଏଗାର ।

ମାଣିକୀ ଜନମ ସଫଳ ତୋର ।୧୫।

Image

 

୧୪ଶ ଛାନ୍ଦ-ରାଗ କନଡ଼ ।

 

ଶୁଣ ଜନେ ରାଜା ଶ୍ରୀପୁରୁଷୋତ୍ତମଦେବ ସଙ୍ଗେ ଘେନି ସଇନ ।

ଦିନେଦିନେ କରି ପଥ ଗମନ ।

ଯାଇଁ ସେ ଗୋପାଳୀ ଥିବା ସ୍ଥାନେ ମିଳି ଗଲେ ଖରେ ସେହିଦିନ ଯେ ।

ଦୁରରୁ । ରାଜସଇନଙ୍କୁ ଦେଖି ମାଣିକୀ ।

ବିଚାରଇ ସେ ରାଜା ଏ ହେବେ କି ।

କଳାସିପାଇଙ୍କ କହିବା ଛଟକ ଦିଶୁଅଛି ତ ଝଟକି ଯେ । ଏଠାରେ ।୧।

 

ବିଚାରି ଏମନ୍ତ ମାଣିକୀ ତୁରିତ ମୁଦି ଘେନି କରେ ଚଳିଲା ।

ଯାଇଁ ସଇନ ଆଗରେ ମିଳିଲା ।

କାହାନ୍ତି ରାଜନ କାହାନ୍ତି ରାଜନ ପୁଣିପୁଣି ପଚାରିଲା ସେ ।

ମାଣିକୀ । ତାର ଶୋଭାରେ ସକଳେ ମୋହିତ ।

ହୋଇ ହେଲେ ତା ପାଶେ ଉପଗତ ।

ପଚାରିଲେ ତାକୁ ତୁ କେଉଁ ରାଜାକୁ ଖୋଜୁଚୁ କହ ତା ସତ ଗୋ । ସୁନ୍ଦରି ।୨।

 

ମାଣିକୀ ଶୁଣି ତା କହଇ ଏକଥା କିଏ ଜାଣେ ମୋର ଏ ପ୍ରେମ ।

ଜାଣି ଜାଣି ମୁଁ କଲି କି କରମ ।

କେ କେଉଁ ରାଜନ ନ ଜାଣେ ଏମାନ ନ ବୁଝି ହେଲି ଭରମ ଯେ ।

ଏବେ ତ । କି କରିବି ଦିଶୁ ନାହିଁ ବିଚାର ।

ଏହା କହି ବୋଲେ ପୁଣି ଏ ଗିର ।

ଯେଉଁ ରାଜା ଏଥେଁ ଅଛନ୍ତି ତା ମୋତେ ଦେଖାଇ ଦିଅ ସତ୍ୱର ଯେ । ଦୟାରେ ।୩।

 

ଶୁଣି ତାହା କେହି ନୃପପାଶେ ଯାଇଁ ଜଣାଇଲା ଆହେ ମଣିମା ।

ମୁଁ ଯା ଜଣାଏଁ ବାରେ ତା ଶୁଣିମା ।

ଏକ ଯୁବାନାରୀ ଆଗରେ ଉଭାରୀ ହୋଇଚି ଧରି ଗାରିମା ଯେ ।

କହଇ । କହିଦିଅ ନରପତି କାହାନ୍ତି ।

କି କହିବ ସେ କେହି ନ ଜାଣନ୍ତି ।

ଶୁଣି ନରଈଶ ଡକାଇଲେ ପାଶ ଯେ ଶୁଆର ଦାଶରଥି ଯେ । ତାହାଙ୍କୁ ।୪।

 

ଘେନି ସଙ୍ଗେ ଦାଶରଥିଙ୍କି ନରେଶ ବିଜେ କଲେ ତହୁଁ ସତ୍ଵରେ ।

କିମ୍ପା ଯୁବତୀ ଖୋଜୁଚି ଏଠାରେ ।

ଆମ୍ଭ ପରିଚିତ କେ ଏଥେ ନାହିଁତ ଏପରି ପାଞ୍ଚ ଚିତ୍ତରେ ଯେ ।

ଚଳିଲେ । ଯାଇଁ ଖଣ୍ଡଦୂରୁ ଚାହିଁ ନୃପତି ଡାକି କହନ୍ତି ଆହେ ଦାଶରଥି ।

ଦେଖ ଏ ଯୁବତୀ କେଡ଼େ ଶୋଭାବତୀ ହାରିବେ ଶଚୀ ସାବିତ୍ରୀ ଯେ । ଏହାକୁ ।୫।

 

ଦାଶରଥି ତାକୁ ଚାହିଁ ନରେଶଙ୍କୁ କହନ୍ତି ବୁଝ ହେ ନୃପତି ।

ହେବ ପରା ଏ ଗୁଆଳୁଣୀ ଜାତି ।

ଶୁଣା ଯେଉଁ କଥା ବୃଷଭାନୁସୁତା ଏହାଠାରେ ତାଙ୍କ ରୀତି ଯେ ।

କେତେକ । ଦିଶୁଅଛି ଦେଖି କର ବିଚାର ।

ଯୁବା ଯୁବତି କି ଆନ ଜାତିର ।

ହୋଇ ବାଟ ଘାଟେ ରହି ଅକପଟେ କରିବ କିବା ବେଭାର ହେ । ନରେଶ ।୬।

 

ଏପରି ସେ ଦୁଇ କଥାଭାଷା ହୋଇ ଯାଇଁ ତାପାଶରେ ମିଳନ୍ତେ ।

ନରେଶଙ୍କୁ ଦେଖି ତହୁଁ ସମସ୍ତେ ।

ହୁଅନ୍ତେ ଅନ୍ତର ମାଣିକୀ ବିଚାର କଲା ଏପରି ତା ଚିତ୍ତେ ଯେ ।

ସେ କାଳେ । ହେବେ ନରେଶ ଏ ଆନ ନୁହଇ ।

ବୃଦ୍ଧବିପ୍ର ଜଣେ ସଙ୍ଗେ ଅଛଇ ।

ନୋହିଲେ କାହିଁକି ସକଳେ ତରକି ଏଠାରୁ ଯାନ୍ତେ ପଳାଇ ଯେ । ଇଛାରେ ।୭।

 

ବିଚାର ଏମନ୍ତ କରି ଦଣ୍ଡବତ ନରେଶଙ୍କୁ ଦାଶରଥିଙ୍କି ।

ଧୀରେ ବଚନ କହଇ ମାଣିକୀ ।

ଜାତି ଗଉଡ଼ୁଣୀ ମୁଁ କିଛି ନ ଜାଣି କହୁଁ ହୁଡ଼ିଲେ ତହିଁକି ଯେ ।

ମୋହର । ଦୋଷ ନ ଧରିବ ପାରି ପଣତ ।

ମାଗୁଅଛି ଏଥେଁ କେ ନରନାଥ ।

ମୋତେ ଚିହ୍ନା ଦିଅ ଗୁପତ ନ ହୁଅ ମାଣିକୀ କହୁଁ ଏମନ୍ତ ଯେ । ଶୁଣି ତା ।୮।

 

ଭାଷେ ଦାଶରଥି ଶୁଣ ଗୋ ଯୁବତୀ ଏ ନରନାଥ ନିଶ୍ଚେ ଜାଣ ।

ଏଥେ ସନ୍ଦେହ ମାନସେ ନ ମଣ ।

ତହୁଁ ସେ ମାଣିକୀ ଦେଖାଇ ମୁଦିକି ଏପରି କଲା ବଖାଣ ଯେ ।

ସେଠାରେ । କଳା ଧଳା ସିପାଇ ଦୁଇଜଣ ।

ଚଢ଼ିଛନ୍ତି ଧଳା କଳା ବାରଣ ।

କଳା ଧଳାରଙ୍ଗେ କେଡ଼େ ଶୋଭା ଅଙ୍ଗେ କରିଅଛନ୍ତି ଧାରଣ ଯେ । ସେ ଦୁହେଁ ।୯।

 

ହୋଇବ ପହରେ ଗଲେ ଏବାଟରେ ସଜେ ସହିସ ଦୁଇଛନ୍ତି ।

ନାମ ଉଦ୍ଧବ ଅକ୍ରୂର ବହନ୍ତି ।

ସିପାଇଙ୍କ ଘର ମଥୁରା ନବର ବୋଲି କହିଲେ ସେ ଏଥି ଯେ ।

ତାଙ୍କର । କାହ୍ନୁ ବଳରାମ ନାମ ଜାଣତ ।

ନନ୍ଦ ପିତା ଯଶୋଦା ତାଙ୍କ ମାତ ।

ଏହିରୂପେ ପରିଚୟ ଦେଇ କରି ବୁଝାଇ କହି ସମସ୍ତ ଯେ । ମୋଠାରୁ ।୧୦।

 

ଖାଇ ଦୁଧ ଦହି କଉଡ଼ି ନ ଦେଇ ଏ ମୁଦି ବନ୍ଧା ଦେଇ ଗଲେ ।

ରାଜା ଆସୁଛନ୍ତି ପଛେ ବୋଇଲେ ।

ଏ ମୁଦି ଦେଖାଇ ତାହାଙ୍କୁ ବୁଝାଇ କଉଡ଼ି ନେବୁ କହିଲେ ଯେ ।

ଚଞ୍ଚଳେ । ଗଲେ କଞ୍ଚିକାବେରୀ ଜୟ ପାଇଁ ।

ତୁମ୍ଭେ ବେଗରେ ଯିବାକୁ ଜଣାଇ ।

ଦେବାକୁ ସେ ମୋତେ କହିଥିଲେ ଏଥୁ କଥାଏ ମିଛ ନୁହଇ ହେ । ରାଜନ ।୧୧।

 

ମାଣିକୀକଥନ ଶୁଣନ୍ତେ ରାଜନ ମୁଦି ତାଠାରୁ ଘେନି କରେ ।

ବୋଇଲେ ହେ ଦେଖ ଦାଶସୁଆରେ ।

Unknown

ଏ ବିଚିତ୍ରକଥା କହୁଅଛି ଯା ତା ଶୁଣିଲେ ରୋମଟାଙ୍କୁରେ ହେ ।

ସୁଆରେ । ଦେଖ ଏ ମୁଦି ଅମୂଲ୍ୟ ରତନେ ।

ଜଡ଼ିଅଛି ଜାଣ କେଡ଼େ ଯତନେ ।

ଏ ମୁଦି କାହାର ଏ କି ସମାଚାର ଵୁଝା ଯାଉ ନାହିଁ ମନେ ହେ । ସୁଆରେ ।୧୨।

ଦାଶରଥି ମହାସୁଆର ଯେ ଏହା ଶୁଣି ହସି ହସି କହନ୍ତି ।

ତୁମ୍ଭଠାରେ ଦୟା କରି ଶ୍ରୀପତି ।

କାହ୍ନୁ ରାମ ହୋଇ ଆଗୁଆ ସିପାଇ କାଞ୍ଚିକାବେରୀ ଗମନ୍ତି ଯେ ।

ଏ ସତ । ଏହି ଗୋପାଳୁଣୀ ରାଧାଅଂଶରେ ।

ଜନମିଛି ବିଚାରେଁ ମାନସରେ ।

ସେ ଯୋଗୁଁ ଏହାର ଦଧି-ଦୁଧ-ସର ଖାଇଲେ ତୋଷଚିତ୍ତରେ ଯେ । ସେ ଦୁହେଁ ।୧୩।

ଜାଣିବା ପାଇଁକି ତୁମ୍ଭେ ଏ ମୁଦିକି ଦେଇ ଗଲେ ପ୍ରଭୁ ସଙ୍କେତ ।

ଏଥେଁ ଆନ ନ ବୁଝ ନରନାଥ ।

ଚିହ୍ନ ଏ ମୁଦିକି କେବେ ଦେଖିଛ କି ଏଥୁଁ ହୋଏ ପରତୀତ ଯେ ।

ମୋହର । ପୁଣି ରାମ କାହ୍ନୁ ନାମ ତାଙ୍କର ।

ଗୋପପୁରେ ଘର ନନ୍ଦକୁମର ।

ମାତା ଯଶୋବନ୍ତୀ କହି ଯାଇଛନ୍ତି କର ଏଥୁଁ ସୁଵିଚାର ହେ । ରାଜନ ।୧୪।

ଏପରି ସିପାଇ ତୁମରତ କେହି ନାହାନ୍ତି ଏହା ମୁଁ ଜାଣଇଁ ।

ଏଥିଯୋଗେ ଏପରି ବିଚାରଇଁ ।

ତୁମ୍ଭେ କି ବିଚାର କର ନରେଶ୍ୱର କହି ବୁଝି ତା ଚିତ୍ତୋଇଁ ହେ ରାଜନ ।

କହେ କପିଳେଶନନ୍ଦ ଏ ଗିର ।

ଆହେ ନରେଶ ବିଶ୍ୱାସ ତୁମ୍ଭର ।

ଯେପରି ଅଛଇ ତାର ଫଳ ଏହି ଆନ ମନରେ ନ ଧର ହେ । ରାଜନ ।୧୫।

Image

 

୧୫ଶ ଛାନ୍ଦ-ମଙ୍ଗଳ କାମୋଦୀ ।

 

ଚାହିଁ ନ ଚାହିଁଲାଯେ ଚିତ୍ତେ ଜନମାଇଁ ଲାଜ ।

ଦାଶରଥି ମହାସୁଆରଟି ଯାହା କହିଲେ ଶୁଣି ତା ନୃପ ।

ମାନସେ ବିଚାର କରି କଲେ ସ୍ଥିର ଏକଥା ଅଟେ ସ୍ୱରୂପ ।

ବାଣୀ ଭଣିଲେ ଯା । ଦାଶରଥି ଆନ ନୋହେ ।

କରୁଣା ମୋଠାରେ କରି ଯୁଝିବାରେ ଗଲେ ରାମକୃଷ୍ଣ ଦୁହେଁ ।୧।

 

ମୋର ଭାଗ୍ୟ କେଡ଼େ ମୋଠାରେ ଯେ ଏଡ଼େ କୃପା କରି ଜଗନ୍ନାଥ ।

ରାମଙ୍କ ସଙ୍ଗରେ ସିପାଇ ରଙ୍ଗରେ କାଞ୍ଚୀକି ଗଲେ ତୁରିତ ।

ଜୟ ଦେବାକୁ ଯେ । ମୋତେ ପ୍ରଭୁ ଗିରିଧର ।

ଜାଣୁଚି ଏ ମହୀମଣ୍ଡଳରେ ନାହିଁ ମୋ ସମେ ଭକ୍ତ ତାଙ୍କର ।୨।

 

ଏତେକ ଗରବ କରୁଁ ନରଧବ ଜାଣି ତାହା ଦେବ ହରି ।

ବିଚାରିଲେ ନରଈଶ ଅହଂକାର ବହିଚି ଦେବା ତା ସାରି ।

ଏଥୁ ଅନ୍ତରେ ଯେ । ସୁନା ହେ ଭକତ ଧୀରେ ।

ମାଣିକୀହାତରୁ ମୁଦି ନେଇ ଗରୁଭକତିରେ ତା ପାଶରେ ।୩।

 

ନରେଶ କହନ୍ତି ହେ ଗୋପଯୁବତୀ ତୁମ୍ଭ ଜନମ ସଫଳ ।

କେତେ ତପ କାହିଁ କରିଥିଲ ସେହି ପୁଣ୍ୟରୁ ଏଡ଼େ ମଙ୍ଗଳ ।

କଥା ତୁମ୍ଭଙ୍କୁ ଯେ । ହେଲା ସିନା ପରାପତ ।

ଯୋଗୀ ଯୋଗେ ଯାର ନ ଜାଣେ ସଞ୍ଚାର ତୁମ୍ଭର ହେଲା ସାକ୍ଷାତ ।୪।

 

ମୁଁ ବହୁକାଳରୁ ଭଜି ତାଙ୍କ ଗୁରୁଚରଣ ଚିହ୍ନ ନ ଦେଖି ।

ସବୁ ସୁଖ ଛାଡ଼ି ଚିନ୍ତାଜଳେ ବୁଡ଼ି ସର୍ବଦା ଅଛଇଁ ଦୁଃଖୀ ।

ଏବେ ମାଣିକୀ ଗୋ । ତୁମ୍ଭଙ୍କୁ ସେ ଦୟା କଲେ ।

ଯାହା ଛନ୍ତିଖାଇ ଛେନା-ଦୁଧ-ଦହି ମୁଦି ବନ୍ଧା ଦେଇ ଗଲେ ।୫।

 

ଆମ୍ଭେ ଜାଣିବାକୁ ଏପରି ଭାବକୁ ପରିଚୟ ଦେଇଛନ୍ତି ।

ରଖୁଅଛୁଁ ମୁଦି ଆମ୍ଭଠାରୁ ସାଧି ନିଅ କଉଡ଼ି ଯୁବତୀ ।

ଖାଇଅଛନ୍ତି ଯେ । ଯେତେ ଦୁଧ-ଦହି-ସର ।

ତହିଁର ଉଚିତ୍ତ ମୂଲ । କହ ସତ ଦେବୁଁ ତା ସବୁ ତୁମ୍ଭର ।୬।

 

ରାଜବାଣୀ ଶୁଣି ମାଣିକୀ ସେକ୍ଷଣି ଚେତି ବୋଲେ ମୁଁ କି କଲି ।

ମାଗିଥିଲେ ପଦେ ମୁଁ ପରମପଦେ ବସିଥାନ୍ତି ଭୁଲିଗଲି ।

ଧିକ ମୋହର ଯେ । ବୁଦ୍ଧିକି ହେଉ କି ଆଉ ।

ସେ ପ୍ରଭୁବଦନ କରି ଦରଶନ ତରିବି ତା ଦେବ କେହୁ ।୭।

 

ଏପରିରେ ଗୋଳ ହୁଅନ୍ତେ ଚହଳ ମାଣିକୀଗ୍ରାମ-ଗୋପାଳେ ।

ସକଳଚରିତ ଶୁଣି ହରଷିତ ହୋଇ ଆସି ତତକାଳେ ।

କଲେ ପ୍ରଣାମ ଯେ । ନରପତିଙ୍କ ପାଶରେ ।

ମାଣିକୀର ଗୁଣ କହୁଁ ନରରାଣ ଶୁଣି ମଜ୍ଜିଲେ ତୋଷରେ ।୮।

 

କହିଲେ ସେ ନରଈଶ ଯେବେ ବର ଦେବ ମାଗୁଅଛୁଁ ଶୁଣ ।

ରହିବ କୀରତି ଆମ୍ଭର ବସତି ପାଇଁ ଭୂମି ବିତରଣ ।

କର କେତେକ ଯେ । ଶୁଣି ରାଜା ମୋଦଭରେ ।

ଆଜ୍ଞା ଦେଲେ ଏହା ମାଣିକୀ ତୁ ଯାହା ମାଗିବୁ ଦେବି ସତ୍ୱରେ ।୯।

 

ଶୁଣି ରାଜାବାଣୀ ମାଣିକୀ ଯେ ଭଣି ହେ ପ୍ରଭୁ ମୁଁ ଗଉଡ଼ୁଣୀ ।

ମୋର ବୁଦ୍ଧି ନାହିଁ ଥିଲେ କିପାଁ ମୁହିଁ ସିପାଇ ଦୁହିଁଙ୍କି ଜାଣି ।

ତାଙ୍କ ପାଶରୁ ଯେ । ଇଛା ବର ନ ନିଅନ୍ତି ।

ସେପରି ସୁଯୋଗ ନାହିଁ ମୋତେ ଭୋଗ ମୁଁ ମୁଢ଼ ଗୁଆଳୀଜାତି ।୧୦।

 

ଆଜ୍ଞା କର ଏହା ଆହେ ନରନାହା ମୋ ଜାତିମାନଙ୍କୁ ଘେନି ।

ବୁଲିଯିବି ଯେତେ ଭୂମିକି ତା ମୋତେ ଦତ୍ତ କଲେ ଆଜ୍ଞା ଘେନି ।

ଘର କରିବୁଁ ଯେ । ସକଳ ଗୋପାଳେ ତହିଁ ।

ତୁମ୍ଭର କୀରତି ହେବ ଲୋକେ ଖ୍ୟାତି ସବୁଦିନେ ଥିବ ରହି ।୧୧।

 

ମାଣିକୀବଚନ ଶୁଣନ୍ତେ ରାଜନ କହିଲେ ଏକେତେ ଛାର ।

ମାଗିଲେ ମୁଁ ତୋର ହୋଇବି କିଙ୍କର ତୁ ନୋହୁ ସାମାନ୍ୟ ନର ।

ରାମକହ୍ନାଇ ଯେ । ତୋତେ ଦେଖା ଦେଇ ଗଲେ ।

ଦେଲୁ ପୁଣି ଯାହା ଖାଇଗଲେ ତାହା ତୋ ଜନମ ସାର୍ଥ କଲେ ।୧୨।

 

ନରେଶବାଣୀକି ଶୁଣି ସେ ମାଣିକୀ ରସନା ଚାପି ରୋଦନେ ।

ବୋଲେ ଆହେ ନରଈଶ ମୁହିଁ ଛାର ଗଉଡ଼ୁଣୀ ହୀନଜନେ ।

ହୋଇ ଗଣନା ଯେ । ବଞ୍ଚଇ ଜୀବିକା କରି ।

ଆପଣ ଯେପରି କହିଲେ ବାହାରିଯାଏ ଜୀବ ଶୁଣି କରି ।୧୩।

 

ଏହା କହି ବେଗେ ସୁମତିଙ୍କି ସଙ୍ଗେ ଘେନି ସେ ମାଣିକୀ ଗୋଇ ।

ଅଇଲା ସତ୍ଵରେ ମଣ୍ଡଳଆକାରେ କେତେ ସ୍ଥାନ ବୁଲିଯାଇ ।

ଦେଖି ନରେଶ ଯେ । ଆନନ୍ଦେ କହିଲେ ଏତେ ।

କଲୁ ଆମ୍ଭେ ଦିନ ତୁମ୍ଭଙ୍କୁ ଏସ୍ଥାନ ନ ଦେବ କର କିଞ୍ଚିତେ ।୧୪।

 

କୁଶଳ ତୁମ୍ଭର ହେଉ ଯାଅ ଘର କଲ୍ୟାଣ କର ଆମ୍ଭଙ୍କୁ ।

କାଞ୍ଚୀ ପରାଜୟ ପ୍ରଭୁଙ୍କ ସହାୟ ଘେନିକରି ସଦନକୁ ।

ଯାଉଁ ଶୁଭରେ ଯେ । ଶୁଣି ଜୟଧ୍ୱନୀ କଲେ ।

ସେଠାରେ ଯେ ଥିଲେ କପିଳେଶ ବୋଲେ ସକଳ ଆନନ୍ଦ ହେଲେ ।୧୫।

Image

 

୧୬ଶ ଛାନ୍ଦ-ରାଗ ଚୋଖୀ ସପନଚେତିଆବାଣୀ ।

 

ମାଣିକୀ ଜାତିଙ୍କି ଘେନି ବୁଲି ଅଇଲା ଅବନୀ ଯେତେକ ତହିଁରେ ସର୍ବ ଗୋପାଳେ ରହିଁ ।

ମାଣିକୀପାଟଣା ତାର ନାମ ଦେଲେ ନୃପବର ଆଜିଯାଏ ସେହିନାମ ଅଛଇ ରହିଁ ।

ଶୁଣ ଜନେ ତହିଁ ଉତ୍ତାରେ ।

ଶ୍ରୀ ପୁରୁଷୋତ୍ତମଦେବ ସୈନ୍ୟସଙ୍ଗରେ ।୧।

ଗମନ କରି ସତ୍ୱର ଯାଇଁ ସେ କାଞ୍ଚୀନଗର ନିକଟରେ ମିଳି ଖଣ୍ଡଦୂରେ ରହିଲେ ।

ଛାଉଣି କରି ସେଠାରେ ଦୂତ ପେଶିଲେ ସତ୍ଵରେ କାଞ୍ଚି ନରେଶ ନିକଟେ ସେ ଯାଇ ବୋଲେ ।

ଆହେ କଳେବର ରାଜନ ।

ଯାହା କହେଁ ଶୁଣ ନିବେଶି ମନ ।୨।

ଓଡ଼ିଶାର ନରଧବ ଶ୍ରୀ ପୁରୁଷୋତ୍ତମ ଦେବ ଆସିଛନ୍ତି ଯୁଦ୍ଧ କରିବାକୁ ବିଚାରି ।

କହ କରି ତା ନିଶ୍ଚୟ ଯୁଦ୍ଧ କରିବା ସମୟ ଶୁଣି ଭାଷେ କାଞ୍ଚୀପୁର ନୃପକେଶରୀ ।

ହେଉ ହେଲା ଉତ୍ତମ ଏହା ।

ଇଷ୍ଟଦେବ କଲେ ଥିଲା ମୋ ମନେ ଯାହା ।୩।

ଆରେ ଦୂତ ଯାଅ ତୁହି କହ ନୃପକୁ ବୁଝାଇ ଗଣପତି ପରଶନେ ମୁଁ ବଳିଆର ।

ଦେଖୁ ନାହିଁ ମୋତେ କେହି ଜିଣିମେ ସମରେ ରହି ତଥାପି ନିୟମ ହେଲା ଏହି ଆମ୍ଭର ।

ହାରିବ ଯେ ତା ଈଷ୍ଟଦେବ ।

ଜୟକଲା ନୃପଈଷ୍ଟପଛେ ରହିବ ।୪।

କାଲିପ୍ରଭାତୁଁ ସମର ହୋଇବ ଜିଣି ଏଥର ପୁରୁଷୋତ୍ତମଦେବକୁ ବାନ୍ଧି ରଖିବି ।

ନିଳାଚଳୁ ଜଗନ୍ନାଥ ସୁଭଦ୍ରା ରାମସହିତ ତିନିଦାରୁମୂରତି ଘେନାଇଁ ଆସିବି ।

ମୋର ଈଷ୍ଟ ଗଜବଦନ ।

ତାଙ୍କପଛେ ରଖାଇବି ନୋହିବ ଆନ ।୫।

ଶୁଣି ତା ଦୂତ ଚଳିଲା ଛାଉଣି ମଧ୍ୟେ ମିଳିଲା ପୁରୁଷୋତ୍ତମଦେବଙ୍କ ଛାମୁରେ ରହିଁ ।

କାଞ୍ଚୀନୃପ ଠାରୁ ଯାହା ଶୁଣିଥିଲା କାହୁଁ ତାହା ଶ୍ରବଣରେ ଓଡ଼ିଶାର ଅବନୀସାଇଁ ।

କୋପେ ହୋଇଁ ଅଗ୍ନିମୂରତି ।

କହିଲେ ଉଚ୍ଚରେ ଶୁଣ ହେ ଦାଶରଥି ।୬।

କାଞ୍ଚୀକଳେବରେଶ୍ୱର କରି ବଡ଼ ଅହଙ୍କାର ଆମ୍ଭଙ୍କୁ ରଖିବ ବାନ୍ଧି ପୁଣି ପ୍ରଭୁଙ୍କୁ ।

ନିଳାଚଳରୁ ଅଣାଇଁ ତା ଈଷ୍ଟ ଯେ ଗଣସାଇଁ ବିଚାରିଛି ତାଙ୍କପଛେ ରଖାଇବାକୁ ।

ଜଗନ୍ନାଥ ତାର ଗରବ ।

ଜାଣିଥାଅ ନିଶ୍ଚଏଁ କରିବେ ଖରବ ।୭।

ତହୁଁ ବୋଲେ ଦାଶରଥି ଶୁଣଶୁଣ ଗଜପତିନରେଶ ଏଥିକି କିଛି ଚିନ୍ତା ନ କର ।

ମାଣିକୀତ ଅଛି କହିଁ ରାମକୃଷ୍ଣ ବେନି ଭାଇ ଚଢ଼ି କଳା ଧଳା ଘୋଡ଼ା ହୋଇ ସୁଆର ।

ଆସିଛନ୍ତି ଆମ୍ଭଆଗରେ ।

କରିବ କେ କରୁ ଯୁଦ୍ଧ ତାଙ୍କ ସଙ୍ଗରେ ।୮।

ଏପରି ଅନେକ କଥାଭାଷା ହୋଇଗଲେ ଯଥାକାଳ କର୍ମ କରିବାକୁ ତହିଁଉତ୍ତାରେ ।

ସେନାପତିଙ୍କି ଡକାଇଁ କହିଲେ ବହୁ ବୁଝାଇଁ ସମର ହୋଇବ କାଲି ନିଶୀଶେଷରେ ।

ଜଗିରଖି ଯୁଦ୍ଧ କରିବ ।

ଯେପରି ଏଠାରେ ଆମ୍ଭହାର ନୋହିବ ।୯।

ଶୁଣି ନୃପଵାକ୍ୟ ସେନାପତିମାନେ ନିଜ ବାନା ଟେକ ରଖି ବହୁ ଆଡ଼ମ୍ବର ଦେଖାଇଁ ।

କହନ୍ତି ହେ ନରବର କାଲି ହୋଇଲେ ସମର ଦେଖିବ ଯେ ଆମ୍ଭମାନଙ୍କର ଲଢ଼ାଇ ।

ଏହିପରି କରି ଗାରିମା ।

କହିଲେ ଦେଖାଇଁ ନିଜନିଜ ମହିମା ।୧୦।

ତହୁଁ ଯେଝାସ୍ଥାନେ ଗଲେ ସୁଖେ ରଜନୀ ବଞ୍ଚିଲେ ହୁଅନ୍ତେ ପାହାନ୍ତି ନିଶୀ ନୃପ ଆଜ୍ଞାରେ ।

ଟମକ ଦିଆନ୍ତେ ସର୍ବେ ଉଠି ନିଜ ନିଜ ଭାବେ ସାରି ନିତ୍ୟକର୍ମ ଯୁଦ୍ଧ ପାଇଁ ସତ୍ଵରେ ।

ବୀରବେଶେ ହେଲେ ବାହାର ।

ଧରି କରେ କାଣ୍ଡ ଖଣ୍ଡା ଅସ୍ତ୍ରନିକର ।୧୧।

ଯାଇଁ ଯୁଦ୍ଧ ଅଗଣାରେ ମିଳନ୍ତେ ସେ ଅଗଣାରେ କାଞ୍ଚୀରାଜା ସୈନ୍ୟ ଆସି ତାଙ୍କ ସଙ୍ଗରେ ।

ଆରମ୍ଭ କଲେ ସମର କେ କାହାକୁ ବିନ୍ଧେ ଶର କେ କାହାକୁ ହାଣେ ଖଣ୍ଡା ଧରି ହସ୍ତରେ ।

କେ ପକାଇ ବାରଦ ଗୁଳି ।

ବିପକ୍ଷକୁ ଲାଖ କରି ଲାଛଇ ନଳୀ ।୧୨।

ଭାଲ ଧରି କେ ଭୁଷଇ କେ ଦୂରୁ କୁନ୍ତ ଫିଙ୍ଗଇ ବାଜଇ ସେ ଯାର ଅଙ୍ଗେ ସେ ଯମବାସେ ।

ଅତି ସତ୍ଵରେ ଗମଇ କେ ବରଛା ଧରି ଧାଇଁ ମାରେ ଯାକୁ ସେ ଭୂମିରେ ଜୀବନ ଶେଷେ ।

ଶୁଅଇ କେ ଧରି ଲଗୁଡ଼ା ।

ପ୍ରହାର କରନ୍ତେ ଭାଙ୍ଗେ ବିପକ୍ଷହାଡ଼ ।୧୩।

ହାତି ଘୋଡ଼ା ଓଟପରେ କେ କେ ବସି ସେ ସମରେ ଆପଣାର ତେଜ ଦେଖାଇ ସେ ଯୁଝନ୍ତି ।

କେ କେ ମାଲ ବିନ୍ଧାଣରେ ଲଢ଼ନ୍ତି ପ୍ରାଣପଣରେ ସୈନ୍ୟଗହଳରେ କେବା ଦଳି ହୁଅନ୍ତି ।

ଏହିପରି ଘୋର ସମର ।

ହେଉଁ ଅସ୍ତ ଶିଖରିକି ଗଲେ ମିହୀର ।୧୪।

କାଞ୍ଚୀପୁର ରାଜସୈନ୍ୟ ଜୟକୁ ଲଭ ସେ ଦିନ ଆନନ୍ଦ ମାନସେ ନିଜପୁରେ ଚଳିଲେ ।

ଦେଖି ତାହା ଗଜପତି ହୋଇ ସେ ବିରସମତି ନିଜ ଛାଉଣୀରେ ବସି ବିଳାପ କଲେ ।

କପିଳେଶ ନନ୍ଦ କହଇ ।

ହୋଇବ ଜୟ ଚିନ୍ତିତ ନୁହ ଗୋସାଇଁ ।୧୫।

Image

 

୧୭ଶ ଛାନ୍ଦ । ରାଗ କେଦାରକାମୋଦି ।

 

ହୁଅନ୍ତେ ପରାଜୟ ପୁରୁଷୋତ୍ତମ ।

ଦେଵନୃପତିଙ୍କର ମାନସେ ଭ୍ରମ ଯେ ।

ଜନମି ବିଚାରିଲେ ଏ କିସ ହେଲା ।

କି ଦୋଷେ ମୋର ଜୟପତାକା ଗଲା ଯେ ।୧।

କହୁଁଥିଲେତ ଦାଶରଥି ସୁଆରେ ।

ପ୍ରଭୁ ବିଜୟ କରି ଗଲେ ଆଗରେ ଯେ ।

ଚାଲ ଏ ଯୁଦ୍ଧେ ନିଶ୍ଚେଁ ଜୟ ହୋଇବ ।

ଯେ ଅଛି ତୁମ୍ଭ ମନବାଞ୍ଛା ପୁରିବ ଯେ ।୨।

ପୁଣିତ ବାଟେ ଆସୁଁ ଆସୁଁ ମାଣିକୀ ।

କହିଲା ଦେଖିଅଛି ମୁଁ ସିପାଇଙ୍କି ଯେ ।

ଖାଇ ତାଠାରୁ ଦୁଧ ଦହି ମୁଦିକି ।

ଦେଇଥିଲେତ ବନ୍ଧା ଏ ମିଛନିକି ଯେ ।୩।

କଳା ଧଳା ଘୋଡ଼ାରେ ଚଢ଼ି ସେ ଦୁଇ ।

ଗୋରା କାଳିଆରଙ୍ଗେ ସିପାଇ ହୋଇ ଯେ ।

କହିତ ଆସିଥିଲେ କେଣିକି ଗଲେ ।

କି ଦୋଷେ ମୋତେ ଆଜ ସେ ହରାଇଲେ ଯେ ।୪।

ଏପରି ନାନା କଥା କରି ବିଚାରି ।

ପାଶକୁ ଡାକି ଦାଶରଥି ସୁଆର ଯେ ।

ତାଙ୍କ ଆଗରେ ନେତ୍ରୁ ନୀର ବୁହାଇ ।

କହନ୍ତି ଅତି ଦୁଃଖେ ଅବନୀସାଇଁ ଯେ ।୫।

ଶୁଣ ହେ ଦାଶରଥି ମହାସୁଆରେ ।

କହିଥିଲେତ ପ୍ରଭୁ ତୁମ୍ଭ ଆଗରେ ଯେ ।

ହେବାକୁ ଜୟ କିମ୍ପା ହୋଇଲା ହାର ।

ଥିଲେତ ପ୍ରଭୁ ହୋଇ ଘୋଡ଼ାସୁଆର ଯେ ।୬।

ମାଣିକୀ ଗଉଡ଼ୁଣୀ କହିଲା ଯାହା ।

ବିଶ୍ୱାସ ନ କରିବ କେ ଶୁଣି ତାହା ଯେ ।

କାହିଁକି ପ୍ରଭୁ ମୋରେ ହେଲେ ନିରାଶ ।

ହାରିଗଲେ ମୁଁ ତାଙ୍କୁ ହେବ ଅଯଶ ଯେ ।୭।

ଶୁଣି ନରେଶବାଣୀ ସେ ଦାଶରଥି ।

ନୃପଙ୍କୁ ବହୁ ବୋଧ କରି କହନ୍ତି ଯେ ।

ନୁହ ବିମନ ଆହେ ନରଈଶ୍ୱର ।

ଅବଶ୍ୟ ଏଥେ ଜୟ ହେବ ତୁମ୍ଭର ଯେ ।୮।

ଶ୍ରୀ ଜଗନ୍ନାଥ ଆଜ୍ଞା ଦେଇ ଅଛନ୍ତି ।

ମିଥ୍ୟା କି ହୋଇଯିବ ତାଙ୍କ ଭାରତୀ ଯେ ।

ପୁଣିତ ଆସିଛନ୍ତି ହୋଇ ସିପାଇ ।

ମାଣିକୀ କହିବାରୁ ଜଣା ହୁଅଇ ଯେ ।୯।

କାହିଁକି ପରାଜୟ ଆଜି ହୋଇଲା ।

ତାର ମରମ କିଛି ଜଣା ନ ଗଲାଯେ ।

ଯାଉଁଚି ଲଗାଏଁ ମୁଁ ପ୍ରଭୁଙ୍କୁ ଧ୍ୟାନ ।

ଅବଶ୍ୟ ଜଣାଯିବ ତାର ବିଧାନ ଯେ ।୧୦।

ଏପରି କହି ଦାଶରଥି ଚଳିଲେ ।

ଏ କାନ୍ତସ୍ଥାନେ ଯାଇଁ ଧ୍ୟାନେ ବସିଲେ ଯେ ।

ଲୟ ଲଗାଇଁ କରୁ ପ୍ରଭୁଙ୍କୁ ଧ୍ୟାନ ।

ଯୋଗନିଦ୍ରାରେ ଦେଖାଗଲା ସ୍ୱପନ ଯେ ।୧୧।

ଜଗନ୍ନାଥ କହିଲେ ହେ ଦାଶରଥି ।

ମନେ ଗରବ କଲା ଓଡିଶାପତି ଯେ ।

ଭଗତ ବୋଲି ଯେଣୁ ତହିଁର ଫଳ ।

ହୋଇଲା ଏହା ଏବେ ଚିତ୍ତେ ନ ଭାଳ ଯେ ।୧୨।

କାଲି ସମରେ ନିଶ୍ଚେଁ ଜୟ ହୋଇବ ।

ପଦ୍ମାବତୀକି ଯୁଦ୍ଧଶେଷେ ପାଇବ ଯେ ।

ହାରି ପଳାଇଯିବ କାଞ୍ଚୀରାଜନ ।

ଅବଶ୍ୟ ଏହା ହେବ ନ ବୁଝ ଆନ ଯେ ।୧୩।

କହି ଏହା ଅନ୍ତର ହେଉଁ ଶ୍ରୀହରି ।

ଦାଶରଥି ତା ଶିରେ ସତ୍ୱର ଧରି ଯେ ।

ଆସନୁ ଉଠିଯାଇ ନରେଶପାଶେ ।

ଦେଖିଲେ ବସିଛନ୍ତି ନୃପ ବିରସେ ଯେ ।୧୪।

ଜୟ ହେଉ ଛାମୁର ଉଚ୍ଚରେ ଏହା ।

ଦାଶରଥି କହନ୍ତେ ସେ ନରନାହା ଯେ ।

ଉଠି ଆସନୁ କରି ତାହାଙ୍କୁ ମାନ୍ୟ ।

ବସାଇଲେ ନିକଟେ ଦେଇ ଆସନ ଯେ ।୧୫।

ରାଜାଙ୍କୁ ଦାଶରଥି କହନ୍ତି ହସି ।

କିମ୍ପା ବିରସ ହୋଇ ଅଛତ ବସି ଯେ ।

ବୋଲେ କପିଳେଶ୍ୱର ହେ ନରନାଥ ।

ହୋଇବ ଜୟ ଆଉ ନୁହ ଚିନ୍ତିତ ଯେ ।୧୬।

Image

 

୧୮ଶ ଛାନ୍ଦ । ରାଗ କାମୋଦି । ରୁକ୍ମିଣୀ-ଚଉତିଶା ବାଣୀ ।

 

ଦାଶରଥି କହନ୍ତି ଶୁଣ ଆହେ ନୃପତି ଛାମୁଙ୍କ ବିରସ ମୁଁ ଦେଖି ।

ଯାଇଁ ବସି ଏକାନ୍ତେ ଲୟେ ଧ୍ୟାନ କରନ୍ତେ ନିକଟେ ଆସି ପଦ୍ମଆଖି ଯେ ।

କହିଗଲେ । କାଲି ସମରେ ହେବ ଜୟ । ଏଥିପାଇଁ ।

ନ କର ଚିତ୍ତେ କିଛି ଭୟ ତାହାଙ୍କୁ ମୁଁ ଦେଖନ୍ତେ

ପଚାରିଲି ଦୁଃଖିତେ କିମ୍ପା ହୋଇଲା ପରାଜୟ ଯେ ।୧।

 

ପୁଣି କହିଲି ଏହା ହେ ପ୍ରଭୁ ତୁମ୍ଭେ ଯାହା କହିଥିଲ ତା ଆନ ହେଲା ।

ପୁଣିତ ତୁମ୍ଭେ ଦୁଇ ଭାଇ ହୋଇ ସିପାଇ ଥାଉଁ ବିପକ୍ଷ ଜୟ ନେଲା ଯେ ।

ଏଥୁଁ ବଳି । ବିପତ୍ତି ଆଉ ହୋଇବ କି । କାହାକୁ ବା ।

ପଚାରିବା ଏକଥା ଡାକି ।

ଶୁଣି ମୋର ଏ ବାଣୀ ହରଷେ ଚକ୍ରପାଣି ଉତ୍ତର ବିହିଲେ ତହିଁକି ଯେ ।୨।

 

ହେ ଦାଶରଥି ଶୁଣ ଆସନ୍ତେ ନରରାଣ ମାଣିକୀଠାରୁ ମୋ ବୃତ୍ତାନ୍ତ ।

ଶୁଣି ପାଇଁ ମୁଦିକି ବିଚାରିଲେ ବୃଦ୍ଧିକି କରାଇଁ ଅତ୍ୟନ୍ତ ଗର୍ବିତ ଯେ ।

ମୋହଠାରୁ । ବଳି ଭଗତ ପ୍ରଭୁଙ୍କର । ନ ଥିବେତ ।

ହେଉଚି ଏପରି ବିଚାର ।

ନୋହିଲେ କି ସିପାଇବେଶ ବହି ମୋପାଇଁ ଗମନ କରନ୍ତେ ସତ୍ୱର ଯେ ।୩।

 

ସେହି ଗରବଫଳେ ହାରିଗଲା ସେ ବେଳେ ଏବେ ବସିଚି ଚିନ୍ତା ବହି ।

ଯାଇଁ କହ ବୁଝାଇ କାଲି ଯୁଦ୍ଧରେ ମୁହିଁ ଯୁଝିବି କିପରି ରିଝାଇଁ ଯେ ।

ନରପତି । ବୁଝିବ ସିନା ସେହିକାଳେ । ଆମ୍ଭେ ଦୁହେଁ ।

ସୈନ୍ୟଙ୍କ ମଧ୍ୟେ ଯେତେବେଳେ ।

କରୁଥିବୁଁ ସମର ତା ନ ଜାଣିବେ ଆର ଦେଖିବ ତୁମ୍ଭେ ଦୁହେଁ ଡୋଳେ ଯେ ।୪।

 

ଏବେ କହ ନୃପକୁ ପ୍ରଭାତରୁ ଯୁଦ୍ଧକୁ ଯିବାପାଇଁକି ସାଜି ସୈନ୍ୟ ।

ଟମକ ଦିଆଇଲେ ବିପକ୍ଷ ଆସି ମିଳେ ସିନା ତା ଇଛାରେ ବହନ ଯେ ।

ଜୟ ପାଇଁ । ଅତି ଆନନ୍ଦେ ରହିଅଛି । ଏଥିଯୋଗେ ।

ନାହିଁ ତାହାର ଭୟ କିଛି ।

ପ୍ରଭୁ ଏମନ୍ତ କହି ଗଲେ ଅନ୍ତର ହୋଇ ଚେତି ମୁଁ ଏଠାକୁ ଆସିଛି ଯେ ।୫।

 

ଦାଶରଥିବଚନ ଶୁଣନ୍ତେ ସେ ରାଜନ କହିଲେ ହେ ମହାସୁଆରେ ।

ସତ ମାଣିକୀ ଯେବେ ସବୁ କହିଲା ତେବେ ମୁଦିକି ଘେନି ମାନସରେ ଯେ ।

ବିଚାରିଲି । ପ୍ରଭୁ ମୋ ପାଇଁ ଅସୁଆର । ହୋଇଛନ୍ତି ।

ସାମାନ୍ୟ ଭାଗ୍ୟ କି ମୋହର ।

ଜାଣୁଛି ଏ ଜଗତେ ଭକତ ଅବା ମୋତେ ସମ କେ ଛନ୍ତି ହୋଇ ଗାର ଯେ ।୬।

 

ଏତିକି ମାତ୍ର ହେବାରୁ ଅହଙ୍କାର ତହିଁର ଏ ଫଳ ଭୁଞ୍ଜିଲି ।

ଗର୍ବନାଶବାନା ତାଙ୍କର ଏକା ସିନା ଏବେ ମୁଁ ଶରଣ ପଶିଲି ଯେ ।

ଅପରାଧ । ଖଣ୍ଡନ କରି ମୋର ହରି । ଭୃତ୍ୟଠାରେ ।

କରୁଣା ଲେଶମାତ୍ର କରି ।

କାଞ୍ଚୀ ବିଜୟ ଦେଇଁ ଶତ୍ରୁମୁଖୁଁ ଜିଣାଇଁ କରନ୍ତୁ ଏଲଜ୍ଜାରୁ ପାରି ଯେ ।୭।

ପୁରୁଷୋତ୍ତମଦେବ କହିଁ ଏହା ଗୌରବ ଦାଶସୁଆରଠାରେ ରଖି ।

କରି ତାଙ୍କୁ ବିଦାୟ ହୋଇଁ ଚିତ୍ତେ ନିର୍ଭୟ ଚିନ୍ତାକୁ ମାନସୁଁ ଉପେଖି ଯେ ।

ଆନନ୍ଦରେ । ଭୋଜନ ସାରି ନିଦ୍ରା ଗଲେ । ପାତ୍ରମନ୍ତ୍ରୀ ।

ଶୁଣି ତା ସନ୍ତୋଷ ଲଭିଲେ ।

ଶୁଣ ଜନେ କାଞ୍ଚିର ସୈନ୍ୟ ଜିଣି ସମର ରଙ୍ଗେ ପତାକା ଉଡ଼ାଇଲେ ଯେ ।୮।

ଗଡ଼େ ପଶନ୍ତେ ସେହ୍ନା ନୃପତି ହୃଷ୍ଟମନା ହୋଇଲେ ଜୟ ଶ୍ରବଣରେ ।

ଯାଇ ଈଷ୍ଟ ଦେବତା ଗଜମୁଖଙ୍କୁ ଯଥା ଵିଧାନେ ନାନା ଉପହାରେ ଯେ ।

ପୂଜାକରି । କହଇ କଳେବରେଶ୍ୱର ।

ଆହେ ଦେବ । ଗଣେଶ ମୁଁ ତୁମ୍ଭ କିଙ୍କର ।

ଓଡ଼ିଶାନୃପ ହାରି ଯୁଦ୍ଧରେ ଆଜି ଫେରି ଯାଇଚି କୃପାରୁ ତୁମ୍ଭର ହେ ।୯।

କାଲି ପ୍ରଭାତେ ଯାଇଁ ସୈନ୍ୟ ବେଢ଼ କରାଇଁ ପୁରୁଷୋତ୍ତମ ନରେଶକୁ ।

ଧରିଆଣି ତୁମ୍ଭର କରାଇବି କିଙ୍କର ପଣି ତାପଛେ ଓଡ଼ିଶାକୁ ଯେ ।

ଯାଇଁ ବେଗେ । ଦାରୁମୂରତି ତିନିଆଣି ।

ତୁମ୍ଭପଛେ । ରଖାଇବି ଏ ସତ୍ୟବାଣୀ ।

ଏପରି ବହୁସ୍ତୁତି କରିସେ ନରପତି ଅଇଲା ପୁରକୁ ସେକ୍ଷଣି ଯେ ।୧୦।

ଜୟ ହୋଇଛି ବୋଲି ନୃପ ଗରବେ ଫୁଲି ନାନାଉତ୍ସବ କରାଇଲା ।

ସୁଖେ ସକଳେ ନିଶୀ ବଞ୍ଚିଲେ ନେତ୍ରେ ଆସି ନିଦ୍ରା କାହାର ନ ଲାଗିଲା ଯେ ।

ଚାହୁଁ ଚାହୁଁ । ରଜନୀ ହୋଇଁ ଗଲା ଶେଷ ।

କାଞ୍ଚୀପୁର । ସଇନମାନେ ଲଭି ତୋଷ ।

ଯିବାକୁ ଯୁଦ୍ଧପାଇଁ ସଜ ହୁଅନ୍ତେ ଏହି ସମୟେ ଶୁଭେ ବାଦ୍ୟଘୋଷ ଯେ ।୧୧।

ଓଡ଼ିଶାରାଜସୈନ୍ୟ ଯୁଦ୍ଧକୁ ଆଗମନ କରିବା କଥା ଦୂତ ଆସି ।

କହନ୍ତେ କଳେବର ନରେଶ ଶୁଣି ଗିର କହଇ ଉଚ୍ଚରବେ ହସି ଯେ ।

କି ବୋଳିବି । ଓଡ଼ିଶାରାଜା ବୁଦ୍ଧିହୀନ ।

ନୋହିଲେ କି । ଯୁଦ୍ଧକୁ କରନ୍ତା ସେ ମନ ।

କାଲି ଯାଇଁଚି ହାରି ପାଇଁ ନାହିଁ ସର୍ବରୀ ପୁଣି ଯା ସାଜିଛି ସଇନ ଯେ ।୧୨।

ଏପରି ସେ ଅନେକ କହିଁ ଭର୍ତ୍ସନାବାକ୍ୟ ସୈନ୍ୟଙ୍କୁ ସଜ୍ଜାଇଁ ତୁରିତେ ।

ନିଜେ ଆଗୁଆହୋଇଁ ଯୁଦ୍ଧକୁ ବାହାରଇ କିଛିହିଁ ଶଙ୍କା ନାହିଁ ଚିତ୍ତେ ଯେ ।

ଗତ ଦିନ । ହୋଇଥିବାରୁ ଜୟ ତାର ।

ମନେ ମନେ । କରଇ ଏପରି ବିଚାର ।

ଆଜି ରାଜାକୁ ବାନ୍ଧି ଆଣି କରିବି ବନ୍ଦି ରକ୍ଷା କେ କରିବ ତାହାର ଯେ ।୧୩।

ବିଚାରି ଏହା ମନେ ସୈନ୍ୟସଙ୍ଗେ ବହନେ ଯାଇଁ ସମରସ୍ଥାନେ ମିଳି ।

ଯୁଝନ୍ତେ ଓଡ଼ିଶାର ସଇନେ ବଳିଆର ହୋଇ ତା ସୈନ୍ୟଙ୍କୁ ଓଗାଳି ଯେ ।

ଯୁଦ୍ଧ କରୁଁ । କ୍ରମରେ କାଞ୍ଚୀପୁର-ଲୋକେ ।

ବାଣଘାତେ । ପଶି ନ ପାରି ତାଙ୍କପାଖେ ।

ଦେଖୁ ଦେଖୁ ପଳାଇଁ ଗଡ଼େ ପଶିଲେ ଯାଇଁ ନ ରହିଁ ଯୁଦ୍ଧର ସମ୍ମୁଖେ ଯେ ।୧୪।

ସୈନ୍ୟ ପଛେ ନୃପତି ସଙ୍ଗରେ ଦାଶରଥି ସୁଆରଙ୍କୁ ସେ ଘେନି ଥିଲେ ।

ବଳ ଆଗେ ଦେଖିଲେ ଦୁଇ ସିପାଇ ଭଲେ କାଳିଆ ଗୋରା ମିଶିଗଲେ ଯେ ।

ରିପୁବଳେ । କଳା ଧଳା ଘୋଡ଼ାରେ ବସି ।

ନୃପ ତାଙ୍କୁ । ଅନାଇଁ ଦେଇଁ ହେଲେ ତୋଷୀ ।

କହେ କପିଳେଶ୍ୱର ଚିହ୍ନ ହେ ନୃପବର ସେ ପ୍ରଭୁ ନୀଳାଚଳବାସୀ ଯେ ।୧୫।

Image

 

୧୯ଶ ଛାନ୍ଦ-ରାଗ ବରାଡ଼ି-ଆଷାଢ଼ଶୁକଳବାଣୀ ।

 

ଶୁଣ ଜନେ କାଞ୍ଚୀସଇନ ରଣେ ।

ହାରି ପଳାଇଁ ଯାଉଁ ଏଣେ ତେଣେ ।

ଓଡ଼ିଶାରାଜାର ସଇନ ଲୋକେ ।

ଗୋଡ଼ାଇଁ ମାରନ୍ତି ତାପତରକେ ।

ଯହିଁ ରାମ ହରି ।

ଯୁଝନ୍ତି ତହୁଁ କେ ନ ଯିବ ହାରି ।୧।

 

ଏହା ଦେଖି କଳେବର ନରେଶ ।

ସୈନ୍ୟଭଙ୍ଗେ ହୋଇଁ ହୀନସାହସ ।

ପଳାଇଁ ଯାଇଁ ଈଷ୍ଟଦେବ ପାଖେ ।

କରନ୍ତେ ନିବେଦନ ମନଦୁଃଖ ।

ହାରିଯିବା କଥା ।

ଶୁଣି ତା କହିଲେ ବାରଣମଥା ।୨।

 

ଶୁଣ କଳେବର ନରଈଶ୍ୱର ।

କାଲି ଜୟ କରାଇଲି ତୋହର ।

ଆଜି ଯୁଦ୍ଧରେ ରାମ ଜଗନ୍ନାଥ ।

ଯୁଝନ୍ତି ତାଙ୍କୁ ଦେଖି ହେଲି ଭୀତ ।

ସେ ସୃଷ୍ଟିକାରଣ ।

କରିବ କେ ତାଙ୍କ ସଙ୍ଗରେ ରଣ ।୩।

 

ସେହି ଜଗନ୍ନାଥ ବ୍ରହ୍ମା ହୁଅନ୍ତି ।

ପ୍ରଳୟହୁଅନ୍ତେ ଜଗତ କରନ୍ତି ।

ନାରାୟଣରୂପେ ତାକୁ ପାଳନ୍ତି ।

ରୁଦ୍ରରୂପ ଧରି ପୁଣି ନାଶନ୍ତି ।

ଏପରି ଯେ ହରି ।

ତାଙ୍କୁ ଜିଣିବ କେ ଶରୀର ଧରି ।୪।

 

ଏବେ ଯାଇଁ ତାଙ୍କ ଶରଣ ହୁଅ ।

ନୋହିଲେ କୁଟୁମ୍ବ ଘେନି ପଳାଅ ।

ଆଜିଯାଏ ଥିଲୁ ଦୁର୍ଜୟ ହୋଇଁ ।

ଏଣିକି ଆଉ ମୋର ବଳ ନାହିଁ ।

ଶୁଣି କାଞ୍ଚୀନାଥ ।

ସେଠାରୁ ପଳାଇଲା ହୋଇଁ ଭୀତ ।୫।

 

ନାରୀଦୁହିତାଙ୍କୁ ଘେନି ସଙ୍ଗରେ ।

ପଳାଇଁ ଯାନ୍ତେ ବନକୁ ବେଗରେ ।

ଜାଣି ତାହା ରାମ କଳାକହ୍ନାଇ ।

ନୃପର ପ୍ରତିଜ୍ଞା ରଖିବା ପାଇଁ ।

କେତେକ ସିପାଇ ।

ଘେନି ତାହାଙ୍କୁ ଓଗାଳିରେ ଯାଇଁ ।୬।

 

ରାଜା ପଳାଇଁଗଲେ ପ୍ରାଣଡ଼ରେ ।

ରାଣୀ ପଦ୍ମାବତୀ ପଡ଼ିଲେ ଘେରେ ।

ରାଜସୁତାକୁ ସେଠାରୁ ଘେନାଇ ।

ଅଇଲେ ରାଣୀ କି ସେ ଛାଡ଼ିଦେଇ ।

ପାଶେ ନୃପଙ୍କର ।

ପଦ୍ମାବତୀକି ଦେଲେ ଲସକର ।୭।

 

ଶ୍ରୀ ପୁରୁଷୋତ୍ତମଦେବ ନରେଶ ।

ପଦ୍ମାବତୀକି ଦେଖି ହୋଇ ବଶ ।

କହିଲେ ଏ କନ୍ୟା ଜାତି ପଦ୍ମିନୀ ।

ଅଛି ଅଙ୍ଗେ କେତେ ଲକ୍ଷଣ ଘେନି ।

ଲି ହେବ ହୋଇଲେ ।

ଚଣ୍ଡାଳକୁ ଦେବା ଏଠାରୁ ନେଲେ ।୮।

 

ଏହା ବିଚାରି ଓଡ଼ିଶାରାଜନ ।

ମନ୍ତ୍ରୀଙ୍କି ପାଶେ ଡକାଇଁ ବହନ ।

ବୋଇଲେ ତୁମ୍ଭେ ଏ କନ୍ୟାକୁ ନିଅ ।

ବିଚାରି କେଉଁ ଚଣ୍ଡାଳକୁ ଦିଅ ।

ଏଣିକି ଆମ୍ଭର ।

ଅଧିକାର ନାହିଁ ହେଲା ତୁମ୍ଭର ।୯।

ଶୁଣି ମନ୍ତ୍ରୀ ଯେ ଆଜ୍ଞା ବୋଲି କହିଁ ।

ରଖାଇଲା ପଦ୍ମାବତୀକି ନେଇ ।

ଆଜ୍ଞା ଦେଲା ପରିଚାରେ ଡକାଇଁ ।

ଓଡ଼ିଶାରାଣୀ ହୋଇବେଟି ଏହି ।

ଏହାଙ୍କୁ ଯତନେ ।

ରଖିବ କିଛି ନ କହି ବଚନେ ।୧୦।

ମନ୍ତ୍ରୀ ବଚନ ଶୁଣି ପଦ୍ମାବତୀ ।

ଶୋକଗଦଗଦେ ବାଣୀ କହନ୍ତି ।

ଆହେ ମନ୍ତ୍ରୀ ମୋ କପାଳରେ ଏହା ।

ଅଛି କି ଆଜ୍ଞା ଦେଲ ତୁମ୍ଭେ ଯାହା ।

ମୋର ଭାଗ୍ୟ କାହିଁ ।

ଓଡ଼ିଶା-ନୃପତି-ରାଣୀ ହେବଇଁ ।୧୧।

କରିଛନ୍ତି ରାଜା ନିୟମ ବଡ଼ ।

ମୋତେ ଚାଣ୍ଡାଳକୁ ଦେବେ ଏ ଦୃଢ଼ ।

କେବଳ ତୁମ୍ଭେ ପିତା ମାତା ମୋର ।

ଆଉ ଭରସା ପ୍ରଭୁ ଚକ୍ରଧର ।

ଏହା କହିଁ ଶୋକ ।

କରୁଁ ସେ ମନ୍ତ୍ରୀ ଭାଷେ ଧୀରେ ବାକ୍ୟ ।୧୨।

ନ କର ଗୋ ପଦ୍ମାବତୀ କ୍ରନ୍ଦନ ।

ଜାଣ ଥିବାଯାଏ ମୋର ଜୀବନ ।

ତୁମ୍ଭଙ୍କୁ ଚଣ୍ଡାଳ ହାତେ କେ ଦବ ।

ପ୍ରଭୁଙ୍କ କୃପାରେ ରାଣୀ ହୋଇବ ।

ଏହା କହିଁ ତାଙ୍କୁ ।

ସତ୍ଵରେ ଆସି ଭେଟିଲା ନୃପଙ୍କୁ ।୧୩।

ତେଣେ କାଞ୍ଚୀ ସୈନ୍ୟ ଯାନ୍ତେ ପଳାଇଁ ।

ଓଡ଼ିଶା ପାଇକେ କୁହାଟିଦେଇଁ ।

ମାରି ଶୂନ୍ୟଚିରା ଫରି କମ୍ପାଇଁ ।

ନୃପଙ୍କ ନିକଟେ ମିଳି ଵିନୋଇ ।

କହିଲେ ଭାରତୀ ।

ହେ ଦେବ ହାରିଗଲା କାଞ୍ଚୀପତି ।୧୪।

ଶୁଣି ଗଜପତି ହରଷ ହେଲେ ।

ଦାଶରଥିଙ୍କି ସଙ୍ଗରେ ଘେନିଲେ ।

ଆସି ଛାଉଣିରେ ବେଗେ ମିଳିଲେ ।

ପ୍ରଭୁଙ୍କୁ ବହୁ ପ୍ରଣାମ ସେ କଲେ ।

କହେ କପିଳେଶ ।

ହେ ନୃପ ତୁମ୍ଭର ବଡ଼ ବିଶ୍ୱାସ ।୧୫।

Image

 

୨୦ଶ ଛାନ୍ଦ-ରାଗ ରଣବିଜେ ହରିଚଉତିଶାବାଣୀ ।

 

ହେଉଁ କାଞ୍ଚୀପୁର-ଜୟ ନରେଶ୍ୱର ଶ୍ରୀ ପୁରୁଷୋତ୍ତମଦେବ ।

ହୋଇ ଚିତ୍ତେ ତୋଷୀ ଛାଉଣୀରେ ବସି କହନ୍ତି ସୈନ୍ୟଙ୍କୁ ଜବ ହେ ।

ବୀରେ । କାଞ୍ଚୀନୃପ ପଳାଇଁ ଭୟରେ ।

ଯାଇଁ ଲୁଚିଅଛି ଅରଣ୍ୟରେ ହେ ।୧।

ଯାଇଁ ତୁମ୍ଭେ ବେଗେ ଆଣ ନେବା ସଙ୍ଗେ ତା ଈଷ୍ଟ ଗଣନାଥଙ୍କୁ ।

ଜଗନ୍ନାଥଙ୍କର ପଛରେ ମନ୍ଦିର କରି ରଖାଇବା ତାଙ୍କୁ ଯେ ।

ଆଉ । ଯାହା ପାଇବ ଯେ ତାହା ନେଉ ସେ ।

ନ ଆଣିବ କାର ଝିଅ ବୋହୁ ଯେ ।୨।

ଉତ୍ତମ ଦେବତା ମୂର୍ତ୍ତି ଦେଖିଲେ ତା ଆମ୍ଭପାଇଁ ଘେନିଆସ ।

ଶୁଣି ସୈନ୍ୟମାନେ ଆନନ୍ଦିତ ମନେ ଗମିଲେ ପାଇ ହରଷ ଯେ ।

କାଞ୍ଚୀ । ପୁରେ ପଶିଲେ ମନସେ ପାଞ୍ଚୀ ଯେ ।

କେହି ନ ରହେ ପଛକୁ ଘୁଞ୍ଚି ଯେ ।୩।

ଓଡ଼ିଶାର ସୈନ୍ୟ ଯାଇଁ ସେ ବହନ କାଞ୍ଚୀ ନୃପ ଈଷ୍ଟଦେବ ।

ଗଣେଶଙ୍କୁ ଖରେ ଘେନାଇଁ ଯେଠାରେ ଥିଲେ ଓଡ଼ିଶାର ଧବ ଯେ ।

ତହିଁ । ଆଣି ରଖିଲେ ନିଃଶଙ୍କ ହୋଇଁ ଯେ ।

ଦେଖି ତୁଷ୍ଟ ହେଲେ ନରସାଇଁ ଯେ ।୪।

ମନ୍ତ୍ରୀଙ୍କି ଡକାଇଁ କହିଲେ ବୁଝାଇଁ ଏହାଙ୍କୁ ଯତନେ ନେବା ।

ଜଗନ୍ନାଥଙ୍କର ପଛରେ ମନ୍ଦିର କରାଇଁ ତହିଁ ରଖିବା ଯେ ।

ଏହା । ପ୍ରକାଶରେ କହୁଁ ନରନାହା ଯେ ।

ମନ୍ତ୍ରୀ ବୋଲଇ କରିବା ତାହା ଯେ ।୫।

କଥାଭାଷା ଏହିପରି ହେଉଁ ତହିଁ କେତେକ ସଇନ ଆସି ।

ସୁଲକ୍ଷଣ ଅତି ଗୋପାଳମୂରତି ସଙ୍ଗେ ଘେନି ହସି ହସି ଯେ ।

ବାଣୀ । କହିଲେ ହେ ଶୁଣ ନୃପମଣି ଯେ ।

ନେବା ଏହାଙ୍କୁ ଅଛୁଁ ତ ଆଣି ଯେ ।୬।

ଦେଖି ନରପତି ଲଭି ତୋଷମତି ଗୋପାଳ ଗଣେଶ ଦୁଇ ।

ମୂରତି ସଙ୍ଗରେ ଘେନାଇଁ ରଙ୍ଗରେ ଓଡ଼ିଶାକୁ ଯିବାପାଇଁ ଯେ ।

ଇଛା । କଲେ ପୂରିବାରୁ ମନବାଞ୍ଛା ଯେ ।

ହେଲା ଯୁଦ୍ଧତ ମନ ମୁରୁଛା ଯେ ।୭।

ଜୟ ପରଦିନ ସକଳ ସଇନ ଲୁଟି ଦ୍ରବ୍ୟ ଆଦିଘେନି ।

ଶକଟ ବଳଦେ ଲଦାଇଁ ପ୍ରମୋଦେ ମନେ କରି ରାଜଧାନୀ ଯେ ।

ବେଗେ । ଅନୁକୂଳ ସେ କଲେ ସରାଗେ ଯେ ।

ଦାଶରଥି ଛନ୍ତି ସଙ୍ଗେ ସଙ୍ଗେ ଯେ ।୮।

ଶ୍ରୀ ପୁରୁଷୋତ୍ତମଦେବ ଚିତ୍ତେ ପ୍ରେମ ବହି ଈଷ୍ଟଦେବ ଚିନ୍ତି ।

ସଇନ ଘେନାଇ ଦିନେ ଦିନେ ଯାଇ ନ କରି ମାନସେ ଭୀତି ଯେ ।

ତୋଷେ । ଯାଇ ମିଳିଲେ ଆପଣାଦେଶେ ଯେ ।

ପଥ-ନୃପେ ପୂଜିଲେ ବିଶେଷେ ଯେ ।୯।

ଶ୍ରୀ ପୁରୁଷୋତ୍ତମଦେବ ନିଜଧାମ ରାଜଧାନୀରେ ରହିଲେ ।

ଜଗନ୍ନାଥଙ୍କର ପଛେ ବିଘ୍ନହରଦେବଙ୍କୁ ରଖାଇଁ ଦେଲେ ଯେ ।

ତହିଁ । ତୁରିତରେ ମନ୍ଦିର କରାଇଁ ଯେ ।

ସତ୍ୟବାଦୀରେ ଗୋପାଳ ରହିଁ ଯେ ।୧୦।

ଶୁଣ ସେ ଗୋପାଳଙ୍କର କଥା ଠୁଳଭାବେ ଏଥେଁ କହିଁଥାଁଇଁ ।

ବିପ୍ରଜଣଦୁଇ ବାରାଣଶୀ ଯାଇଁଥିଲେ ତୀର୍ଥସ୍ନାନ ପାଇଁ ଯେ ।

ତହିଁ । ଏକ ଶାସନୀ ବିପ୍ର ଅଟଇ ଯେ ।

ଅରଜଣକତ ପଣ୍ଡା ଥାଇଁ ଯେ ।୧୧।

ସେହି ବିପ୍ରଦୁଇ ଏକସ୍ଥାନେ ରହିଁ ପ୍ରୀତିଭାବେ ଚଳୁଥାନ୍ତି ।

ଶାସନୀ ରୋଗରେ ପଡ଼ନ୍ତେ ପୀଡ଼ାରେ ଆସନରୁ ନ ଉଠନ୍ତି ଯେ ।

ସେହି । ସମୟରେ ପଣ୍ଡା ପାଖେ ଥାଇଁ ଯେ ।

ତାଙ୍କୁ ସର୍ବଦା ସେବା କରଇ ଯେ ।୧୨।

ପୀଡ଼ା କିଛିଦିନେ ଉଣା ହେଉଁ ମନେ ସନ୍ତୋଷ ଲଭି ବ୍ରାହ୍ମଣ ।

କହିଲେ ପଣ୍ଡାକୁ ତୋତେ ଦୁହିତାକୁ ବିବାହ ଦେବି ମୁଁ ଜାଣ ରେ ।

ବାବୁ । କାହାକଥାକୁ ତୁ ନ ଶୁଣିବୁରେ ।

ମୋର ବାଣୀ ଚିତ୍ତେ ଘେନିଥିବୁରେ ।୧୩।

ଗୋପାଳ ମନ୍ଦିର ଭିତରେ ଏଗିର କହିଁ ସେ ଦେବଙ୍କୁ ସାକ୍ଷୀ ।

କରି ଦୁହେଁ ଗଲେ ନିଜପୁରେ ହେଲେ ମାନସରେ ହୋଇଁ ସୁଖୀ ଯେ ।

ତହିଁ । କେତେଦିନ ଯହୁଁ ଗଲା ବହିଁ ଯେ ।

ପଣ୍ଡା କନ୍ୟା ମାଗୁଁ ତାକୁ ଯାଇଁ ଯେ ।୧୪।

ନ ମାନନ୍ତେ ବିପ୍ର ପଣ୍ଡା ଯାଇଁ କ୍ଷିପ୍ର ଗୋପାଳଙ୍କୁ ସାକ୍ଷୀ ଆଣି ।

ହେଲା ବିଭା ତାହାକନ୍ୟାକୁ ଯେ ଏହା ଜନବାଦେ ଅଛି ଶୁଣି ହେ ।

ଜନେ । ଈଷ୍ଟଦେବଙ୍କୁ ଭଜ ସୁମନେ ହେ ।

କପିଳେଶ ନଭଜଇ ଦିନେ ହେ ।୧୫।

Image

 

୨୧ଶ ଛାନ୍ଦ-ରାଗ ପଞ୍ଚମବରାଡ଼ୀ ବିପ୍ରସିଂଘା ବାଣୀ ।

 

ପଦ୍ମାବତୀକି ଘେନାଇଁ ମନ୍ତ୍ରୀ ମିଳି ପୁରେ ଯାଇଁ ଡାକି ପାଶେ ନିଜନାରୀ ସୁତା ।

କହଇ ଶୁଣ ମୋ ବାଣୀ ନ ହୋଇବେ ପାଟରାଣୀ ମୋ ଜୀବିତେ ଏ ନୋହିବ ବୃଥା ଯେ ।

ଜଗନ୍ନାଥ । ଦେବ ବଳରାମଙ୍କ ସଙ୍ଗରେ ।

ଯୁଦ୍ଧ କରି ବୀରଙ୍କ ରଙ୍ଗରେ ।

ଏହାଙ୍କୁ ଆଣି ଧରାଇଁ ନୃପ ପାଶେ ଛନ୍ତି ଦେଇଁ ରଖିବାକୁ ପ୍ରତିଜ୍ଞା ଲୋକରେ ଯେ ।୧।

 

ନୋହିଲେ ପ୍ରଭୁଙ୍କ କୃପା କାଞ୍ଚୀନରପତି କିମ୍ପା ହାରିଯାଇଁ ପଶନ୍ତେ ବନରେ ।

ତାଙ୍କସଙ୍ଗେ ମାତା ସୁତା ପଳାଇଁ ଯାଉଁଟି କେ ତା ଓଗାଳି ରଖିଲା ସେ ପନ୍ଥାରେ ଯେ ।

ଏହା ଶୁଣି । ପଦ୍ମାବତୀ କହନ୍ତି ହେ ତାତ ।

ବେନି ନେତ୍ରୁ କରି ଅଶ୍ରୁପାତ ।

ପିତାଙ୍କ ସଙ୍ଗେ ପଳାଇଁ ଯାଉଁ ମାତା ସଙ୍ଗେ ମୁହିଁ ଆଗେ ଆସି ହେଲେ ଉପଗତ ଯେ ।୨।

 

କଳାଧଳା ଘୋଡ଼ା ଚଢ଼ି ଶିରରେ ବାନ୍ଧି ପଗଡ଼ି ହାତେ ଧରିଛନ୍ତି ନିଶ ମୋଡ଼ି ।

କାଳିଆ ଗୋରା ରଙ୍ଗରେ ଦୁଇ ସିପାଇ ବେଗରେ ପୁଣି ପୁଣି ଦେଇଁ ବୀରରଡ଼ି ଯେ ।

ରହ ରହ । ବୋଲି ଡାକୁଁ ଆମ୍ଭେ ସେ ଦୁହିଁକି ।

ଦେଖି ପାଦ ରହିଲା ଯେ ଲାଖି ।

ମାତା ସୁତା ମଥା ପୋତି ରହୁଁ ସେ ଆସି ଝଟତି କହିଁ ଦେଲେ ବଚନେ ଏତିକି ଯେ ।୩।

 

ପଦ୍ମାବତୀକି ତା ତାତ ରାଜାଙ୍କୁ ଦେଇଁ ଅଛିତ ତାକୁ ନେଇଁ ଦେବା ନୃପଆଗେ ।

ରାଜରାଣୀ କୁଳବତୀ ଯାଉ ଯହିଁ ତାରପତି କହିଁ ତାକୁ ଛାଡ଼ିଦେଲେ ବେଗେ ଯେ ।

ସେ ପଳାଇଁ । ଯିବାପରେ ସୈନ୍ୟ ମିଳୁଁ ତହିଁ ।

ସେଠାରୁ ସେ ଦୁହେଁ ଗଲେ କାହିଁ ।

ଏତିକି ଅଛି ମୁଁ ଦେଖି କହୁଁ ପଦ୍ମାବତୀ ଆଖି ଦୁଇରୁ ଲୋତକ ଯାଏ ବହିଁ ଯେ ।୪।

 

ଶୁଣି ମନ୍ତ୍ରୀ ହସି କହେ ନ କାନ୍ଦ ନ କାନ୍ଦ କୋହେ ଦେଖିଲ ଯା ସିପାଇ ଦୁହିଁକି ।

ଦୁର୍ଦ୍ଦଶା ଯାହା ତୁମ୍ଭର ଥିଲା ସେହି ଦିନୁ ଦୂର ହୋଇଅଛି ନ ଭାଳ ତହିଁକି ଗୋ ।

ରାଜସୁତେ । ଏ ଓଡ଼ିଶା ଗଜପତିଙ୍କର ।

ପାଟରାଣୀ ପଦ ଯେ ତୁମ୍ଭର ।

ହୋଇ ଅଛଇ ନ ଭାଳ ସିପାଇ ରାମଗୋପାଳ ତାଙ୍କୁ ସନ୍ତତରେ ଚିନ୍ତା କର ଗୋ ।୫।

 

ଯାହାକୁ ସେ ରାମହରି ଆଣିଛନ୍ତି ଯିଦି କରି ପୁଣି କନ୍ୟାରତ୍ନ ଶିରୋମଣି ।

କିପରି ଅବା ସେ ତାକୁ ଦିଆଇବେ ଚଣ୍ଡାଳକୁ ସତଯିବ ଏଥେଁ କେଉଁ ପ୍ରାଣୀ ଯେ ।

ପ୍ରଭୁଙ୍କର । କୃପାରୁ ମୁଁ ରଥଯାତ୍ରା ଯାଏ ।

ଥିଲେ ପ୍ରାଣେ ଯେପରି ଉପାୟେ ।

ଜଗନ୍ନାଥଙ୍କୁ ଜଣାଇ ଏଥେଁ ପାଟମହାଦେଈ କରାଇବି ତୁମ୍ଭଙ୍କୁ ନିଶ୍ଚୟେ ଯେ ।୬।

 

ମନ୍ତ୍ରୀର ଏ ବାଣୀ ଶୁଣି ପଦ୍ମାବତୀ ସେହିକ୍ଷଣି ଯାଇଁ ତା-ଚରଣତଳେ ପଡ଼ି ।

ଶୋକେ ବଚନ କହଇ ମୋହରତ କେହି ନାହିଁ ସବୁ କୁଳ ଦେଇଅଛି ଛାଡ଼ି ଯେ ।

ଏକ ତୁମ୍ଭେ । ତାତ ମାତ ଭାଇ ଯାହା କହ ।

ଏଥେଁ ଲେଶେ ନାହିଁ ଯେ ସନ୍ଦେହ ।

ଏହା ଦେଖି ତାକୁ ମନ୍ତ୍ରୀ ଦୁହିତାଭାବେ ଝଟତି ତୋଳି ତାର ଝାଡ଼ିଦେଲା ଦେହ ଯେ ।୭।

କହିଲା ପୁଣି ସେ ମନ୍ତ୍ରୀ ଶୁଣଆଗୋ ରାଜପୁତ୍ରି ଜଗନ୍ନାଥଙ୍କର କୃପା ତୋତେ ।

ହେବାରୁ ସିନା ତୁ ତାଙ୍କୁ ଦେଖିଲୁ ବୁଝ ମନକୁ ଆନକୁ କି ମିଳେ ଭାଗ୍ୟ ଏତେ ଗୋ ।

ପଦ୍ମାବତୀ । ଯେ କରିଚି ପ୍ରଭୁଙ୍କୁ ଦର୍ଶନ ।

ତାର ସାର୍ଥକ ହୋଇଛି ଜୀବନ ।

ସେ ପୁଣି କିପରି ଯାଇ ଚଣ୍ଡାଳଗୃହରେ ରହିଁ କଟାଇବ ପାପକାର୍ଯ୍ୟେ ଦିନ ଗୋ ।୮।

ତାହାଙ୍କୁ ଏପରି କହି ଯାୟା ଦୁହିତାଙ୍କୁ ଚାହିଁ କହେ ଶୁଣ ତୁମ୍ଭେ ମୋ ବଚନ ।

ଏ ପଦ୍ମାବତୀର ମନେ ନ ପଡ଼ିବ ଚିନ୍ତା ଯେହ୍ନେ କରୁଥିବ ସେପରି ବିଧାନ ଯେ ।

ପ୍ରଭୁ କଲେ । ଏ ହୋଇବେ ଯେବେ ପାଟରାଣୀ ।

ତେବେ ତୁମ୍ଭ ଉପକାର ଗୁଣି ।

କି କି ଭଲ ନ କରିବେ ତୁମ୍ଭେ ଏହା ଭାବି ଏବେ ଖଟିଥିବ ତାଙ୍କଚିତ୍ତ ଜାଣି ଯେ ।୯।

ଏହା ଶୁଣି ପଦ୍ମାବତୀ କହଇ ମନ୍ତ୍ରୀଙ୍କ କତି ତୁମ୍ଭେ ମୋର ତାତ ଏ ଜନନୀ ।

ଏ ଯେ ତୁମ୍ଭର ଦୁହିତା ସେ ମୋର ଭଗିନୀ ଯଥା ଏପରି ମୁଁ ଚିତ୍ତେ ଅଛି ଘେନି ହେ ।

ମନ୍ତ୍ରୀବର । ଏପରି କି କରିବେ ଈଶ୍ୱର ।

ହୋଇ ମୁଁ ଏ ଚିନ୍ତାସିନ୍ଧୁ ପାର ।

ତୁମ୍ଭମାନଙ୍କ ଆଶିଷ ଭୋଗ କରିବି ମାନସ ମଧ୍ୟରେ ତା ହେଉ ନାହିଁ ସ୍ଥିର ହେ ।୧୦।

ଯେଉଁ କଳାଗୋରା ଦୁଇ ସିପାଇଁକି ଦେଖିଛଇଁ ସେ ଯେବେଟି ରାମହରି ସତ ।

ତେବେ ମୋର ଯେତେ ପାପ ତା ସବୁ ହୋଇଛି ଲୋପ ଏଥେଁ କିଛି ସନ୍ଦେହ ନାହିଁତ ହେ ।

ମନ୍ତ୍ରୀବର । ଅବଶ୍ୟ ସେ ପ୍ରଭୁ କୃପା କରି ।

କରିବେ ଏ ଦୁଃଖୁଁ ମୋତେ ପାରି ।

ତୁମ୍ଭେ ମୋର ଧର୍ମେ ତାତ ତୁମ୍ଭ କଲ୍ୟାଣ ନିୟତ ଫଳିବ ମୁଁ ଭାବୁଛି ଏପରି ହେ ।୧୧।

ପୁଣି ହୋଏ ମନେ ମୋର କରିଛି କି ପାପଘୋର ସେଫଳୁ ଏ ଦଣ୍ଡକୁ ଲଭିଲି ।

ଅଲିଅଳା ରାଜସୁତା ହୋଇଥିଲି ଆହେ ପିତା ଏବେ ଆସି ବନ୍ଦୀରେ ରହିଲି ହେ ।

ମନ୍ତ୍ରୀବର । କେଣେ ଗଲା ସେ ସୁଖଟି ମୋର ।

ଜନକ ଯେ ଜନନୀ ଆବର ।

ଛାଡ଼ି ମୋତେ ପଳାଇଲେ ଯେଉଁ ବିହି ଏହା କଲେ ହେବେ କି ସେ ସୁଖ ପାରାବାର ହେ ।୧୨।

କେବଳ ଭରସା ଅଛି ଯେବେ ମୋ କପାଳେ କିଛି ସୁଖ ନ ଥାନ୍ତାଟି ନୃପବର ।

ପ୍ରତିଜ୍ଞା ରଖିବା ପାଇଁ ଚଣ୍ଡାଳେ ମୋତେ ନ ଦେଇଁ କିମ୍ପା କରିଥାନ୍ତେ ଏ ବିଚାର ଯେ ।

ତୁମ୍ଭକରେ । ସମର୍ପି କହନ୍ତେ ଏପରିରେ ।

ଏକନ୍ୟାର ଭାର ତୁମ୍ଭ ପରେ ।

ରହିଲା ଏଣିକି ତୁମ୍ଭଇଛା ଯେ ଚଣ୍ଡାଳେ ହେବ ତାକୁ ଦିଅ କହିଲୁଁ ସତ୍ଵରେ ଯେ ।୧୩।

ଶୁଣି ମନ୍ତ୍ରୀ ହସି କହେ ରାଜନନ୍ଦନାକୁ ସ୍ନେହେ ଆଗୋ ପଦ୍ମାବତୀ ତୁ ଏପରି ।

ମାନସେ ଦୁଃଖ ନ ଧର ତୋହଶିରେ ଚକ୍ରଧର ଢାଳିଦେଇଛନ୍ତି କୃପାବାରି ଯେ ।

ଏଥେଁ ଆନ । ନାହିଁ ଏହା ପ୍ରକୃତ ମଣଇଁ ।

ଗଲା ତୁମ୍ଭଦୁଃଖ ମୁଁ ଜାଣଇ ।

ଆସନ୍ତା ଗୁଣ୍ଡିଚାଯାତ ଦିନ ତୁମ୍ଭଙ୍କୁ ଶ୍ରୀନାଥ ରାଜରାଣୀ କରିବେ ଗଣଇଁ ଯେ ।୧୪।

ମନ୍ତ୍ରୀ ଏହା କହିଁ ଭଲେ ଆପଣା କାର୍ଯ୍ୟରେ ଗଲେ ତହୁଁ ତାଙ୍କ ନାରୀ ସୁତା ଦୁଇ ।

ପଦ୍ମାବତୀର ମାନସ ଜାଣି ସଦା ତାକୁ ତୋଷ କରନ୍ତି ତାପାଶୁଁ ଭିନ୍ନ ନୋହିଁ ଯେ ।

ଏପରିରେ । କେତେକ ଦିବସ ଗଲା ବହିଁ ।

ପଦ୍ମାବତୀ ମନ୍ତ୍ରୀ ପୁରେ ଥାଇଁ ।

କଟାଉଥାନ୍ତି ଦିବସ ଚିତ୍ତେ ଚିନ୍ତି ହୃଷିକେଶ କପିଳେଶ ଏହା ଶୁଣିଛଇ ଯେ ।୧୫।

Image

 

୨୨ଶ ଛାନ୍ଦ-ରାଗ ସିନ୍ଧୁଡ଼ା କାମୋଦୀ

 

ଏଥୁଁଅନ୍ତେ ଜନେ ଶୁଣ ସାବଧାନେ କେତେକ ଦିନେ ବସନ୍ତ ।

ଋତୁ ପରବେଶ ହେଉଁ ବନଦେଶ ନବପଲ୍ଲବେ ଶୋଭିତ ଯେ ।

ହୋଇ କୁସୁମକଳୀ ।

ଧରି ପ୍ରଫୁଲ୍ଲିତ ହେଉଁ ଅଳି ଯେ ।

ଆସି ତା ପାଶେ କରଇ ଅଳି ଯେ ।୧।

 

ଚୁତରେ ମୁକୁଳ ଦେଖି ପିକକୂଳ ବୃକ୍ଷେ ବସି ତାହା ଖାଇଁ ।

ପଞ୍ଚମସ୍ୱରରେ ରାବି ବାରେବାରେ ବିଦେଶୀ ଚିତ୍ତକୁ ଦହି ଯେ ।

କାମାନଳେ ଦିଅଇ ।

ଯୋଗୀ ଜନମାନସ ମୋହଇ ଯେ ।

କାନ୍ତାବିଛେଦିଙ୍କି ଧିକ୍କାରଇ ଯେ ।୨।

 

ଦକ୍ଷିଣ ସମୀର ବହେ ଧୀରଧୀର ବାସନ୍ତୀ ସୁମଗନ୍ଧରେ ।

ରମଣୀ ରମଣ ମାନସେ ସ୍ମରଣ କରାଇ ଭାବ ସଧିରେ ଯେ ।

ଦେଖି ଗ୍ରାହକ ଜନ ।

ତାର ଲଜ୍ଜାକୁ କରେ ଲୁଣ୍ଠନ ଯେ ।

କରେ ତା-ସଙ୍ଗେ ସୁଖଵର୍ଦ୍ଧନ ଯେ ।୩।

 

ଏପରି ସେ ଋତୁକଥା କରି ହେତୁ କହିଲେ ବହୁତ ହେବ ।

ଏହି ସମୟରେ ଦିବସଶେଷରେ ଶ୍ରୀ ପୁରୁଷୋତ୍ତମଦେବ ଯେ ।

ବସି ବାରୁ ପିଠିରେ ।

ନୀତି ବୁଲନ୍ତି ପ୍ରତି ସାଇରେ ।

ଯାନ୍ତି ମନ୍ତ୍ରୀ ଗୃହନିକଟରେ ଯେ ।୪।

 

ମନ୍ତ୍ରୀ ଏହା ଦେଖି ସେ ପଦ୍ମାବତୀକି ନିତି ସୁବେଶ କରାଇଁ ।

ରାଜ ଆଗମନକାଳରେ ସଦନଦୁଆରେ ଠିଆ କରାଇଁ ଯେ ।

ନିଜେ ଅନ୍ତରେ ଥାଏ ।

କେହି ତା ନିକଟକୁ ନ ଯାଏ ଯେ ।

ନରେଶଙ୍କ ଦୃଷ୍ଟି ହେବା ଯାଏ ଯେ ।୫।

 

ପଦ୍ମାବତୀ ପରେ ନୃପ ଦୃଷ୍ଟି ଥରେ ପଡ଼ି ଯାଉଁ ତାକୁ ଚାହିଁ ।

ଶ୍ରୀପୁରୁଷୋତ୍ତମ ନୃପ ଗଲେ ଝାମ କାମବାଣେ ତାପୀ ହୋଇଁ ଯେ ।

ପୁଣିପୁଣି ତାହାକୁ ।

ଚାହୁଁ ଭଜି ସେ ଗୁରୁ ଲଜ୍ଜାକୁ ।

ଭଙ୍ଗୀ ପ୍ରକାଶି ଗଲା ଗୃହକୁ ଯେ ।୬।

 

ସେ ନୃପଶେଖର ସେହି ସମାଚାର କାହାରି ଆଗେ ନ କହିଁ ।

ମନ୍ତ୍ରୀର ନନ୍ଦନା ହୋଇଥିବ ସିନା ବିଚାରି ସେ ତୁନି ହୋଇଁ ଯେ ।

ଯାଇଁ ମିଳି ନବରେ ।

କରି ସକଳ କାର୍ଯ୍ୟ ବିଧିରେ ଯେ ।

ଶେଷେ ବସନ୍ତେ ପଲଙ୍କପରେ ଯେ ।୭।

ଗହଣସେବକେ ଆସି ମିଳୁଁ ପାଖେ ଯେଝା ସେବା କରିବାକୁ ।

ନୃପ ବିରସରେ କହିଲେ ଭାଷରେ ଏପରି ଡାକି ତାହାଙ୍କୁ ଯେ ।

ତୁମ୍ଭେ ଯେଝା ସୁଖରେ ।

ଯାଅ ନ ରହି ଆମ୍ଭପାଖରେ ଯେ ।

ଶୁଣି ସେ ତା ଚଳିଗଲେ ଖରେ ଯେ ।୮।

ବସି ନରନାଥ ହୋଇ ଏକଚିତ୍ତ କହନ୍ତି କି ଅପରୂପ ।

ଦେଖିଲା ନୟନ ଆଜି ଶୁଭଦିନ ହୋଇଥିଲା କି ସ୍ୱରୂପ ଯେ ।

ବୁଲିଯିବା ସମୟେ ।

ଉଦେ ଏ ଭାବ ମାନସେ ହୋଏ ଯେ ।

ତାହା ଦେଖି ନାହିଁ ଆଜଯାଏ ଯେ ।୯।

ମନ୍ତ୍ରୀର ସଦନ-ଦୁଆର ମଣ୍ଡନ କରିଥିଲା ଯେଉଁ ବାଳା ।

ଧନ୍ୟ ତାର ଛବି କେତେ ଅବା ଭାବି କହିବି କରି ସଂଖୋଳା ଯେ ।

ତାର ଭୂରୁ କମାଣ ।

ଖଞ୍ଜିଅଛି ନେତ୍ର ଫୁଲବାଣ ଯେ ।

ରଖିଅଛି ତାହା ପଞ୍ଚବାଣ ଯେ ।୧୦।

ଆହା ତା ଚାହିଁମା ଭଙ୍ଗୀର ଗାରିମା ବର୍ଣ୍ଣିବ ବା କେତେକାଳେ ।

କେଉଁ କବି ମୋତେ ବି ଦିଶଇ ଏତେ ତିଳକ ଶୋଭା କପାଳେ ଯେ ।

ହେବ କସ୍ତୁରୀବିନ୍ଦୁ ।

ଅଙ୍କ ବହିଛି କି ମୁଖଇନ୍ଦୁ ଯେ ।

ଦିଶେ ଅଧରେ ଝଲକି ମଧୁ ଯେ ।୧୧।

ତାତିଳସୁମନ ନାସାରୁ ଶ୍ଵସନ ଚଳିବାବେଳେ ସଧୀରେ ।

ଫୁଲୁଁ ଦୁଇଘୋଣା ଦେଖି ବୁଦ୍ଧି ବଣା ହୁଅଇ ଏହୁ ବିଚାରେ ଯେ ।

ଏକି କାମର ଭାତି ।

ତାଇ ଗଢ଼ଇ କି ହାସକାତି ଯେ ।

ତହିଁ ବିଦାରିବ ଯୁବାଛାତି ଯେ ।୧୨।

ବଧୂଲିସୁମନ ଅଧର ନିନ୍ଦନ କରଇ ତାର ତହିଁରେ ।

ଅଛି ହାସ ସୁଧା କାଳେ କାମବାଧା ହରିବ ଯେ ତା-ସଙ୍ଗରେ ଯେ ।

ଦାସ ପରାଏ ରହିଁ ।

ଓ଼ଷ୍ଠେ ଚୁମ୍ବିବ କୋଳେ ବସାଇଁ ।

ତହୁଁ ଅଧିକ କି ସ୍ୱର୍ଗେ ଯାଇଁ ଯେ ।୧୩।

ପଙ୍କଜକଳୀର ପ୍ରାୟେ ପୟୋଧର ଯୁଗଳ ବାସକୁ ଠେଁସି ।

ଦିଶୁଥିଲା ଯାହା ମନେ କଲି ଏହା ଶୋଭା ଦେଖି କାଶୀବାସୀ ଯେ ।

ଲିଙ୍ଗରୂପକୁ ବହି ।

ଆସିଛନ୍ତି କି ହୃଦୟେ ରହିଁ ଯେ ।

ଜନଲାଜେ ବାସ ଘୋଡ଼ିହୋଇ ଯେ ।୧୪।

ଏପରି ନୃପତି ଭାବି ପଦ୍ମାବତୀ ଶୋଭାକୁ ମାନସେ ଗୁଣି ।

ନିଦ୍ରା ନୟନରେ ନଇଲା ନିଶୀରେ ବିଚାରୁଁ ତା ପୁଣିପୁଣି ଯେ ।

କପିଳେଶ କହଇ ।

ନାରୀରୂପେ ହର ହେଲେ ମୋହୀ ଯେ ।

ରସେ ରସିକସିନା ମଜ୍ଜଇ ଯେ ।୧୫।

Image

 

୨୩ଶ ଛାନ୍ଦ-ରାଗ ବଙ୍ଗଳାଶ୍ରୀ ।

 

କାଞ୍ଚୀ ରାଜପୁତ୍ରୀ ଯେଟି ପଦ୍ମାବତୀ ସୁନ୍ଦରୀଙ୍କ ଶିରୋମଣି ।

ଶ୍ରୀ ପୁରୁଷୋତ୍ତମଦେବଙ୍କର ପ୍ରେମଭାବ ଭଙ୍ଗୀକି ସେ ଜାଣି ।୧।

ଦେଖି ଲାଜ ପାଇଁ ଗଲା ସେ ପଳାଇଁ ମନ୍ଦହାସ ପରକାଶି ।

ମନ୍ତ୍ରୀ ନାରୀ ସୁତା ଅନୁମାନରେ ତା ଜାଣିପାରି ହେଲେ ତୋଷୀ ।୨।

ଯାଇଁ ପଦ୍ମାବତୀ ଆପଣା ବସତୀ ଗୃହରେ ପ୍ରବେଶ ହେଉଁ ।

ମନ୍ତ୍ରୀର ନନ୍ଦନା ହରଷିତମନା ହୋଇଁ ତା ପାଶରେ ତହୁଁ ।୩।

ଯାଇଁ ମିଳି ସାନ ଭଗିନୀ ବିଧାନ ଧରି ପହରିହାସବାଣୀ ।

ପଦ୍ମାବତୀ ଆଗେ ରସଭଙ୍ଗୀଯୋଗେ ମଧୁରଭାବରେ ଭଣି ।୪।

କହ ରାଜସୁତେ ନ ଲୁଚାଅ ମୋତେ ଓଡ଼ିଶାର ଗଜପତି ।

ଆଜି ତୁମ୍ଭେନେତ୍ର ଅଠାକାଠିରେତ ଅଘାତୀକି ହୋଇଛନ୍ତି ।୫।

ତୁମ୍ଭର ସେ ନାଥ ତୁମ୍ଭେ ତାଙ୍କ ହାତ ଧରି ହେବ ପାଟରାଣୀ ।

ଏକଥା ଈଶ୍ୱର ଲଲାଟେ ତୁମ୍ଭର ଲେଖିଛନ୍ତି ଥାଅ ଜାଣି ।୬।

ଏପରି ଅନେକ ପରିହାସ ବାକ୍ୟ କହି ମନ୍ତ୍ରୀ ସୁତା ଗଲା ।

ତାତ ମାତା ଆଗେ ପରବେଶି ବେଗେ ସବୁକଥା ଜଣାଇଲା ।୭।

କହିଲା ଏ ବାଣୀ ଶୁଣ ଗୋ ଜନନୀ ଆଜ ପଦ୍ମାବତୀ ମୁଖ ।

ସରସେ ପ୍ରସନ୍ନ ହୋଇ ଶଶିପୂର୍ଣ୍ଣ ଫୁଲ୍ଲପଙ୍କଜକୁ ଧିକ ।୮।

 

କରୁଅଛି ଯାଇଁ ଦେଖି ଅଇଲଇଁ ଏଥିରେ ଯେ ମିଛ ନାହିଁ ।

ପରିହାସ କଥା କହୁଁ ପୋତି ମଥା ପୁଣି ମନ୍ଦେ ହସି ଚାହିଁ ।୯।

 

କହିଲା ଏବାଣୀ ଶୁଣ ଗୋ ଭଗିନୀ ରାଜା କିଏ ନ ଚିହ୍ନଇ ।

ପିତାଙ୍କ କଥାରେ ଯାଇଁ ମୁଁ ଦୁଆରେ ଏକା ଥିଲି ଠିଆ ହୋଇ ।୧୦।

 

ଅଇଲାଦିନରୁ କାଞ୍ଚୀନଗରରୁ ଥାଏଁ ସବୁବେଳେ ଘରେ ।

ଦୁଃଖାନଳଚିତ୍ତେ ଜଳେ ଅବିରତେ ସବୁକଥା ଭାବିବାରେ ।୧୧।

 

କାହିଁ କିଛି ଭଲ ନ ଲାଗଇ ଶଲ ପରି ସବୁ ବୋଧ ହୋଏ ।

କପାଳରେ କିସ ଅଛି କି ଭବିଷ କି ହେବ ବିଚାରୁଁ ଥାଏଁ ।୧୨।

 

ଦୁଆରେ ମୁଁ ଥାଇଁ ଏଣେ ତେଣେ ଚାହିଁଥିଲି ଏକାଳେ ରାଜନ ।

ଆସି ଝଟତିରେ ମିଳୁଁ ମୋ କତିରେ କରିଅଛି ଦରଶନ ।୧୩।

 

ସେ ମୋତେ ଅନାଇଁ ନୟନ ଫେରାଇଁ ପୁଣି ପୁଣି ଚାହୁଁଥିଲେ ।

ତା ଦେଖି ପଳାଇଁ ଅଇଲି ମୁଁ ଏହିକଥା ମିଛ ନାହିଁ ତିଳେ ।୧୪।

 

ଏହା ଶୁଣି ମନ୍ତ୍ରୀ ବନିତା ଦୁହିତୀ ସହିତେ ଲଭିଲେ ତୋଷ ।

କହେ କପିଳେଶ ହେ ମନ୍ତ୍ରୀ ସୁଯଶ ତୁମ୍ଭର ହେବ ପ୍ରକାଶ ।୧୫।

Image

 

୨୪ଶ ଛାନ୍ଦ-ରାଗ ଖଣ୍ଡକାମୋଦୀ ।

 

ପଦ୍ମାବତୀ ଆସନେ ବସି ଗୁପତମନେ ନୃପଙ୍କୁ ଚିନ୍ତାକରି ଯେ ।

ବୋଲେ କି ରୂପ ଆଜି ଦେଖିଲା ନେତ୍ର ଭଜିଥିଲା କି ପୁଣ୍ୟବାଳି ଯେ ।

ଆହା ତାହା । ମନୁତ ଦୂର ନୋହେ ଯେ ।

ମୁଁ ହୀନଭାଗ୍ୟବତୀ କାହିଁ ସେପରି ପତି ପାଇବି ଦେବ କିଏ ଯେ ।୧।

ମୁଁ ଥିଲି ଉଭା ହୋଇଁ ଏକଦିଗକୁ ଚାହିଁ ଆସି ଏ ସମୟରେ ଯେ ।

ସେ ନବମନମଥରୂପ ଆସି ତୁରିତ ମିଳୁଁ ମୋ ନିକଟରେ ଯେ ।

ନ ଚାହିଁବା । ଦିଗରୁ ଚଢ଼ି ଘୋଡ଼ା ଯେ ।

ଅଶ୍ୱଚରଣ ଧୁନି ଶୁଣି ଚମକି ପୁଣି ଚାହିଁ ଲଭିଲି କ୍ରୀଡ଼ା ଯେ ।୨।

ଝଟ ବୁଜି ନୟନ ପୋତିଥିଲି ବଦନ ତାହାଙ୍କ ରୂପଛଟା ଯେ ।

ମୋ ମନକୁ ଉଚ୍ଚାଟ କରି ଲଗାଇ ହଟ ରଖି ନ ଦେଉଁ ହଟା ଯେ ।

ଛାଡି ଲାଜ । ଚାହିଁଲି ମୁଖ ଟେକି ଯେ ।

ସେ ସମୟକୁ ସେହି ଘୋଡ଼ା ଧୀରେ ଚଲାଇଁ ଚାହାନ୍ତି ମୋତେ ଟାକି ଯେ ।୩।

ହେଲା ଚାରିନୟନ ଯେଉଁ ସମୟେ ମନ ମୋର ତାହାଙ୍କ ରୂପେ ଯେ ।

ବନ୍ଧାହୋଇ ରହିଲା କେବେହେ ନ ଅଇଲା ଟାଣିଲେ ଯେତେ ରୁପେ ଯେ ।

ସେ ସୁନ୍ଦର । ଭଜୀକି ନୟନରେ ଯେ ।

ଯେଉଁ ବିଧିରେ କଲେ ଦେଖି ତା ସତୀ ହେଲେ ଯିବ କି ସୁମନରେ ଯେ ।୪।

କହନ୍ତି ଯାହା ଏକ ଚାଉଳେ ରୂପ ଠିକ ସେକଥା ଏହିଠାରେ ଯେ ।

ଦେଖିଲି ସେରୁପରେ ଆଉ ମହୀ ଉପରେ ନ ଥିବ ସୁବିଚାରେ ଯେ ।

କାହିଁ ଅବା । ଏପରି ପୁଣ୍ୟବନ୍ତ ଯେ ।

ଜନମ ହେବ ଯାହା ପାଇଁ ହୁଅନ୍ତି ସାହା । ଶ୍ରୀରାମ ଜଗନ୍ନାଥ ଯେ ।୫।

ତାଙ୍କ ଚାହିଁବା ଭଙ୍ଗୀ ମୋ ନେତ୍ରେ ହୋଇ ସଙ୍ଗୀ ରହିଚି ସେହିଠାରୁ ଯେ ।

ତହିଁକି ମୋର ଭୟ ନ ଥିଲାତ ଅଥୟ କାମ କରଇ ଗୁରୁ ଯେ ।

ଥିଲେ ମୋର । ପୂରୁବ ତପଫଳ ଯେ ।

ତାଙ୍କ ଚରଣେ ଦାସୀ ହୋଇବି ଦିବାନିଶୀ କାହିଁ ମୋ ପୁଣ୍ୟବଳ ଯେ ।୬।

ଆହା ତାଙ୍କର ଆଖି ଡୋଳାଚାଲିବା ଦେଖି ଚିତ୍ତେ ମୁଁ ବିଚାରଇଁ ଯେ ।

ହେଲେ ପତିବରତୀ ଯିବ କି ସେ ବରତି ମଦନେ ନୋହିଁ ମୋହୀ ଯେ ।

କେଡ଼େଶୋଭା । ତାଙ୍କର ନିଶଦାଢ଼ି ଯେ ।

ରେଖିରଖିଲା ପରି ଦିଶଇ ନୋହେ ବାରି କହିବ କେବା ବଢ଼ି ଯେ ।

ପରକର ପରାଇଁ ଆଜାନୁଭୁଜ ଦୁଇ ଦିଶଇ ତାହାଙ୍କର ଯେ ।

କେଶରିମଝା ଜିଣି ଦିଶଇ କଟିଠାଣି ଆହା ସେ କିସୁନ୍ଦର ଯେ ।

ଦେଖାବେଳୁଁ । ମୋର ମାନସେ ଘର ଯେ ।

କରି ରୂପ ତାଙ୍କର କରିଛି ଅଧିକାର ନୁହଇ କେବେ ଦୂର ଯେ ।୭।

ଶ୍ରୀଜଗନ୍ନାଥଙ୍କର ସେତ ଭକତବର ଯେ ବହୁପୂଣ୍ୟ କରି ଯେ ।

ଥିବ ତାହାଙ୍କ ପଦେ ସେବିବ ଅପ୍ରମାଦେ ଧନ୍ୟ ହେବ ସେ ନାରୀ ଯେ ।

ମୋର କାହିଁ । ସେପରି ପୁଣ୍ୟ ଅଛି ଯେ ।

କିମ୍ପା ଏହାଙ୍କହାତେ ତାତ ନ ଦେଇ ମୋତେ ଗଲେ ନ କଲେ କିଛି ଯେ ।୮।

ହେ ଦେବ ଗଣନାଥ ତୁମ୍ଭଙ୍କୁ ମୋର ତାତ ଅନେକ ସେବିଛନ୍ତି ଯେ ।

ସେଫଳେ ବିଘ୍ନ ମୋର ନାଶି ଦିଅ ଏ ବର ହୁଅନ୍ତୁ ସେ ମୋ ପତି ଯେ ।

ତୁମ୍ଭପାଦେ । ରଙ୍ଗଚନ୍ଦନ ଫୁଲେ ଯେ ।

ପୂଜିବି ନାନା ଭୋଗ ଦେଇ ମୋ ବାଞ୍ଛା ଆଗ ପୂରଣକର ଭଲେ ଯେ ।୯।

ହେ ଦେବ ଜଗନ୍ନାଥ ପଳାଇଁ ଯାଉଁ ପଥ ଓଗାଳି ମୋତେ ଆଣି ଯେ ।

ରଖାଇଛ ବନ୍ଦିରେ ଦେଖିବି କି ମନ୍ଦିରେ ତୁମ୍ଭଙ୍କୁ ଯାଇଁ ପୁଣି ଯେ ।

କରି ଦୟା । ଏହା କର ମାଗୁଛି ଯେ ।

ପୁରୁଷୋତ୍ତମଦେବ ମୋ କାନ୍ତ ହେବେ ଜବ ଏତିକି ଜଣାଉଁଛି ଯେ ।୧୦।

ସତେ କରିବ ବିହି ଓଡ଼ିଶାରେ କି ମୁହିଁ ହୋଇବି ରାଜାରାଣୀ ଯେ ।

ଏ ମନ୍ଦଭାଗ୍ୟ ମୋର ହୋଇଯିବ ଅନ୍ତର ଏହା କି ଚକ୍ରପାଣି ଯେ ।

କରାଇବେ । ପରତେ ହେଉ ନାହିଁ ଯେ ।

କେବଳ ତାଙ୍କୁ ଦେଖିଜନେ ନୁହନ୍ତି ଦୁଃଖୀ ଏତିକି ଶୁଣିଛଇଁ ଯେ ।୧୧।

ଏପରି ପଦ୍ମାବତୀ ବିଚାରି ପ୍ରତିରାତି ଦିବସ ଭାବୁଥାଇ ଯେ ।

ମନ୍ତ୍ରୀର ଆଜ୍ଞା ପାଇଁ ନୀତି ଦୁଆରେ ଯାଇଁ ନୃପ ଆସିବା ଚାହିଁ ଯେ ।

ଠିଆହୋଇଁ । ଥାଏ ସୁବେଶ ହୋଇଁ ଯେ ।

ତାକୁ ଦେଖିବାପାଇଁ ନୃପ ସମୟ ଚାହିଁ ନିତି ଆସନ୍ତି ତହିଁ ଯେ ।୧୨।

ଚାରିଚକ୍ଷୁ ହୁଅନ୍ତେ ଦୁହିଁଙ୍କର ତୁରିତେ ନରେଶ ଭଙ୍ଗୀ ଜାଣି ଯେ ।

ପଦ୍ମାବତୀ ସତ୍ଵରେ ଭାବଭଙ୍ଗୀ ବିକାରେ ପ୍ରକାଶି ସେହିକ୍ଷଣି ଯେ ।

ନେତ୍ରଶର । ନୃପମରମେ ପେଶି ଯେ ।

ଲାଜେ ମଥା ଲୁଆଇଁ ଜିଭ କାମୋଡ଼ି ଦେଇ ଗୃହକୁ ଯାଏ ପଶି ଯେ ।୧୩।

ଏପରି ଦିନୁଦିନ ପଦ୍ମାବତୀରେ ମନ ମୋହିତ ନୃପଙ୍କର ଯେ ।

ହେଲା ଲୋହ ଚୁମ୍ବକ ଠାରୁ ଜାଣ ଅଧିକ ନ ଜାଣି ସମାଚାର ଯେ ।

ସେ କନ୍ୟାର । କରନ୍ତି ଏ ବିଚାର ଯେ ।

ମନ୍ତ୍ରୀକି କହି ଏହି କନ୍ୟାକୁ ଵିଭାପାଇଁ ମଗାଇବା ନିକର ଯେ ।୧୪।

ପୁରୁଷୋତ୍ତମ ଦେବ ଚିତ୍ତରେ ଏହି ଭାବ ବିଚାରି ରହିଥାନ୍ତି ଯେ ।

ଦୁହେଁ ଦୁହିଁଙ୍କପାଇଁ ସଦା ଚିନ୍ତିତ ହୋଇଁ ଦିନ ଦୁଃଖେ ନିଅନ୍ତି ହେ ।

ସାଧୁଜନେ । କହଇ କପିଳେଶ ଯେ ।

ନାରୀନୟନ ଶର ମରମେ ବାଜୁ କାର ମାନସ ନୋହେ ବଶ ହେ ।୧୫।

Image

 

୨୫ଶ ଛାନ୍ଦ-ରାଗ କନଡ଼ା ।

 

ଶୁଣ ସାଧୁନରେ କେତେକ ଦିନରେ ହୁଅନ୍ତେ ଆଷାଢ଼ ପ୍ରବେଶ ।

ରଥପାଇଁ ରାଜା ଦେଉଁ ଆଦେଶ ।

ମନ୍ତ୍ରୀ ତତପରେ ଯେ ଯଥାବିଧିରେ କାର୍ଯ୍ୟ କରାଇଁ ବିଶେଷ ଯେ ।

ଶୁଭରେ । କରାଇଲେ ରଥ ଚିତ୍ରଵିଚିତ୍ର ।

ତହିଁ ବାନ୍ଧିଲେ ପଟବାସେ ନେତ ।

ଦେଖିଲେ ନୟନେ ତାକୁ ବାରେ ଜନେ ନୋହିବେ ମନୁ ବିସ୍ମୃତ ଯେ । ସ୍ନେହରେ ।୧।

 

କାଞ୍ଚୀରାଜରାଣୀ ପତିଆଗେ ଭଣି ଆହେ ଦଣ୍ଡଧର କି କର ।

ବନ୍ଦି ରହିଛି ଦୁହିତା ତୁମ୍ଭର ।

ମନ୍ତ୍ରୀହାତେ ଦେଇଁ ଓଡ଼ିଶାର ସାଇଁ କହିଁଛନ୍ତି ଏହୁଗିର ଯେ ।

ତାହାଙ୍କୁ । ଆହେ ଶଚିବ ଏ କନ୍ୟାକୁ ନେଇଁ ।

ତୁମ୍ଭ ମନକୁ ଯେପରି ଆସଇ ।

ଚଣ୍ଡାଳକୁ ଦେବ ଆଉ ନ ପୁଛିବ ଆମ୍ଭଙ୍କୁତ ଏଥିପାଇଁ ହେ । ଶଚିବ ।୨।

 

ନୃପତିର ବାଣୀ ମନ୍ତ୍ରୀବର ଶୁଣି ହେଉବୋଲି ନେଇଁ ସଦନେ ।

ପାଳିଅଛନ୍ତି ଦୁହିତା ସମାନେ ।

ନୃପଙ୍କ ହସ୍ତରେ ଦେବାକୁ ଚିତ୍ତରେ ବିଚାରିଅଛନ୍ତି ମନେ ସେ ।

ଶଚିବ । ଶୁଣିଅଛି ମୁଁ ଗୁପତରେ ଏହା ।

ଏବେ ମୋତେ ସଙ୍ଗରେ ନରନାହା ।

ଘେନି ଚାଲ ଘନେ ମନ୍ତ୍ରୀଙ୍କ ସଦନେ ରହିଁ ଦେଖିବା ତ ତାହା ହେ । ରାଜନ ।୩।

 

ଆସୁଅଛି ରଥଯାତ ନିକଟତ ସେଦିନକୁ କଣ୍ଟ ତାଙ୍କର ।

ଚାଲ ଏଥିରେ ହେଳା ନ କର ।

ସଙ୍ଗେ ଆଡ଼ମ୍ବର କିଛିହିଁ ଆମ୍ଭର ଉଚିତ ନୋହେ ନେବାର ହେ ।

ରାଜନ । ଯାଇଁ ଗୁପତେ ମନ୍ତ୍ରୀଭୁବନରେ ।

ମିଳି ରହିବା ଦୁହିତାପାଶରେ ।

ସେ ତୁମ୍ଭଙ୍କୁ ଦେଖି ହେବେ ମହାସୁଖୀ ।

ଆନ ନ ମଣ ଏଥିରେ ହେ । ରାଜନ ।୪।

ଆମ୍ଭେ ହାରିଥାଇଁ ଓଡ଼ିଶାର ସାଇଁ ଜିଣିଛନ୍ତି ମିଥ୍ୟା ନୋହେତ ।

ସହାୟଟି ଯାହାଙ୍କୁ ଜଗନ୍ନାଥ ।

ତାଙ୍କୁ ସମ କେବା ହେବ ନ ଗଣିବା ଏହା ଆନ ନ ବୁଝତ ହେ ।

ରାଜନ । ଏହିଯୋଗେ ମୁଁ କହୁଚି ବୁଝାଇଁ ।

ଚାଲ ତାଙ୍କନିକଟେ ଆମ୍ଭେ ଦୁଇ ।

ଶରଣ ପଶିବା କନ୍ୟା ସମର୍ପିବା ଏଥେଁ ଉଣା ହେବ ନାହିଁ ହେ । ରାଜନ ।୫।

ପଦ୍ମାବତୀ ମୋତେ ଦେଇଁଛି ଗୁପତେ ବାରତା ନ ଜାଣନ୍ତି କେହି ।

ମନ୍ତ୍ରୀବନିତା ଏକା ଜାଣିଛଇ ।

ତାର ପଦ୍ମାବତୀ ହୋଇ ଧର୍ମପୁତ୍ରୀ ତାପୂରେ ସୁଖେ ଅଛଇ ହେ ।

ରାଜନ । ମନ୍ତ୍ରୀବନିତା ନିକଟେ ଜଣାଇଁ ।

ଅତି ବିଶ୍ୱାସି ଜନକୁ ଅଣାଇଁ ।

ଲେଖି ସମାଚାର ପାଶକୁ ମୋହର ଦେଇଁ ଅଛିତ ପଠାଇଁ ହେ । ରାଜନ ।୬।

ଦେଖ ସେ ପତର ବୋଲି ସେ ସତ୍ୱର ଆଣି ତାହା ପତିପାଶରେ ।

ଦେଉଁ ନରପତି ଧରି ତା କରେ ।

ପଢି ତୁଷ୍ଟ ହେଲେ ଯାହା ଲେଖିଥିଲେ କହୁଚି ଶୁଣ ତା ଧୀରେ ହେ ।

ସୁଜନେ । ହୋଇଁ ଅଛଇ ସେ ରଚନା ସରଳ ।

ବର୍ଣ୍ଣମାନେ ଦିଶୁଛନ୍ତି ବିରଳ ।

ନରପତି ଦେଖି ହୋଇ ଅତିଦୁଃଖୀ ନୟନୁଁ ତେଜିଲେ ଜଳ ଯେ । ସେକାଳେ ।୭।

ପଦ୍ମାବତୀ ମାତାପାଶକୁ ବାରତା ଲେଖିଅଛି ଆଗୋ ଜନନୀ ।

କରୁଅଛି ପ୍ରଣାମ ମୁଁ ଅଧିନୀ ।

ତୁମ୍ଭେ ଗଲ ଛାଡ଼ି ବେଢ଼଼ାରେ ମୁଁ ପଡ଼ିଯାଇ ହେଲି ହତମାନୀ ଗୋ ।

ଜନନୀ । ତହୁଁ ସେନାଏଁ ମୋତେ ଘେନି ଗଲେ ।

ନରପତିଙ୍କ ନିକଟରେ ଦେଲେ ।

ମୋତେ ନୃପ ଦେଖି ହୋଇ ମନେ ଦୁଃଖୀ ଏପରି ବାଣୀ କହିଲେ ଯେ । ସେକାଳେ ।୮।

ଆହା କେଡେ ଶୋଭାବତୀ ଏ ମଘବାପୁରୁଁ ଆସିଛି କି ପରତେ ।

ହୋଏ ଆଉ ଏହାସମ ଜଗତେ ।

ଥିବା ଦେଖା ନାହିଁ କାଞ୍ଚୀନରସାଇଁ କି କଲେ ଗରବ ଚିତ୍ତେ ଯେ ।

ଏହାକୁ । ଆମ୍ଭରାଣୀ କରିବାକୁ ନ ଦେଲେ ।

ପୁଣି ଆମ୍ଭଙ୍କୁ ନିନ୍ଦି ଚଳାଇଲେ ।

ସେଫଳୁ ଏହାର କେତେ ନାରଖାର ହେବା ଦଶା ଅରଜିଲେ ଯେ । ବୃଥାରେ ।୯।

 

କରିଥାଇଁ ସତ୍ୟ ଚଣ୍ଡାଳକୁ ଦତ୍ତ କାଞ୍ଚୀ ରାଜସୁତା କରିବା ।

ତାହା ଭାଙ୍ଗିବ କିପରି କେ ଅବା ।

ଆହା ବିଧାତାରେ କାହାକୁ କାହିଁରେ ଦେଉ ତୋତେ କି ବୋଲିବା ରେ ।

ଦଇବ । ଆଉ ବିଚାରିଲେ ଏବେ କି ହେବ ।

ମନ୍ତ୍ରୀ ଏହାକୁ ଏଥୁଁ ନିଅ ଜବ ।

ତୁମ୍ଭ ଇଛା ଯହିଁ ହେବ ବୁଝି ତହିଁ ଚଣ୍ଡାଳେ ଏହାକୁ ଦେବ ହେ । ଶଚିବ ।୧୦।

 

କିନ୍ତୁ ବୁଝ ମନ୍ତ୍ରୀ ଏ ଲକ୍ଷଣବତୀ ଜାତିପଦ୍ମିନୀ ଦେଖାଯାଏ ।

ଦେଖି ନ ଥାଇଁ ଏପରି କେବେହେଁ ।

ଜଗନ୍ନାଥଙ୍କର ଅଛି କି ବିଚାର ତାହା କିଛି ବୁଝି ନୋହେ ହେ ।

ଶଚିବ । କେଉଁ ଚଣ୍ଡାଳ କରିଛି ଏପରି ।

ପୁଣ୍ୟ ପାଇବ ପଦ୍ମିନୀ ସୁନ୍ଦରୀ ।

ଭାଲେ ଥିବ ଯାହା ଭୁଞ୍ଜିବ ଏ ତାହା ବୋଲି ଦେଲେ ବିଦା କରି ଯେ । ସେଠାରୁ ।୧୧।

 

ଆଣି ମୋତେ ମନ୍ତ୍ରୀ ଆପଣା ଯୁବତୀ ସୁତାଙ୍କୁ ଡକାଇଁ କହିଲେ ।

କାଞ୍ଚୀରାଜସୁତା ଏ ଜାଣ ଭଲେ ।

ନିଜସୁତା ତୁଲେ ଏହାଙ୍କୁ କୁଶଳେ ରଖିଥାଅ ମୋରବୋଲେ ଗୋ ।

ସୁନ୍ଦରୀ । ଜଗନ୍ନାଥଙ୍କ କୃପାରୁ ଏ ପୁଣି ।

ହେବେ ଓଡ଼ିଶା ନୃପ ପାଟରାଣୀ ।

ଥିଲେ ମୁଁ ଜୀବରେ ଗୁଣ୍ଡିଚା ରଥରେ ଫଳିବ ତା ଥାଅ ଜାଣି ଯେ । ନିଶ୍ଚୟେ ।୧୨।

 

ଏପରି ବହୁତ ପ୍ରବୋଧ କରିତ ଅନେକ କରନ୍ତି ଯତନ ।

ଆସି ନିକଟ ହେଲା ରଥଦିନ ।

ଅଛି ମୁ ଜଣାଇଁ ତାତ ତୁମ୍ଭେ ଦୁଇ ଆସିବ ଏଥେଁ ବହନ ଗୋ ।

ଜନନୀ । ଯେଉଁ ଓଡ଼ିଶା ନୃପତିଙ୍କି ହରି ।

ଭାଇସଙ୍ଗେ ସିପାଇ ରୂପ ଧରି ।

ଜିଣାଇଲେ ଯୁଦ୍ଧ କରି ଏଥୁଁ ବୋଧ ହେବେ କାଞ୍ଚୀଦଣ୍ଡଧାରୀ ଯେ । ଏଣିକି ।୧୩।

 

ଆସି ତାଙ୍କଠାରେ ଶରଣଭାବରେ ପ୍ରବେଶ ହେଲେ ସେ କେବେହେଁ ।

ନ ରଖିବେ ଶତ୍ରୁଭାବ ଜାଣ ହେ ।

ମନ୍ତ୍ରୀ କହିଛନ୍ତି ତୁମ୍ଭ ହିତ ଚିନ୍ତି ସେ କଥା ଭାଙ୍ଗିବା ନୋହେ ଯେ ।

ଏକାଳେ । ଆଗୋ ଜନନୀ ପିତାଙ୍କୁ ବୁଝାଇଁ ।

ମୋତେ ଦେଖିବା ପାଇଁ କି ଜଣାଇଁ ।

ଆସିବ ଅବଶ୍ୟ ମୋତେ ଥିଲେ ଆଶ ପଢ଼ି ଏହା କାଞ୍ଚୀସାଇଁ ଯେ । ସେକ୍ଷଣେ ।୧୪।

 

ବିଚାରିଲା ସତ ଯାର ଜଗନ୍ନାଥ ସହାୟ ସେ ସାନ ନୁହଇ ।

ଯହୁଁ ମୋ ଈଷ୍ଟ ଗଲେ ଆଡ଼ ହୋଇଁ ।

ତାଙ୍କ ପାଦେ ଦାସ ହେଲେ ନାହିଁ ଦୋଷ ଏ କଥା ମାନସେ ଧ୍ୟାଇଁ ଯେ ।

କାଞ୍ଚୀଶ । ଜାୟା ସହିତେ ସାମାନ୍ୟ ରୂପରେ ।

ଆସି ପୁରୁଷୋତ୍ତମରେ ଗୋପ୍ୟରେ ।

ମନ୍ତ୍ରୀପୁରେ ବାସ କଲେ କପିଳେଶ ଶୁଣିଅଛି ଏ ବିଧିରେ ହେ । ସୁଜନେ ।୧୫।

Image

 

୨୬ଶ ଛାନ୍ଦ । ରାଗ କୌଶିକ ।

 

ଶୁଣ ହେ ସୁଜନେ ମନ୍ତ୍ରୀର ସଦନେ କାଞ୍ଚୀ ନରପତି ରହିଲା ।

ମନ୍ତ୍ରୀସଙ୍ଗେ ମିତ୍ର ହୋଇ କହେ ନିତ୍ୟ ପଦ୍ମାବତୀ କଥା ଲାଗିଲା ।

ତୁମ୍ଭ ନିକଟେ । ଅଛିତ ଦୁହିତା ରୂପରେ ।

ଶୁଣି ତାଙ୍କ ଭାଷ ମନ୍ତ୍ରୀ କରି ହାସ କହନ୍ତି ନ ଭାଳ ମନରେ ।୧।

କାଞ୍ଚୀ ରାଜନାରୀ ମନ୍ତ୍ରୀ ଅନ୍ତଃପୁରୀ ମଧ୍ୟେ ପଦ୍ମାବତୀ ପାଶରେ ।

ରହି ମନ୍ତ୍ରୀ ନାରୀ ସଙ୍ଗେ ସହଚରୀଭାବରେ ବଞ୍ଚନ୍ତି ତୋଷରେ ।

ଦେଖି ସମୟ । କହନ୍ତି ଗୋ ମନ୍ତ୍ରୀମହିଳେ ।

ପଦ୍ମାବତୀ ସମ ହୋଇ ଭାଗ୍ୟହୀନ ନ ଥିବେ ଅବନୀମଣ୍ଡଳେ ।୨।

ରାଜସୁତା ହୋଇ ବନ୍ଦୀରେ ଅଛଇ କେବଳ ତୁମ୍ଭଙ୍କୁ ଈଶ୍ୱର ।

ଦେଇଛନ୍ତି ତାକୁ କର୍ମ ସୁଭାଗ୍ୟକୁ ଏତିକି ହୁଅଇ ବିଚାର ।

କହୁଁ ଏମନ୍ତ । ନୟନରୁ ଅଶ୍ରୁ ବୁହାଇ ।

ଦେଖି ମନ୍ତ୍ରୀ ନାରୀ ବୋଲେ ତୁନିକରି ଏପରି ଭାବୁଛ କିମ୍ପାଇ ।୩।

ତୁମ୍ଭେ ଏଥେଁ ଅଛ ନ ବିଚାର ମିଛ ଅଳପଦିନରେ ଦେଖିବ ।

ପାଟରାଣୀ ହୋଇଁ ପଦ୍ମାବତୀ ଦେଇ ଗଜପତିକୁଳ ମଣ୍ଡିବ ।

ଲେଖି ଅଛନ୍ତି । ଧାତା ଏହା ଆନ ନୁହଇ ।

ଏପରି ବହୁତ କହି ତାଙ୍କ ଚିତ୍ତ ତୋଷିଲେ ପ୍ରୀତିକି ବଢ଼ାଇଁ ।୫।

ମନ୍ତ୍ରୀର ନନ୍ଦନା ହୋଇ ତୋଷମନା ବୋଲେ କାଞ୍ଚିରାଣୀ ଆଗରେ ।

ଆମ୍ଭ ବଡ଼ ଅପା ପଦ୍ମାବତୀ କିପାଁ ପାଇବେ ଦୁଃଖ ଓଡ଼ିଶାରେ ।

ରାଣୀ ହୋଇ ଯେ । ଗଜପତି କୋଳେ ବସିବେ ।

ଆମ୍ଭଙ୍କୁ ସେକାଳେ ତାଙ୍କ ଛାଇ ତଳେ ମାଗୁଛୁଁ କୃପାରେ ରଖିବେ ।୬।

ଶୁଣି ତାର ବାଣୀ ବୋଲେ କାଞ୍ଚୀରାଣୀ ସତେ କି ଏକଥା ହୋଇବ ।

ତୋ ତୁଣ୍ଡ ସୁତୁଣ୍ଡ ହୋଇ ଦୂରୁଦଣ୍ଡ ଏ ବିପଦ ମୂଳ ବୁଡ଼ିବ ।

ଆଲୋ କୁମାରି । ପଦ୍ମାବତୀ ତୁମ୍ଭ ପାଳିତ ।

ତୁମ୍ଭଙ୍କୁ ମାନନା ତ କଲେ ସେ ସିନା ଅଧରମେ ହେବ ଗଞ୍ଜିତ ।୭।

ଏଥୁଅନ୍ତେ ଜନେ ଶୁଣ ତୋଷମନେ ହୋଇଲା ଗୁଣ୍ଡିଚା ଦିବସ ।

ରଥ ସଜ କରି ପଣ୍ଡା ପଡ଼ି଼ହାରି ଆଦି ସେବକେ ବହିଁ ତୋଷ ।

ବିଧିବିଧାନେ । ପ୍ରଭୁଙ୍କୁ ପହଣ୍ଡି କରାନ୍ତେ ।

ସୁବର୍ଣ୍ଣ ମାର୍ଜନୀ ନୃପମଣି ଘେନି ରଥପରେ ଝାଡ଼ୁଁ ତୁରିତେ ।୮।

ସକଳ ସେବକେ ଯାତ୍ରାକାଳ ଲୋକେ ଚାହିଁଛନ୍ତି ଏହି ସମୟେ ।

ସଙ୍ଗେ ପଦ୍ମାବତୀ ଘେନି ବେଗେ ମନ୍ତ୍ରୀ ନୃପ ଆଗେ ମିଳୁଁ ସଭୟେ ।

ଦେଖି ରାଜନ । ମନ୍ତ୍ରୀକି ଚାହିଁ ପଚାରନ୍ତି ।

ଏ କାହା ଦୁହିତା ବୋଲି ଚିତ୍ତେ ଚିନ୍ତା ଜନମାଇ କଥା କହନ୍ତି ।୯।

ବସି ଘୋଡ଼ାପରେ ବୁଲିବା କାଳରେ ଦେଖିଥିଲେ ଯେଉଁ ବାଳାକୁ ।

ବିଚାରିଲେ ସେହି ହୋଇବ କି ଏହି ପ୍ରକାଶେ ନ କହି କାହାକୁ ।

ପୁଣି ପୁଣି ସେ । ପଚାରନ୍ତେ ମନ୍ତ୍ରୀ କହଇ ।

ଏ ଟି ପଦ୍ମାବତୀ କାଞ୍ଚି ରାଜପୁତ୍ରୀ ଥିଲା ମୋ ପାଶେ ବନ୍ଦୀ ହୋଇ ।୧୦।

ମନ୍ତ୍ରୀର ବଚନ ଶୁଣି ସେ ରାଜନ କୋପେ ରଙ୍ଗ କରି ନୟନ ।

କହିଲେ ତୁ ରାଜ-ଆଜ୍ଞାକୁତ ବ୍ୟାଜଭାବରେ ନ କଲୁ ପାଳନ ।

ଯେଉଁ କନ୍ୟାକୁ । ଚଣ୍ଡାଳରେ ଦେବା ପାଇଁକି ।

ତୋ ପାଶରେ ଦେଇଥିଲୁଁ ତା କିପାଇଁ ନ ପାଳି ଆଣିଲୁ ଏଥିକି ।୧୧।

ଏପରି ଅନେକ କହୁଁ କଟୁବାକ୍ୟ ନରେଶ ଶୁଣି ତା ସକଳେ ।

ପଦ୍ମାବତୀ ଲାଗି ହୋଇ ଦୁଃଖଭାଗୀ ପ୍ରଭୁଙ୍କୁ ଡାକନ୍ତି ବିକଳେ ।

ଅଶ୍ରୁ ନୟନୁଁ । ତେଜି କହନ୍ତି ହେ ଈଶ୍ୱର ।

ଏ ରାଜକୁମାରୀ ଦୁଃଖ ନିଅ ହରି ତୁମ୍ଭେତ ଦୁଃଖିର ସୋଦର ।୧୨।

ଏପରି ସକଳେ ଡାକନ୍ତି ଏକାଳେ ମନ୍ତ୍ରୀ କାରଯୋଡ଼ି ଜଣାଏ ।

ଏ ପଦ୍ମିନୀ ନାରୀ ପୁଣି ଏହାପରି ଚଣ୍ଡାଳ ଜଣେ ଆଜିଯାଏ ।

ନ ମିଳିବାରୁ । ରଖିଥିଲି ଜାଣ ନିୟତ ।

ଯେଉଁ ଚଣ୍ଡାଳକୁ ଏହାକୁ ଦେବାକୁ କାଞ୍ଚୀଶ ନୋହିଲା ସମ୍ମତ ।୧୩।

ସେ ଚଣ୍ଡାଳ ଆଜି ଏଠାରେ ବିରାଜି ଥବାର ଦେଖି ଆଣି ଦେଲି ।

ନୃପତିଙ୍କ ଆଜ୍ଞା ନ କରି ଅବଜ୍ଞା ଶିରେ ବହିଥିଲି ପାଳିଲି ।

ଏବେ ଏଣିକି । ଯାହା ଇଛା ହୋଏ ତା କର ।

କହି ଏ ବାଣୀକି ସେ ପଦ୍ମାବତୀକି ଦେଉଁ ସେକ୍ଷଣି ନରେଶ୍ୱର ।୧୪।

ଚାହିଁ ତା ବଦନ ହୋଇ ବିମୋହନ ମନ୍ତ୍ରୀର ବିନୟ ବଚନେ ।

ପଦ୍ମାବତୀ ହସ୍ତ ଧରି ସେ ତୁରିତ ଅନାଇଁ କରୁଣା ନୟନେ ।

ନେଲେ ନିକଟେ । ଦେଖି ସର୍ବେ ତୋଷ ହୋଇଲେ ।

ଧନ୍ୟ ଧନ୍ୟ ମନ୍ତ୍ରୀ ଏପରି ଭାରତୀ ହରିବୋଲ ଦେଇ ବୋଇଲେ ।୧୫।

ନାରୀଗଣେ ମିଳି ଦେଲେ ହୁଳହୁଳି ବୋଇଲେ ଧନ୍ୟ ହେ ନୃପତି ।

ଏ ନୃପନନ୍ଦନା ପଦ୍ମାବତୀ ସିନା ତୁମ୍ଭେ ତା ସମ ହେଲ ପତି ।

ରାଣୀ ହେବାକୁ । ଆନ କରନ୍ତା ସେହୁ କଥା ।୧୬।

ପଦ୍ମାବତୀପାଇଁ ସର୍ବେ ଦୁଃଖି ହୋଇଥିଲେ ତା ରାଜା ଜାଣିପାରି ।

ବିଚାରିଲେ ମନେ ଚଣ୍ଡାଳସଦନେ ଦିଅନ୍ତେ ଏହାକୁ କିପରି ।

ମଧୁସୂଦନ । ବିଚିତ୍ରକର୍ମ ସେ ଅଟନ୍ତି ।

ବୋଲେ କପିଳେଶ ଆହେ ନରଈଶ ପଦ୍ମାର ହୁଅନ୍ତା କିଗତି ।୧୭।

Image

 

୨୭ଶ ଛାନ୍ଦ । ରାଗ କାମୋଦୀ ।

 

ଜନେ ହୋଇ ହରଷ ଶୁଣ ବିଚିତ୍ରରସ ପରମ ଆନନ୍ଦ ଲଭିବ ।

ରାଜା ପଦ୍ମାବତୀକି ଧରି ନେଉଁ କତିକି ଏରୀତି ଦେଖନ୍ତେ ସଚିବ ଯେ ।

ଶୀଘ୍ର ଯାଇଁ । କାଞ୍ଚିନୃପକୁ ଘେନି ସଙ୍ଗେ ।

ଆସି ସେଠାରେ ମିଳିବେଗେ ।

ସକଳେ ଚାହିଁଛନ୍ତି ବିନୟେ କହେ ମନ୍ତ୍ରୀ ବଚନ ଅତି ଅନୁରାଗେ ଯେ ।୧।

 

ଆହେ ଓଡ଼ିଶାଧିପ ଏ କଳେବର ନୃପ ନ ଜାଣି ଦୋଷ କରିଥିଲା ।

ପାଇଁ ତହିଁର ଫଳ ଏବେ ହୋଇ ବ୍ୟାକୁଳ ଆସି ଏ ଶରଣ ପଶିଲା ଯେ ।

ଦେଖ ଦେଖ । ହୋଇଅଛନ୍ତି କେଡ଼େ ଦୀନ ।

ନାହିଁତ ପୂର୍ବ ଅଭିମାନ ।

ସୁଦୟା ତାଙ୍କଠାରେ କରି ରଖ ହେ ବାରେ ଲୋକେ ବୋଲିବେ ଧନ୍ୟ ଧନ୍ୟ ଯେ ।୨।

 

ସଙ୍ଗେ ଆଣି ବନିତା ମୋ ଗୃହେ ଛନ୍ତି ଚିନ୍ତାସାଗରେ ବୁଡ଼ି ନିରନ୍ତରେ ।

ପଦ୍ମାବତୀଙ୍କ ମାତ ପାଗଲୀ ପରାଏତ ଅଛନ୍ତି ରଜନୀ ବାସରେ ଯେ ।

ନୟନରୁ । ନିର ନିରତେ ବହୁଅଛି ।

ସର୍ବଦା ଏହି କଥା ପାଞ୍ଚି ।

ମୋ ସୁତା ପଦ୍ମାବତୀ ଲଭିବ କି ଦୁର୍ଗତି ବିଚାରିଛନ୍ତି କି ବରଷି ଯେ ।୩।

 

ଏପରି ତାଙ୍କ ଶୋକ ଦେଖି ଶୁଣି ଅନେକ ପ୍ରବୋଧି ରଖାଇଚି ଜାଣ ।

ଏବେ ଶ୍ରୀ ଛାମୁଙ୍କର ହେଲେ ଶାଶୁ ଶ୍ୱଶୁର ରଖନ୍ତୁ ନିକଟେ ଶରଣ ଯେ ।

ଶୁଣି ଏହା । ଶ୍ରୀପୁରୁଷୋତ୍ତମ ନୃପତି ଓଡ଼ିଶାଗାଦି-ଗଜପତି ।

ଚାହିଁ କାଞ୍ଚୀନରେଶ ମୁଖକୁ ଏହି ଭାଷ କହିଲେ ସର୍ବେ ଶୁଣୁଛନ୍ତି ଯେ ।୪।

 

ହେ ନୃପକଳେବର ଚିତ୍ତେ ଆନ ନ ଧର ଈଶ୍ୱର ଯେତେବେଳେ ଯାହା ।

ଯାହାକୁ ବିତରନ୍ତି ତାକୁ ଭୋଗ କରାନ୍ତି ଆନ କରିବ କେ ବା ତାହା ଯେ ।

ସେ ସକଳ । କଥା ମନରୁ ଛାଡ଼ିଦିଅ ।

ଏଣିକି ତୁମ୍ଭେ ସୁଖେ ରହ ।

କହିଁ ବହୁତ ଏହିପରି ମନ୍ତ୍ରୀଙ୍କି ଚାହିଁ ଭାଷିଲେ ନରପତିସିଂହ ଯେ ।୫।

 

ଆହେ ଶଚିବ ଏବେ ଯେପରି ଏ ରହିବେ ରାଣୀ ସହିତେ ବହୁମାନ୍ୟ ।

ସେପରି ବିଚାରିବ ତୁମ୍ଭଙ୍କୁ କେ କହିବ ନ ଜାଣ ତୁମ୍ଭେ କି ବିଧାନ ଯେ ।

ନୃପଆଜ୍ଞା । ଶ୍ରବଣେ ମନ୍ତ୍ରୀ ଯୋଡ଼ି କର ।

ଭାଷଇ ଯେ ଆଜ୍ଞା ଛାମୁର ।

ଏହା ଶୁଣ ସକଳେ ରାଜାଙ୍କୁ ସେହିକାଳେ ପ୍ରଶଂସା କଲେକ ଅପାର ଯେ ।୬।

 

ରଥ ଉପରେ କାର୍ଯ୍ୟ ସାରି ଓଡ଼ିଶାରାଜ ପଦ୍ମାବତୀକି ପୁରେ ପେଶି ।

ରଥ ଚାଲିବା ପାଇଁ ନିଯୋଗ ଆଜ୍ଞା ଦେଇ ଆପଣାଗହଣରେ ମିଶି ଯେ ।

ନବରକୁ । ଗମନ କରୁଁ ମନ୍ତ୍ରୀ ଯାଇଁ ।

କାଞ୍ଚୀ-ନୃପକୁ ସଙ୍ଗେ ନେଇଁ ।

ଉତ୍ତମ ବାସ ଦେଇ ଯତନରେ ରଖାଇ ଦେଲେ ଯା ରାଜା ଥିଲେ କହିଁ ଯେ ।୭।

 

କାଞ୍ଚୀରାଜନ ମନ୍ତ୍ରୀ କର ଧରି କହନ୍ତି ବନିତା ନିକଟେ ରଖାଇଁ ।

ଆହେ ଶଚିବ ବର କଲ ଯା ଉପକାର ଏହା କି ସୁଝି ପାରିବଇଁ ଯେ ।

କେତେ ଜନ୍ମେ । ହୋଇବ ସମ୍ଭବ ନୁହଇ ।

ଶୁଣତ ଏବେ ଆମ୍ଭେ ଦୁଇ ।

ବିଚାରି ଅଛୁଁ ଯାହା କରାଇ ଦେଲେ ତାହା କିଣାରହିବୁଁ ତୁମ୍ଭ ତହିଁ ଯେ ।୮।

 

ଶୁଣି ମନ୍ତ୍ରୀ କହଇ କିମ୍ପା ହେ ନରସାଇଁ ହେଉଛି ଏପରି ବିନୟ ।

ମୁ ତୁମ୍ଭର ଅଧୀନ ଏହାତ ନୋହେ ଆନ କି ବାଞ୍ଛା ଅଛି ତାହା କହ ଯେ ।

କରିବଇଁ । ମୋ ଯୋଗେ ହୋଇଁ ତା ପାରିଲେ,

ଶୁଣି ଏହା କାଞ୍ଚୀଶ ବୋଲେ ।

ପୁରୁଷୋତ୍ତମଦେବ ନୃପତିକୁଳଧବ ଯେବେ ମୋ ଜାମାତା ହୋଇଲେ ଯେ ।୯।

 

କନ୍ୟାଦାନ ମୁଁ ତାଙ୍କ ହସ୍ତେ କରି କଳଙ୍କ ମାନକୁ ହରିବି ପାଞ୍ଚିଛି ।

ମୋତେ ଏହା କରାଇଁ ଦେଲେ ଏ ଦେହେଁ ମୁହିଁ ପଛ କଥାକୁ ଦେଇ ମୂର୍ଛି ଯେ ।

ସୁଖେ ଯିବି । ଯେତେ ଦିବସ ଜୀବେ ଥିବି ।

ତୁମ୍ଭର ସୁଯଶ ଗାଇବି ।

ଶୁଣି ବୋଲେ ଶଚିବ ଏହା ଅବଶ୍ୟ ହେବ ଏଥକୁ କିମ୍ପା ହୁଅ ଭାବି ଯେ ।୧୦।

 

କହି ଏପରି ମନ୍ତ୍ରୀ ଯାଇଁ ଶୀଘ୍ର ନୃପତି ନିକଟେ ବିନୟ-ବଚନେ ।

କାଞ୍ଚୀନରେଶ କଥା କହି ତା ମନବ୍ୟଥା ହରିବା ପାଇଁ ସୁଯତନେଯେ ।

ନୃପଆଜ୍ଞା । ପାଇଁ ସକଳ ବିଧି କରି ।

ବିବାହ ସୁଲଗ୍ନ ବିଚାରି ।

ବେଦଵିଧାନେ ବିପ୍ରମାନେ ଥାଇଁ ଯେ କ୍ଷିପ୍ର ପଢ଼ିଲେ ବେଦ କ୍ରମ ଧରି ଯେ ।୧୧।

 

କାଞ୍ଚୀନୃପ ବସିଲେ କନ୍ୟା ପ୍ରଦାନ କଲେ ପୁରୁଷୋତ୍ତମଦେବକରେ ।

ତହୁଁ ପତ୍ନୀସହିତେ କହିଲେ ସେ ବିନୀତେ ଜାମାତା-କର ଧରି ଧୀରେ ଯେ ।

ଆହେ ବୀର । ଆମ୍ଭର ଦୋଷ କ୍ଷମାକର ।

କରିଛୁ ଅନ୍ୟାୟ ବିଚାର ।

ଦେଇଁ ପଦ୍ମାବତୀକି ଜଣାଉଁଚି ଏତିକି ଶରଣ ଗଲି ବାରଂବାର ଯେ ।୧୨।

 

କୁଳାଚାରେ ବିବାହ ହୋଇଁ ଯାଉଁ ନିର୍ବାହ କାଞ୍ଚୀନୃପତି କିଛିଦିନ ରହିଁ ତହିଁ ଉତ୍ତାରେ ମେଲାଣି

ହୋଇଁ ଖରେ କଲେ ସ୍ୱଦେଶକୁ ଗମନ ଯେ ।

ନିଜନାରୀ । ଆଦିଭୃତ୍ୟଙ୍କୁ ସଙ୍ଗେ ଘେନି ।

ଶୁଣି ସକଳେ କଲେ ଧନି ।

ହୋଇଲେ ପଦ୍ମାବତୀ ଓଡ଼ିଶା ଗଜପତି ସିଂହାସନର ପାଟରାଣୀ ଯେ ।୧୩।

 

ଶୁଣ ହେ ଜନେ କାଞ୍ଚିକାବେରୀ କଥା ପାଞ୍ଚି ଏ ଛାନ୍ଦଗୀତ ବିରଚିଲି ।

ବଙ୍ଗଭାଷା ସାହିତ୍ୟ ହୋଇଅଛି ପୁଣିତ ଓଡ଼ିଆନାଟକ ଦେଖିଲି ଯେ ।

ଏରଚିତ । ହୋଇଁଚି ତହିଁରେ ବର୍ଣ୍ଣିତ ।

ଓଡ଼ିଶାବାସୀଏ ବହୁତ ।

ଛାନ୍ଦଗୀତେ ଗ୍ରାହକ ଏହା ନୋହେ ଅଲୀକ ଜାଣି ମୁ କଲି ଏହୁ ଗୀତ ଯେ ।୧୪।

 

ହେଜନେ ଦୋଷ ମୋର ନ ଧରି କ୍ଷମାକର ଅଶୁଦ୍ଧ ଥିଲେ ଚାଳିନେବ ।

ମହମଦସନର ବାରଶତ ଆବର ପଞ୍ଚାନବେ ସାଲରେ ଭାବ ହେ ।

ସାଧୁନରେ । ଏଗ୍ରନ୍ଥ ହୋଇଲା ଯେ ଶେଷ ।

କହଇ ଏହା କପିଳେଶ ।

ଶ୍ରୀରଘୁନାଥ ନନ୍ଦସୁତ ମୁଁ ମତି ମନ୍ଦ କେବଳ ଭରସା ମହେଶଯେ ।୧୫।

Image